ଭୁବନେଶ୍ବର: ବ୍ୟାପକ ହେବ ରାଜ୍ୟରେ ନିଶା ମୁକ୍ତି ସଚେତନତା ଅଭିଯାନ । ଏହି ଉଦ୍ଦେଶ୍ୟ ସାଧନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସ୍ଵେଚ୍ଛାସେବୀ ସଂଗଠନର ସହଯୋଗ ନେବ । ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା ଅଭିଯାନକୁ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ ବିଭାଗକୁ ୧୯ଟି ସଂଗଠନ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି । ଏହି ମର୍ମରେ ସଂଗଠନଗୁଡ଼ିକ ସହିତ ବିଭାଗ ପକ୍ଷରୁ ଅଣ-ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନରେ ଆଜି ଅନୁଷ୍ଠିତ ହୋଇଛି ଏକ ବୈଠକ । ବୈଠକରେ ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ମିଳିତ ହୋଇ ସମନ୍ବିତ ଓ ସାମୂହିକ ସହଯୋଗ କ୍ରମେ ନିଶାମୁକ୍ତି ସଚେତନତା ଅଭିଯାନକୁ ସଶକ୍ତ କରିବା ପାଇଁ ବିସ୍ତୃତ ଆଲୋଚନା କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ବିଭିନ୍ନ ସଂଗଠନ ସହିତ ମିଳିତ ଭାବରେ ନିଶାମୁକ୍ତି ପାଇଁ ବିଭାଗ କାର୍ଯ୍ୟ କରିବ । ଏଥି ପାଇଁ ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ, ନୈତିକ ଶିକ୍ଷା, ଆରୋଗ୍ୟ କେନ୍ଦ୍ର ପରିଚାଳନା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସେ ନିଶାମୁକ୍ତି ସଚେତନତା ଅଭିଯାନ ଓ ଏହାର ସୁଫଳ ପ୍ରସଙ୍ଗ ଆଧାରିତ ଏକ ଅନଲାଇନ ନ୍ୟୁଜଲେଟର ପ୍ରକାଶନ କରିଛନ୍ତି । ଏହା ସାଙ୍ଗକୁ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହିତ ଅଣ-ଆର୍ଥିକ ବୁଝାମଣା ସ୍ଵାକ୍ଷର କରିଥିବା ସଂଗଠନ ଗୁଡ଼ିକ ହେଲେ ଜାତୀୟ ସେବା ସଂସ୍ଥା, ଚାଇଲ୍ଡ ଆଣ୍ଡ ୱିମେନ ଡେଭଲପମେଣ୍ଟ ସୋସାଇଟି, ଆର୍ଟ ଅଫ ଲିଭିଂ, ଈଶା ଫାଉଣ୍ଡେସନ, ରୋଟାରୀ କ୍ଲବ, ସୋସାଇଟି ଫର ଚିଲଡ୍ରେନ ବା ସୋଚ, ରାମକୃଷ୍ଣ ମିଶନ, ସଲାମ ଜୀବନ, ନ୍ୟୁ ଲାଇଫ ୱେଲନେସ ଟ୍ରଷ୍ଟ, ଗୋପବନ୍ଧୁ ସେବା ପରିଷଦ, ନାଚୁରାଲ ଇନଷ୍ଟିଚ୍ୟୁଟ ଫର ସୋସିଆଲ ୱେଲ୍ଫେୟାର, ସତସଙ୍ଗ ବିହାର, ସତ୍ୟସାଇ ସେବା ସଂଗଠନ, ନିଶ୍ଵାସ, ବିବେକାନନ୍ଦ କେନ୍ଦ୍ର, ବିକଳ୍ପ, ଜିତା ସଂଗଠନ, ୟୁଥ ଫର ଭଲୁଣ୍ଟାରୀ ୱାର୍କ ଓ ପୁଣ୍ୟ ଆଶ୍ରମ ।
ତେବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ସମସ୍ତ ବୁଝାମଣା ପତ୍ରରେ ବିଭାଗ ପକ୍ଷରୁ ସ୍ଵାକ୍ଷର କରିଛନ୍ତି । ସ୍ଵତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଓ ଦୀପକ ରାଉତରାୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର