ଭୁବନେଶ୍ବର: ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ନେଇ ଆସିଛି ଖୁସି ଖବର । ଏଣିକି ବଢିବ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା । ସମ୍ପ୍ରସାରଣ ହେବ ରାଉରକେଲା ଷ୍ଟିଲ ପ୍ଲାଣ୍ଟ । ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନରୁ ବୃଦ୍ଧି ପାଇ ଏହା ୯ ମିଲିୟନ ଟନ ହେବ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପୌଣ୍ଡ୍ରିକ ଭେଟିବା ପରେ ଏହି ଖବର ସାମ୍ନାକୁ ଆସିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି କେନ୍ଦ୍ର ଇସ୍ପାତ ସଚିବ ସନ୍ଦିପ ପୌଣ୍ଡ୍ରିକ । ଲୋକସେବା ଭବନରେ ଅନୁଷ୍ଠିତ ଭେଟଘାଟରେ ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇଛନ୍ତି ଯେ, "ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ ୪.୫ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି କରାଯିବ ।" ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁୃତି ଦେଇଛନ୍ତି ।

ଉତ୍ତମ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ:
ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଉରକେଲାର ଆଇଜିଏଚ ହସ୍ପିଟାଲ ଏବଂ ଅନ୍ୟ ଖଣି ଅଞ୍ଚଳରେ ବିଭିନ୍ନ ବିଭାଗୀୟ PSU ଦ୍ବାରା ପରିଚାଳିତ ହେଉଥିବା ହସ୍ପିଟାଲ ଗୁଡିକରେ ଅଧିକ ଉନ୍ନତି ଅଣାଯିବା ଆବଶ୍ୟକ । ଏହାଦ୍ବାରା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ବିଭିନ୍ନ PSU ସଂସ୍ଥା SAIL, OMDC ଆଦି ସଂସ୍ଥା ପକ୍ଷରୁ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ବ ପାଣ୍ଠି ସହାୟତାରେ ଓଡିଶାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ଆବଶ୍ୟକ ।"

ଏହା ବି ପଢନ୍ତୁ...Bonda Boy: NEET ପାସ୍ ମଙ୍ଗଳାଙ୍କୁ ଲାପଟପ୍ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, MBBS ପଢ଼ା ଖର୍ଚ୍ଚ ବହନ କରିବେ ସରକାର - Odisha CM FELICITATES MANGALA
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏବଂ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ । ଆଲୋଚନାରେ SAIL, NMDC ଓ ଇସ୍ପାତ ବିଭାଗ ଅଧୀନସ୍ଥ ଅନ୍ୟାନ୍ୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ JSPLଅଧ୍ୟକ୍ଷ ନବୀନ ଜିନ୍ଦଲ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ । ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଛି । ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ । ଆମ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ପ୍ରତିଭା ଅଛନ୍ତି । ସେମାନଙ୍କ ପ୍ରତିଭାର ଉନ୍ମେଷ ନିମନ୍ତେ କମ୍ପାନୀ ପକ୍ଷରୁ ଅନୁଗୋଳରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର