କଟକ: ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ (Bone Marrow) ଘଟଣା । ସଫଳ ଅସ୍ତ୍ରୋପଚାର ପରେ ବି ପ୍ରାଣ ହରାଇଥିଲେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ । ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା । ତେବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ଶୁଭ୍ରାଂଶୁଙ୍କ ପରିବାର ।
ପୁଅ ଶୁଭ୍ରାଂଶୁଙ୍କ ଚିକିତ୍ସାରେ ଗୁରୁତର ଅବହେଳା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଏହାସହ ମୃତ୍ୟୁ ବାବଦରେ ମିଥ୍ୟା ସୂଚନା ଦେବା ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର । ଏନେଇ କଟକ ମଙ୍ଗଳାବାଗ ଥାନାରେ ଏସସିବି କର୍ତ୍ତୃପକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭ୍ରାଂଶୁଙ୍କ ବାପା । ଅଭିଯୋଗ ଅନୁସାରେ, ଶୁଭ୍ରାଂଶୁ ସାହୁ ଗତ 18 ତାରିଖ ସକାଳ ସମୟରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁବରଣ କରିଥିଲେ ।
ଶୁଭ୍ରାଂଶୁଙ୍କ ବାପା ସନାତନ କହିଛନ୍ତି, "ହାପଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଗତ ୯ ତାରିଖରେ କରାଯାଇଥିଲା । ଶୁଭ୍ରାଂଶୁର ସାନ ଭାଇଙ୍କ ଷ୍ଟେମ୍ ଆଣି ପ୍ରତିରୋପଣ କରାଯାଇଥିଲା । ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନ ଭାଇଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା । ଆମେ ସେଠାରେ ଉପସ୍ଥିତ ଥିଲୁ । ସେ ବେଡ୍ ତଳକୁ ବି ଓହ୍ଲାଇନଥିଲା । ବାଥରୁମରେ ପଡି ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲୁ । ମୋ ପୁଅକୁ ବଳି ପକାଇଦେଲା ମେଡିକାଲ । ପରୀକ୍ଷାମୂଳକ ଭାବରେ ଅପରେସନ କରାଯାଇଥିବାରୁ ତା'ର ଜୀବନ ଯାଇଛି । ଏହି ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି । " ଅନ୍ୟପଟେ ଏହି ଘଟଣାକୁ ନେଇ ଏସସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୟା ମିଳିପାରିନାହିଁ।
ଏହା ବି ପଢନ୍ତୁ...ଏସସିବିରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ରୋଗୀଙ୍କ ମୃତ
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା କଣ୍ଟାମାଳିମ ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ 2019ରୁ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଏହାପରେ ଏସସିବିରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ 2022 ମସିହାରେ ପୁଣିଥରେ ଅସୁସ୍ଥ ହୋଇଥିଲେ । ତେବେ କର୍କଟ ରୋଗ ତୃତୀୟ ଷ୍ଟେଜ ରହିଥିବା ବେଳେ କେମୋ ଥେରୋପି ଶେଷ ହୋଇଥିଲା, ତେଣୁ ପରିବାର ଭଗବାନଙ୍କ ଭରସାରେ ପୁଅକୁ ଛାଡି ଦେଇଥିଲେ । କିନ୍ତୁ ଏସସିବି ମେଡିକାଲରେ ଅସ୍ଥିମଜା ପ୍ରତିରୋପଣର (ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ) ସଫଳ ଅପରେସନ ପରେ ଏକ ନୂଆ ଜୀବନ ପାଇଥିଲେ ଶୁଭ୍ରାଂଶୁ ସବ୍ୟସାଚୀ ସାହୁ । ହେଲେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ।
ଇଟିଭି ଭାରତ, କଟକ