ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସମଗ୍ର ଓଡି଼ଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ପ୍ରଚଣ୍ଡ ତାତିରେ ସିଝୁଛି କଳାହାଣ୍ଡି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ସହରର ତାପମାତ୍ରା ଏବେ 40 ଡିଗ୍ରୀରୁ ଅଧିକ ରହୁଥିବାବେଳେ ସତେ ଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେ ହେଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା କଳାହାଣ୍ଡିରେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଲସି, ସରବତ ଓ ଆମ୍ବ ରସ ଦୋକାନରେ ଭିଡ଼ ଜମୁଛି । ଥଣ୍ଡା ପାନୀୟର ଚାହିଦା ବଢିଥିବାବେଳେ ଲସି କିମ୍ବା ସରବତ ପିଇ ଆଶ୍ବସ୍ତ ଅନୁଭବ କରୁଛନ୍ତି ଲୋକେ ।
ଅପରପକ୍ଷେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ଜିଲ୍ଲାବାସୀ । ତାପମାତ୍ରାର ଅହେତୁକ ବୃଦ୍ଧି ସହ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ହେଲେ ପ୍ରବଳ ଗରମ ଆରମ୍ଭ ହୋଇଯାଉଥିବାରୁ ଲୋକଙ୍କ ଚିନ୍ତା ବଢିଯାଉଛି । ଦିନ ୧୦ ଟାରୁ ୬ ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଗତ ସପ୍ତାହେ ଧରି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋକେ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତର ମୁକାବିଲା ପାଇଁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ । ଏଭଳି ଗରମ ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ବନାଗ୍ନି ତଥା ବିଭିନ୍ନ ଜମିରେ ଲାଗିଥିବା ନିଆଁ ଚିନ୍ତା ବଢାଉଛି । ଏହାଛଡା ଜିଲ୍ଲାର ଅନେକ ଅଞ୍ଚଳରେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖିଯିବା କାରଣରୁ ଗୃହପାଳିତ ପଶୁପକ୍ଷୀ ଓ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି । ତେବେ ଆଗକୁ କାଳବୈଶାଖୀ ଥିବାରୁ ତାତିରୁ ଜିଲ୍ଲାବାସୀଙ୍କୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, କଳାହାଣ୍ଡି