ବରଗଡ଼: ପରାଧୀନ ଭାରତକୁ ଇଂରେଜଙ୍କ କବଳରୁ ସ୍ଵାଧୀନତା ଆଣିବା ପାଇଁ କେତେଜେ ମହିଳା ବିଧବା ହୋଇଛନ୍ତି,କେତେ ଶିଶୁ ତାଙ୍କ ପିତାମାତାଙ୍କୁ ହରାଇଛନ୍ତି । ତାହାର ଠିକଣା ନାହିିଁ । ସେହିପରି ବିଭିନ୍ନ ଅଞ୍ଚଳରେ ବହୁ ବୀର ଯୋଦ୍ଧା ଓ ସ୍ଵାଧୀନତା ସଂଗ୍ରାମୀମାନେ ମଧ୍ୟ ଶହୀଦ ହୋଇଛନ୍ତି । ମାତ୍ର ଆଜି ସମୟ ପରିବର୍ତ୍ତନ ସହିତ ଲୋକେ ଭୁଲିଗଲେଣି ସେହି ବୀର ସଂଗ୍ରାମୀଙ୍କ ଗାଥା । ଇତିହାସ ପୃଷ୍ଠାରୁ ହଜିଗଲାଣି ସ୍ଵାଧୀନତାର ସ୍ଵାଦ ଚଖାଇଥିବା ସେହି ବୀର ପୁରୁଷମାନଙ୍କର ସଂଗ୍ରାମ ଓ ତାଙ୍କର ବଳିଦାନର ସେହି ବୀରତ୍ଵ କାହାଣୀ ।
ବୀର ଯୋଦ୍ଧା ଶହୀଦ ମାଧୋ ସିଂ କିଏ ?
ବରଗଡ ଜିଲ୍ଲା ଘେଂସ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ପରିବାରର ହୁଏତ ଭାରତ ସ୍ଵାଧୀନତା ଇତିହାସରେ ଏକ ବିରଳ କାହାଣୀ । ଯେଉଁ ପରିବାରର ବାପ ଓ ୪ ପୁଅଙ୍କ ସହିତ ଜ୍ଵାଇଁ ମଧ୍ୟ ଏପରି ଗୋଟେ ପରିବାରର 6 ଜଣ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଆଜି ଦେଶ ସ୍ଵାଧୀନ ହେବାପରେ ଏହି ପରିବାରର ବଳିଦାନ ଓ ବୀରତ୍ଵର ଗାଥା ଇତିହାସ ପୃଷ୍ଠାରେ ମଧ୍ୟ ନାହିଁ । ଆଜିର ଯୁବପିଢିଙ୍କୁ ସେହି ବୀର ସଂଗ୍ରାମୀ ଘେଂସ ଜମିଦାର ମାଧୋ ସିଂଙ୍କ ବିଷୟରେ ଜଣାନାହିଁ ।
ମୁକ୍ତି ସଂଗ୍ରାମରେ ମାଧୋ ସିଂଙ୍କ ପରିବାର ଯୋଗଦାନ:
୧୮୫୭ ମସିହା ପ୍ରଥମ ମୁକ୍ତି ସଂଗ୍ରାମରେ ମାତୃଭୂମିକୁ ସ୍ଵାଧୀନତା ଦେବା ପାଇଁ ବରଗଡ ଜିଲ୍ଲା ଘେଂସ ଗ୍ରାମର ଜମିଦାର ମାଧୋ ସିଂ ଓ ତାଙ୍କର ୪ ପୁତ୍ର ହଟେ ସିଂ, କୁଞ୍ଜଳ ସିଂ , ଐରି ସିଂ ଓ ବୈରୀ ସିଂ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଡ଼ାକରାରେ ୧୮୫୭ ମସିହାରେ ପ୍ରଥମ ମୁକ୍ତି ସଂଗ୍ରାମରେ ସାମିଲ ହୋଇ ଇଂରେଜମାନଙ୍କ ବିରୋଧରେ ଲଢେଇ କରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଇଂରେଜ ମାନଙ୍କ ବିରୋଧରେ ସିଧାସଳଖ ଲଢେଇ କରିଥିଲେ । ତାଙ୍କ ଡାକରାରେ ଘେଂସ ଜମିଦାର ଓ ତାଙ୍କ ୪ ପୁଅ ଇଂରେଜ ମାନଙ୍କ ସହିତ ଲଢେଇରେ ଝାସ ଦେଇଥିଲେ । ୧୮୫୭ ରୁ ୧୮୬୨ ମଧ୍ୟରେ ଇଂରେଜ ମାନଙ୍କ ବିରୋଧରେ ବ୍ୟାପକ ଲଢେଇ ହୋଇଥିଲା । ଶିଙ୍ଗୋଡା ଘାଟି ଠାରୁ ଆରମ୍ଭ କରି ବାରପାହାଡ ଜଙ୍ଗଲ ଭିତରେ ଅନେକ ଇଂରେଜ ମାନଙ୍କୁ ମାରିବା ସହିତ ଘେଂସ ଜମିଦାର ଖୋଲାଖୋଲି ଯୁଦ୍ଧ କରିଥିଲେ ।
ମାଧୋ ସିଂଙ୍କ ୪ ପୁଅଙ୍କ କିପରି ମୃତ୍ୟୁ ହେଲା:
ପରବର୍ତ୍ତୀ ମୁହୂର୍ତ୍ତରେ ଇଂରେଜ ମାନେ ମାଧୋ ସିଂଙ୍କ ଦୁଇ ପୁଅ ହଟେ ସିଂ, ଓ ବୈରୀ ସିଂଙ୍କୁ ଗିରଫ କରିଥିଲେ । ବୈରୀ ସିଂଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା ଯିଏକି ସେଠାରେ ପ୍ରାଣ ତ୍ୟାଗ କରିଥିଲା । ହଟେ ସିଂଙ୍କୁ ସୁଦୂର ଆଣ୍ଡାମାନରେ ତାଙ୍କୁ କଳାପାଣି ଦଣ୍ଡ ଦିଆଯାଇଥିଲା ଏବଂ ସେଠାରେ ସେ ପ୍ରାଣତ୍ୟାଗ କରିଥିଲେ । ସେହିପରି କୁଞ୍ଜଳ ସିଂଙ୍କୁ ମଧ୍ୟ ଇଂରେଜମାନେ ସମ୍ବଲପୁର ଠାରେ ଫାଶୀ ଦଣ୍ଡ ଦେଇଥିଲେ । ପୁଅ ଐରି ସିଂ ଇଂରେଜ ମାନଙ୍କ ସହିତ ଲଢେଇରେ ପ୍ରାଣ ହରାଇଥିଲେ ।
ମାଧୋ ସିଂଙ୍କୁ ଫାଶୀ ଦଣ୍ଡ:
ମାଧୋ ସିଂ ଇଂରେଜ ମାନଙ୍କ ସହିତ 72 ବର୍ଷ ବୟସ ପର୍ଯ୍ୟନ୍ତ ଲଢେଇ କରି ଆସିଥିଲେ ଏବଂ ଜଙ୍ଗଲ ଭିତରେ ବସବାସ କରୁଥିଲେ । ଅନେକ ବ୍ରିଟିଶ କେପ୍ଟେନ ଓ ସୈନିକ ମାନଙ୍କୁ ମାରି ଇଂରେଜ ମାନଙ୍କୁ ଖୋଲା ଛେଲେଞ୍ଜ ଦେଉଥିଲେ ସେ । ଇଂରେଜ ମାନେ କ୍ରୋଧରେ ଜର୍ଜରିତ ହୋଇ ଘେଂସ ଗ୍ରାମକୁ ଆସି ଅନେକ ନିରୀହ ଗରିବ ଗ୍ରାମବାସୀଙ୍କ ଘର ପୋଡିଦେଇଥିଲେ ଓ ଅତ୍ୟାଚାର କରୁଥିଲେ । ତେବେ 72 ବର୍ଷ ବୟସ ପର୍ଯ୍ୟନ୍ତ ମାଧୋ ସିଂ ଇଂରେଜ ମାନଙ୍କ ସହିତ ଲଢେଇ ଜାରି ରଖିଥିଲେ ଓ ଶେଷରେ ଇଂରେଜମାନେ ମାଧୋ ସିଂଙ୍କୁ ବିଶ୍ରାମ ନେଇଥିବା ସମୟରେ ମାଟିଆଭଟା ଗ୍ରାମରୁ ଗିରଫ କରିଥିଲେ । ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ସମ୍ବଲପୁର ଜେଲରେ ବୃଦ୍ଧ ବୟସରେ ମଧ୍ୟ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା ।
ବୀରତା ଦିବସ ପାଳିତ:
ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ସହିଦ ହୋଇଥିବା ଘଟଣା ସମଗ୍ର ଇତିହାସରେ ବିରଳ ହୋଇଥିବା ବେଳେ ଏହି ସହିଦ ମାନଙ୍କର ସ୍ମୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ୧୯୯୭ ମସିହାରେ ଡ଼ିସେମ୍ବର ୩୧ ତାରିଖକୁ ରାଜ୍ୟସ୍ତରୀୟ ବିରତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଘେଂସରେ ଜିଲ୍ଲାସ୍ତରୀୟ ବିରତା ଦିବସ ପାଳିତ ହୋଇଥାଏ । ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେ କିନ୍ତୁ ଧିରେ ଧିରେ ଏହି ବୀର ପୁରୁଷ ମାନଙ୍କର ବୀରଗାଥା ଲୋକ ନୟନରୁ ଲିଭିବାକୁ ବସିଛି ।
ନୂତନ ପିଢିର ଯୁବକ-ଯୁବତୀ ଏହି ଶହୀଦ ବୀର ମାନଙ୍କର ବଳିଦାନ ବିଷୟରେ ଅନଭିଜ୍ଞ ହୋଇ ରହିଛନ୍ତି ।ଏହିସହିଦ ମାନଙ୍କ ନାମରେ ରାଜଧାନୀରେ କୌଣସି ଛକ କିମ୍ବା ମାର୍ଗକୁ ନାମିତ କରାଯାଇନଥିବା ବେଳେ କୌଣସି ପାଠ୍ୟ ପୁସ୍ତକ ମାନଙ୍କରେ ମଧ୍ୟ ଏହି ବୀର ପୁରୁଷ ମାନଙ୍କ ବୀରତ୍ବ ଉପରେ ଉଲ୍ଲେଖ କରାଯାଇନାହିଁ । ଯାହାଫଳରେ ରାଜଧାନୀରେ ନେତାମନ୍ତ୍ରୀଙ୍କୁ ମଧ୍ୟ ଜଣାନାହିଁ ଯେ ଦେଶ ସ୍ଵାଧୀନ ପାଇଁ ଗୋଟେ ପରିବାରର ସମସ୍ତେ ନିଜ ଜୀବନକୁ ଜଳାଞ୍ଜଳି ଦେଲାପରି ପରିବାର ଓଡିଶା ମାଟିରେ ରହିଛନ୍ତି ।
ପୁନରୁଦ୍ଧାର ହୋଇଛି ଘେଂସ ଜମିଦାର ଘର:
ବରଗଡର କିଛି ବୁଦ୍ଧିଜୀବୀଙ୍କ ପ୍ରୟାଶ କ୍ରମେ ବରଗଡ ସ୍ଥିତ ହଳଦୀପାଳି ଛକକୁ ବୀର ଛକ ନାମରେ ନାମିତ କରାଯାଇଛି । ସେଠାରେ ସହିଦ ବୀର ଘେଂସ ଜମିଦାର ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ରଙ୍କ ସ୍ମୃତିରେ ଏକ ସହିଦସ୍ତମ୍ଭ ସ୍ଥାପନା କରାଯାଇଛି । ପ୍ରତି ବର୍ଷ 31 ଡିସେମ୍ବରରେ ଏହି ସ୍ଥାନରେ ସହିଦ ବୀର ପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । 15 ଅଗଷ୍ଟ ସ୍ଵାଧୀନତା ଦିବସରେ ମଧ୍ୟ ଏହି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସହିଦ ମାନଙ୍କୁ ସମ୍ମାନ ଦିଆଯାଇଥାଏ ।୧୯୯୭ ମସିହା ଠାରୁ ଏହି ଶହୀଦ ପରିବାରଙ୍କ ଦୟନୀୟ ଅବସ୍ଥା ରାଜ୍ୟ ସରକାରଙ୍କ ନଜରରେ ଆସିଥିଲେ ମଧ୍ୟ ଅବହେଳିତ ହୋଇ ପଡିରହିଥିଲା ଘେଂସ ଜମିଦାରଙ୍କ ବହୁ ପୁରୁଣା ବାସଭବନ । ରକ୍ଷଣା ବେକ୍ଷଣ ଅଭାବ ହେତୁ ଭଗ୍ନ ଅବସ୍ଥାରେ ହଜିବାକୁ ବସିଥିଲା ଘେଂସ ଜମିଦାର ମାଧୋ ସିଂଙ୍କ ଘର । ହେଲେ ଗତ କିଛି ବର୍ଷ ହେଲା ସଂସ୍କୃତି ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଇଛି । ପୂର୍ବରୁ ଯେପରି ଘେଂସ ଜମିଦାରଙ୍କ ବାସଭବନ ରହିଥିଲା ।
ଶହୀଦ ମାଧୋ ସିଂଙ୍କ ବୀରତ୍ବ ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ:
ମାଆ ମାତୃଭୂମି ପାଇଁ ଜୀବନକୁ ଜଳାଞ୍ଜଳି ଦେବାର ପ୍ରେରଣା ସାଜିଛି ଏବେ ଏହି ସ୍ଥାନ, ହେଲେ ଏହି ବୀର ପୁରୁଷ ମାନଙ୍କର ବୀରତ୍ଵ କାହାଣୀ ଏବେ ହଜିଯାଇଛି ଇତିହାସ ପୃଷ୍ଠା ଭିତରେ । କୌଣସି ପାଠ୍ୟ ପୁସ୍ତକ ମାନଙ୍କରେ ମଧ୍ୟ ଏହି ବିଷୟରେ ବର୍ଣ୍ଣିତ ହୋଇନଥିବାରୁ ଆଗାମୀ ପୀଢିର ଛାତ୍ରଛାତ୍ରୀ ମାନେ ଜାଣିପାରୁନାହାନ୍ତି । ଏନେଇ ବରଗଡ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ବରଗଡ଼