ଖୋର୍ଦ୍ଧା: ଜିଲ୍ଲାର ସିଡିଏମଓ କାର୍ଯ୍ୟାଳୟକୁ ମୁଖ୍ୟ ଚିକିତ୍ସାଳୟ ପରିସରକୁ ସ୍ଥାନାନ୍ତର କରିବାକୁ ତେଜିଲା ଦାବି । ଶୁକ୍ରବାର ଦିନ ସେଚ୍ଛାସେବୀ ଅନୁଷ୍ଠାନ ଖୋର୍ଦ୍ଧା ବିକାଶ ମଞ୍ଚ ତରଫରୁ ଖୋର୍ଦ୍ଧାରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରକୁ ସ୍ଥାନାନ୍ତର କରିବା ସହ ଅନ୍ୟାନ୍ୟ ଦାବି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବିକାଶ ମଞ୍ଚର ସଦସ୍ୟ ।
ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ହେଲା, ଖୋର୍ଦ୍ଧାରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରକୁ ସ୍ଥାନାନ୍ତର, ଖୋର୍ଦ୍ଧା ମେଡ଼ିକାଲକୁ ଲାଗି ରହିଥବା ୫୮ ଏକର ସରକାରୀ ଜାଗାକୁ ମେଡ଼ିକାଲ କଲେଜ ପାଇଁ ସଂରକ୍ଷିତ କରାଯିବା ସହ ସିଡିଏମଓ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପରେ ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା । ତେବେ ଏହି ତିନି ଦଫା ଦାବି ନେଇ ଶୁକ୍ରବାର ଦିନ ଖୋର୍ଦ୍ଧା ବିକାଶ ମଞ୍ଚ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ତେଜିଲା MKCGରେ ବର୍ଣ୍ଣ କେୟାର ୟୁନିଟ ଦାବି, ଆମରଣ ଅନଶନରେ ବସିଲେ ବିଜେପି ନେତା
ଏନେଇ ଖୋର୍ଦ୍ଧା ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି କହିଛନ୍ତି," ୨୦୦୮ ମସିହାରେ ଖୋର୍ଦ୍ଧାରେ ନୂତନ ମେଡ଼ିକାଲ ସ୍ଥାପନ କରାଗଲା । ତା ପରଠାରୁ ପୁରାତନ ମେଡ଼ିକାଲରେ ଥିବା ସ୍ଥାନରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି । ବର୍ତ୍ତମାନ ନୂତନ ମେଡ଼ିକାଲର କାର୍ଯ୍ୟଦକ୍ଷତା, କାର୍ଯ୍ୟପରିସର ଓ ରୋଗୀ ସଂଖ୍ୟା ଅହେତୁକ ବୃଦ୍ଧି ପାଉଥିବା ବେଳେ ଏଠାରୁ ୨ କିମି ଦୂରରେ ସିଡ଼ିଏମଓଙ୍କ କାର୍ଯ୍ୟାଳୟ ରହିଛି । ତେଣୁ ସିଡ଼ିଏମଓ ଓ ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସମ୍ଭବ ହୋଇପାରୁ ନାହିଁ । ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟ କରୁଥିବାବେଳେ ଖୋର୍ଦ୍ଧାରେ ଏଭଳି ବ୍ୟତିକ୍ରମ ନିଶ୍ଚିତ ଭାବରେ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି କରୁଛି ।
ସେ ଆଉ ମଧ୍ୟ କହିଛନ୍ତି," ସିଡ଼ିଏମଓଙ୍କ କାର୍ଯ୍ୟାଳୟରେ ରକ୍ତ ଭଣ୍ଡାର, ଔଷଧ ଭଣ୍ଡାର ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟାଳୟ ଗୁଡ଼ିକ ରହିଛି । ତେଣୁ ଏଗୁଡ଼ିକୁ ସ୍ଥାନାନ୍ତରିତ କରାଯିବାର ଆବଶ୍ୟକତା ରହିଛି । ସେହିପରି ପୁରାତନ ମେଡ଼ିକାଲରେ ସିଡ଼ିଏମ୍ଓ କାର୍ଯ୍ୟାଳୟ ପ୍ରାୟ ତିନି ଏକର ଜାଗାରେ ରହିଛି । ଏହି ସ୍ଥାନରୁ କାର୍ଯ୍ୟାଳୟ ହଟାଯାଇ ଯଦି ସେଠାରେ ପୌରପରିଷଦ ତରଫରୁ ଏକ ବୃହତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇପାରିଲେ ସହରର ପ୍ରାୟ ଏକ ହଜାର ଯୁବକ ରୋଜଗାର କ୍ଷମ ହେବା ସଙ୍ଗେ ସଙ୍ଗେ ପୌର ପରିଷଦର ମଧ୍ୟ ଆୟ ବୃଦ୍ଧି ପାଇବ ।"
ଇଟିଭି ଭାରତ, ଖୋର୍ଦ୍ଧା