ବ୍ରହ୍ମପୁର: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜାରି ରଖିଛି ଆନ୍ଦୋଳନ । ଗୁରୁବାର ଦିଲ୍ଲୀରେ କିଷାନ ମହାପଞ୍ଚାୟତ ବସିଥିଲା । ଏହି ଅବସରରେ ବ୍ରହ୍ମପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ମୋଦି ସରକାରର କୃଷକ ବିରୋଧି ନୀତି ବିରୁଦ୍ଧରେ ଦକ୍ଷିଣାଞ୍ଚଳ ଜିଲ୍ଲା ମାନଙ୍କର କୃଷକ ମାନଙ୍କ ଏହି ସମାବେଶରେ ସାମିଲ ହୋଇଥିଲେ ।
ସମାବେଶରେ ଅତିଥି ଭାବରେ ଅଖିଳ ଭାରତ କୃଷକ ସଭାର ଉପ ସଭାପତି ଆଶିଷ କାନୁନଗୋ, ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ କୃଷକ ସଭାର ବରିଷ୍ଠ ନେତା ଜଗନ୍ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମୋଦି ସରକାରର କୃଷକ ବିରୋଧି ନୀତି, କୃଷକମାନଙ୍କ ପ୍ରତି କରିଥିବା ପ୍ରତାରଣା ଏବଂ ସର୍ବୋପରି କୃଷକମାନଙ୍କ ଆନ୍ଦୋଳନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ଉପସ୍ଥିତ ଅତିଥି । ଦେଶରେ କମ୍ପାନୀ ମାନେ ନିଜର ଉତ୍ପାଦିତ ସାମଗ୍ରୀର ଦର ଧାର୍ଯ୍ୟ କରୁଥିବା ବେଳେ କୃଷକମାନେ କାହିଁକି ନିଜର ଉତ୍ପାଦିତ ଫସଲର ଦର ପାଇବେନି ସେ ନେଇ ପ୍ରଶ୍ନ କରିଥିଲେ । କୃଷକ ମାନଙ୍କ ଆୟକୁ ପାଞ୍ଚ ବର୍ଷ ମଧ୍ୟରେ ଦୁଇଗୁଣ କରିବାକୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାରର ଅମଳରେ ଆୟ ତ ଦୁଇ ଗୁଣ ହେଲାନି କିନ୍ତୁ ଋଣଗ୍ରସ୍ଥ ହୋଇ ଲକ୍ଷେରୁ ଅଧିକ କୃଷକ ଆତ୍ମହତ୍ୟା କଲେ ବୋଲି ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି
ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏସର ନେତା ଶ୍ରୀହର୍ଷ ରଥ,ଏଆଇକେଏମଏସ୍ ରାଜ୍ୟ କମିଟି ସଭ୍ୟ କେଦାର ଶବର, କୃଷକ ସଭାର ବରିଷ୍ଠ ନେତା କୈଳାଶ ଷଡ଼ଙ୍ଗୀ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କେନ୍ଦ୍ର ସରକାର କୃଷକଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନକରି ଓଲଟି ସେମାନଙ୍କ ଉପରେ ଦମନ ଓ ଉତ୍ପୀଡନ ଚଳାଇଛନ୍ତି ବୋଲି କହିଥିଲେ । ମାନବିକ ଅଧିକାର ସଂଗଠନର ଅବନୀ କୁମାର ଗୟା, କୃଷକ ନେତା କାଳୁଚରଣ ନାୟକ, ଟୁନା ମଳିକ, ଦଣ୍ଡପାଣି ରଇତ, ଅଜୟ ଗୌଡ଼, ବିଭୁ ପାଣିଗ୍ରାହୀ, ଅର୍ଜୁନ ଶବର, ସରପଞ୍ଚ ବୈରାଗୀ ବେହେରା, ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ସମାବେଶକୁ ସଫଳ କରିଥିଲେ । ସମାବେଶ ଆୟୋଜନ ପୂର୍ବରୁ ସହରର ଟାଟାବେଞ୍ଜ ଛକ ନିକଟସ୍ଥ ଗଣେଶ ମନ୍ଦିର ଠାରୁ ବିଭିନ୍ନ ସ୍ଥାନରୁ ଆସିଥିବା କୃଷକ ଏକ ବିଶାଳ ପଟୁଆରରେ ବାହାରି କମାପଲ୍ଲୀ ଛକ ଦେଇ ଆରଡିସି କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର