ଭୁବନେଶ୍ବର: ସମଗ୍ର ଶିକ୍ଷା ଡିଜିଟାଲ ପଦକ୍ଷେପ ଅଧୀନରେ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ଲାଗିବ ସ୍ମାର୍ଟ ଡିଭାଇସ୍ ଇଣ୍ଟିଗ୍ରେଟେଡ୍ ଫ୍ଲାଟ୍ ପ୍ୟାନେଲ (ଆଇଏଫ୍ପି) । ପ୍ରଥମ ପର୍ଯ୍ୟାୟରେ ୬ ହଜାର ୬୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୫ ଇଞ୍ଚିଆ ଦୁଇଟି ଆଇଏଫ୍ପି ଏବଂ ୯୦୯ ମାଧ୍ୟମିକ ବିଦ୍ୟାଳୟରେ ୭୫ ଇଞ୍ଚିଆ ଦୁଇଟି ଆଇଏଫ୍ପି ସ୍ଥାପନ କରାଯିବ । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ଏହି ଆଇଏଫ୍ପି ଯୋଗାଣ ଏବଂ ସ୍ଥାପନ ପାଇଁ କେରଳ ରାଜ୍ୟ ସରକାରଙ୍କ ଏକ ପିଏସ୍ୟୁ କେରଳ ରାଜ୍ୟ ବୈଦ୍ୟୁତିକ ବିକାଶ ନିଗମ ଲିମିଟେଡ୍ (କେଲେଟ୍ରାନ୍)କୁ କାର୍ଯ୍ୟକାରୀ ସଂସ୍ଥା ଭାବେ ମନୋନୟନ କରାଯାଇଛି । ଚିହ୍ନଟ କରାଯାଇଥିବା ବିଦ୍ୟାଳୟ ଗୁଡ଼ିକରେ ଆଇଏଫ୍ପି ସ୍ଥାପନ କରାଯିବ। ଏହା ସହ କେଲଟ୍ରୋନ୍ର ବୈଷୟିକ ଦଳ ଏବଂ ବିତରଣକାରୀ ସଂସ୍ଥାକୁ ସହାୟତା କରିବାକୁ କୁହାଯାଇଛି । ଏ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସାହାଯ୍ୟ ସହଯୋଗ ମଧ୍ୟ କରିବେ । ଆଇଏଫ୍ପି ଲାଗି ସାରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ/ପ୍ରଧାନ ଶିକ୍ଷକ ସଂସ୍ଥା ଦ୍ବାରା ଦିଆଯାଇଥିବା ଇନଷ୍ଟଲେସନ୍ ରିପୋର୍ଟରେ ଦସ୍ତଖତ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ...ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ, ଭର୍ଚ୍ଚୁଆଲରେ ୧୧ ବିଷୟରେ ପଢ଼ିବେ ଛାତ୍ରଛାତ୍ରୀ
ତେବେ ଏହି ଡିଜିଟାଲ ଆଇଏଫ୍ପି ହେଉଛି ଏକ ଟିଭି ଭଳି । ଏଥିରେ ଏକା ସାଙ୍ଗରେ ଭିଡିଓ ସହିତ ପ୍ରୋଜେକ୍ଟର ଦ୍ବାରା ପାଠ ପଢିପାରିବେ ପିଲା । ଏହାସହ ଏହି ସ୍ମାର୍ଟ ଡିଭାଇସ୍ ଦ୍ଵାରା ଭିଡିଓ କନଫରେନ୍ସ ସମେତ ଶିକ୍ଷକ ମାନେ ଏଥିରେ ଭଲ ଭାବରେ ଲେଖି ମଧ୍ୟ ପାରିବେ । ବିଶେଷ ଭାବରେ ଏହା ଚିତ୍ର ସମେତ ଭିଡିଓଗ୍ରାଫି ମଧ୍ୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ପ୍ରକାଶ ଯୋଗ୍ୟ, କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଡିଜିଟାଲାଇଜେସନ କରିବା ପାଇଁ ଚିନ୍ତା କରିଥିଲେ । ଏହି କ୍ରମରେ ରାଜ୍ୟ ସରକାର ସ୍କୁଲ ମାନଙ୍କରେ ସ୍ମାର୍ଟ କ୍ଲାସରୁମ ପ୍ରତିଷ୍ଠା ପାଇଁ ଯୋଜନା ଆରମ୍ଭ କରିଥିଲେ । ଯାହାର 5 ବର୍ଷିୟା ମେଣ୍ଟେନାନ୍ସ କଥା ମଧ୍ୟ ଯୋଜନାରେ ସାମିଲ ଥିଲା । 5T ଅନ୍ତର୍ଗତ ଓସେପା (ଓଡିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି) ଏହି କାମ ହାତକୁ ନେଇଥିଲା । ଏବେ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସରକାରୀ ସ୍କୁଲ ଗୁଡିକରେ ଅନେକ ପରିବର୍ତ୍ତନ ହେଲାଣି । ସ୍କୁଲରେ ସାଧାରଣ କ୍ଲାସ ଏବେ ସ୍ମାର୍ଟ କ୍ଲାସରୁମ ହେଲାଣି । ସେଠାରେ ପିଲାମାନେ ଅନେକ ସୁବିଧା ପାଉଛନ୍ତି । କିନ୍ତୁ ଏପରି ଅନେକ ସ୍କୁଲ ରହିଛି ଯେଉଁଠାରେ ସ୍ମାର୍ଟ କ୍ଲାସରୁମ ଛଡ଼ା ସ୍ମାର୍ଟବୋର୍ଡ ମଧ୍ୟ ନାହିଁ । ଯାହା ଫଳରେ ଅନେକ ସମୟରେ ପାଠ ପଢାରେ ଅନେକ ବ୍ୟାଘାତ ଘଟୁଥିବା କୁହାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର