ଭୁବନେଶ୍ବର: ଭିନ୍ନକ୍ଷମଙ୍କୁ ମିଳିବ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ । ବିଭିନ୍ନ କେନ୍ଦ୍ର ଓ ଭ୍ରାମ୍ୟମାଣ ଶିବିର ଜରିଆରେ ଜାରି ରହିବ ବିତରଣ । ରାଜ୍ୟରେ ପ୍ରାୟ ୪ ଲକ୍ଷ ଭିନ୍ନକ୍ଷମଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହ ଅନ୍ୟାନ୍ୟ ସହାୟକ ସରଞ୍ଜାମ ଯୋଗାଇ ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।
ୟୁନିଟ-୬ ସ୍ଥିତ ବିଏମସି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଛି ଏକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଜୟପୁର ସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଶାଖା ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଖୋର୍ଦ୍ଧାରେ କାର୍ଯ୍ୟ କରୁଛି । ଏହି ସଂସ୍ଥା ସାରା ରାଜ୍ୟରେ ବିଭିନ୍ନ କେନ୍ଦ୍ର ତଥା ଭ୍ରାମ୍ୟମାଣ ଶିବିର ଜରିଆରେ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ଯୋଗାଇ ଦେବ । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ ସପ୍ତାହର କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୭୨ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ, ୫ ହ୍ୱିଲଚେୟାର, ୨ ଟ୍ରାଇ-ସାଇକେଲ, ୫ ହଳ ସହାୟକ ଆଶାବାଡ଼ି ଏବଂ ୨ ଏଲବୋ କ୍ରଚ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ ପୁନର୍ବାସ କ୍ଷେତ୍ରରେ ମିଳିବ ସାମଗ୍ରିକ ଚିକିତ୍ସା ସୁବିଧା
କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଭୁବନେଶ୍ୱର ଡେପୁଟି ମେୟର ମଞ୍ଜୁଲତା କହଁର, ଡାକ୍ତର ଶୀତିକଣ୍ଠ ଦାସ ଯୋଗ ଦେଇଥିଲେ । ଏହା ବ୍ୟତୀତ ଅତିରିକ୍ତ ପୋଲିସ ଡିଜି ଅରୁଣ ବୋଥ୍ରୋଙ୍କ ସମେତ ୩୨୬୨ ଜିଲ୍ଲା ରୋଟାରୀ ସଂଗଠନର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ଏନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ମିଳିତ ଭାବେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ୨୮ରୁ ଅଧିକ ଭ୍ରାମ୍ୟମାଣ ଶିବିର ଆୟୋଜନ କରିଛି । ସହାୟକ ଉପକରଣ ବିତରଣ କରିସାରିଛନ୍ତି । ପୂର୍ବରୁ ଅନୁଷ୍ଠିତ ଏହି ଶିବିରଗୁଡ଼ିକ ମାଧ୍ୟମରେ ୫୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁରୂପ ଭାବରେ କୃତ୍ରିମ ଉପକରଣ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର