ଭୁବନେଶ୍ୱର: ବଢିଲା ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି । ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଆଉ ତିନି ଦିନ ସମୟ ବଢାଇଲେ ରାଜ୍ୟ ସରକାର । ଡିସେମ୍ବର 29 ସୁଦ୍ଧା ସମସ୍ତ ପ୍ରଭାବିତ ଚାଷୀଙ୍କୁ ପଞ୍ଜୀକୃତ ହେବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ସରକାର । ପରେ ଏହି ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲା । ଏବେ ଜାନୁଆରୀ ୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି ।
- ଜାନୁଆରୀ ପହିଲା ମଧ୍ୟରାତ୍ରି ପର୍ଯ୍ୟନ୍ତ ପଞ୍ଜୀକରଣ
ଅଦିନିଆ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ କେନ୍ଦ୍ର ସରକାର ବଢ଼ାଇଲେ ସହଯୋଗର ହାତ। ବୀମାଭୁକ୍ତ ଚାଷୀମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଆଉ ତିନି ଦିନ ସମୟ ଅବଧି ବଢାଇଲେ କେନ୍ଦ୍ର ସରକାର । ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ । ସେପଟେ ଚାଷୀଙ୍କ ଦୁର୍ଦ୍ଦଶା ସମୟରେ ସହାୟତାର ହାତ ବଢାଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି ।
- ଅବଧି ବଢାଇଲେ କେନ୍ଦ୍ର ସରକାର
ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଡିସେମ୍ବର ୨୯ ଥିଲା ଶେଷ ତାରିଖ । ଏହି ଅବଧି ବଢାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା । ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି । ଚାଷୀମାନେ ବର୍ତ୍ତମାନ ୨୦୨୫ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ । ଓଡିଶାର ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ... ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିବୁ : ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସବୁ ଚାଷୀଙ୍କୁ କ୍ଷତିପୂରଣ, କେହି ରହିବେନି ଅବହେଳିତ: ଉପମୁଖ୍ୟମନ୍ତ୍ରୀ |
ସୂଚନା ଥାଉ କି ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ଚାଷ ଉଜୁଡି ଯାଇଛି । ଉଜୁଡା ଧାନକୁ ଖଳାକୁ ଆଣିବାକୁ ଚାଷୀ ପ୍ରୟାସ କରୁଛି । ସେପଟେ ଜିଲ୍ଲା ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀ ।
ଭୁବନେଶ୍ୱର, ଇଟିଭି ଭାରତ