ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ‘ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ ଅବସରରେ ଓଡ଼ିଶା ଆସିଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ମଧ୍ୟାହ୍ନରେ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ବାଗତ କରାଯାଇଥିଲା । ଦର୍ଶନ ବେଳେ କୌଳିକ ପଣ୍ଡା ମଧ୍ୟ ସାଙ୍ଗରେ ଥିଲେ । ମନ୍ଦିରର ନୀତିକାନ୍ତି ସମ୍ପର୍କରେ କୌଳିକ ପଣ୍ଡା ଜୟଶଙ୍କରଙ୍କୁ ଅବଗତ କରିଥିଲେ ।
ମହାପ୍ରଭୁଙ୍କ ଦର୍ଶନ କଲେ ବୈଦେଶିକ ମନ୍ତ୍ରୀ:
ଏହି ଅବସରରେ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ବୁଲି ଦେଖିଛନ୍ତି । ଦିନ ୧୨ଟା ସମୟରେ ଜୟଶଙ୍କର ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।
ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ:
ଶ୍ରୀମନ୍ଦିର ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି," ରତ୍ନସିଂହାସନର ଭିତରକାଠ ନିକଟରେ ଜୟଶଙ୍କର ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଳତି କରିଥିଲେ । କେବଳ ସେତିକି ନୁହେଁ, ସେ ଶ୍ରୀମନ୍ଦିରର ନୀତିକାନ୍ତି ସହ ମହାପ୍ରଭୁଙ୍କ ପରମ୍ପରା ବିଷୟରେ ସେବାୟତଙ୍କଠାରୁ ପଚାରି ବୁଝିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଖୁବ ଆନନ୍ଦିତ ହୋଇଥିଲେ । ପରେ ସେ ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରି ଫେରିଥିଲେ । ଶ୍ରୀମନ୍ଦିରରୁ ଫେରିବା ବାଟରେ ବାଇଶି ପାହାଚରେ ପୁରୀ ଜିଲ୍ଲାପାଳ ବୈଦେଶିକ ମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।"
'ମହାପ୍ରଭୁଙ୍କ ଦର୍ଶନ ମିଳିବା ବଡ଼ ସୋଭାଗ୍ୟର ବିଷୟ'
ଦର୍ଶନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜୟଶଙ୍କର କହିଛନ୍ତି," ମହାପ୍ରଭୁଙ୍କ ଦର୍ଶନ ମିଳିବା ବଡ଼ ସୋଭାଗ୍ୟର ବିଷୟ । ତାଙ୍କରି ଆଶୀର୍ବାଦ ନେଇ ‘ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ ଆୟୋଜନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଓଡ଼ିଶା ସରକାର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ କାର୍ଯ୍ୟକ୍ରମ ନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବହୁ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାଦ୍ବାରା ଓଡିଶା, ସାରା ବିଶ୍ବରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ କରିବ । ଏହାଦ୍ବାରା ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୈତିକ କ୍ଷେତ୍ରରେ ବେଶ୍ ଅଭିବୃଦ୍ଧି ଘଟିବ ।"
- ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତ ପୁରୀ
ସେପଟେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର, ରଘୁରାଜପୁର, କୋଣାର୍କ ଓ ସାତପଡ଼ା ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ପ୍ରବାସୀ ଭାରତୀୟମାନେ ଭ୍ରମଣ କରିବାର ବ୍ୟବସ୍ଥା ହୋଇଛି । ପ୍ରବାସୀ ଭାରତୀୟମାନେ କିଭଳି ଏକ ଭଲ ଅନୁଭୂତି ନେଇ ଫେରିବେ ଓ ଓଡ଼ିଶାର କଳା ସଂସ୍କୃତି ବିଷୟରେ ଅଧିକ ଜାଣି ପାରିବେ ସେ ଦିଗରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରବାସୀ ଭାରତୀୟଙ୍କ ଆଗମନ ପାଇଁ ଶ୍ରୀମନ୍ଦିର ସମେତ ପୁରୀର ବିଭିନ୍ନ ଦର୍ଶନୀୟ ସ୍ଥାନଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଇଟିଭି ଭାରତ, ପୁରୀ