ଫୁଲବାଣୀ: ଦିନକୁ ଦିନ ସରଗରମ ହେବାରେ ଲାଗିଛି କନ୍ଧମାଳ ଜିଲ୍ଲା ରାଜନୀତି । ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ଓ ଭାଜପା ବିଧାୟିକା ପ୍ରାର୍ଥିନୀ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀଙ୍କୁ ବିରୋଧ । ତେବେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କଂଗ୍ରେସ ଓ ବିଜେପି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି ସେମାନେ ସମସ୍ତେ ଆଦିବାସୀ ନୁହଁନ୍ତି ବୋଲି ଦାବି କରିଛି ଜିଲ୍ଲାର କୁଇ ସମାଜ ସେବା ସମିତି । ଏହାସହ ସେମାନେ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କଲେ ତାହାକୁ ନାକଚ କରିବା ପାଇଁ ଦାବି କରିଛି କୁଇ ସମାଜ ସେବା ସମିତି ।
ତେବେ କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି ପକ୍ଷରୁ ଗତକାଲି (ଶୁକ୍ରବାର) ଅପରାହ୍ନରେ ଫୁଲବାଣୀରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀ କରି ବାଲିଗୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ସୁରଦା ପ୍ରଧାନ, ଭାଜପା ପ୍ରାର୍ଥିନୀ କଳ୍ପନା କହଁର ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ପ୍ରତିଭା କହଁର ଆଦିବାସୀ ନୁହଁନ୍ତି ବୋଲି କହିଛି କୁଇ ସମାଜ ସେବା ସମିତି । ତେବେ ଦୀର୍ଘ ଦିନରୁ ସୁରଦା ପ୍ରଧାନ ତାଙ୍କ ନିର୍ବାଚନୀ ମଣ୍ଡଳୀରେ ସଂଗଠନ କରି ଆସୁଥିଲେ । କଂଗ୍ରେସ ଚଳିତ ସାଧାରଣ ନିର୍ବାଚନରେ ତାଙ୍କୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେ ପ୍ରାର୍ଥୀ ହେବା ପରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଏବେ କୁଇ ସମାଜ ପ୍ରଶ୍ନ ଉଠାଇଛି । ପ୍ରତ୍ୟେକ କ୍ଷେତ୍ରରେ କନ୍ଧମାଳ ଆଦିବାସୀମାନେ ପ୍ରତାରଣାର ଶୀକାର ହେଉଛନ୍ତି । ବାଲିୁଗଡା ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ କରିଥିବା ପ୍ରାର୍ଥିନୀ ସୁରଦା ପ୍ରଧାନ ଆଦିବାସୀ ନୁହଁନ୍ତି । ସେ ଚଞ୍ଚକତା କରି ଜାତି ପ୍ରମାଣପତ୍ର ଯୋଗାଡ କରିବାରେ ସକ୍ଷମ ହୋଇଛନ୍ତି । ଅସଲଇ ଆଦିବାସୀର ଅଧିକାରକୁ ଧୋକାଦେଇ ପ୍ରତାରଣା କରି ବିଧାୟକ ଭାବେ ଲଢ଼ିବାକୁ ଯାଉଛନ୍ତି । ତାଙ୍କ ନାମରେ ଜାଲ ପ୍ରମାଣପତ୍ର କେସ ନଂ ୪୦/୧୦ରେ ଆରଡିସିଙ୍କ ପାଖରେ ବିଚାରଧିନ ଅଛି ବୋଲି କହିଛି କୁଇ ସମାଜ ସେବା ସମିତି ।
ସେହିପରି ବାଲିଗୁଡା ନିର୍ବାଚନୀ ମଣ୍ଡଳୀରେ ଭାଜପା ଦେଇଥିବା ପ୍ରାର୍ଥିନୀ କଳ୍ପନା କହଁର ଜଣେ ଅଣ ଆଦିବାସୀ । ସେ ସାଧାରଣ ବର୍ଗର ଲୋକଙ୍କୁ ବିବାହ କରିଛନ୍ତି । ଆଦିବାସୀ ସମାଜରୁ ସେ ଅଲଗା ହୋଇ ରହିଛନ୍ତି ବୋଲି କହିଛି କୁଇ ସମାଜ ସେବା ସମିତି । ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରତିଭା କହଁରଙ୍କୁ ବିଧାୟିକା ପ୍ରାର୍ଥିନୀ ଘୋଷଣା କରାଯାଇଛି । ସେ ମଧ୍ୟ ଅନ୍ୟ ଜାତିରେ ବିବାହ କରିଛନ୍ତି । ଆଦିବାସୀ ସମାଜ ଦ୍ୱାରା ଗ୍ରହଣୀୟ ନୁହଁନ୍ତି । ତେଣୁ ସେମାନେ ପ୍ରାର୍ଥିପତ୍ର ଦାଖଲ କଲେ ତାହାକୁ ନାକଚ କରିବାକୁ କୁଇ ସମାଜ ସେବା ସମିତି ସମ୍ପାଦକ ଅବନୀ କୁମାର କହଁର କରିଛନ୍ତି । ଏହାସହ ଏନେଇ ଏକ ଦାବିପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ବାଲିଗୁଡା ଶାଖା ସଭାପତି ମନୋଜ ମଲ୍ଲିକ, କୋଷାଧ୍ୟକ୍ଷ ଭାବୀନ୍ଦ୍ର କହଁର, ନାରୀ ନେତ୍ରୀ ଗୀତାଞ୍ଜଳୀ କହଁର, କୁସୁମୀ ପ୍ରଧାନ, ସରିତା କହଁର ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କନ୍ଧମାଳ