ନିଆଳି: ତିନି ବର୍ଷ ତଳେ କଳ୍ପନା କରାଯାଇଥିଲା ବସୁଧା ଯୋଜନାରେ ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ । ଏଥିପାଇଁ ଖର୍ଚ୍ଚ ହେଲା ୧ କୋଟି ୫୯ ଲକ୍ଷ ୯୯ ହଜାର ଟଙ୍କା । ଓଭର ହେଡ୍ ଟାଙ୍କି ନିର୍ମାଣ ହେଲା ପାଇପ ଲାଇନ୍ ମଧ୍ୟ ବିଛା ହୋଇଛି ଟ୍ୟାପ୍ ବି ଲାଗିଲା ହେଲେ ଫଳ ଶୂନ । ବାସ୍ତବ କ୍ଷେତ୍ରରେ ଲୋକଙ୍କ ସୁବିଧା କେତେ ସାଧିତ ହୋଇଛି,ତାହା ସ୍ଥାନୀୟ ଲୋକମାନଙ୍କ ଅଭିଯୋଗରୁ ସ୍ପଷ୍ଟ ବାରି ହୋଇପଡୁଛି । ଏଭଳି ଏକ ଅଭିଯୋଗ ଆସିଛି ନିଆଳିର ପୋଖରୀ ଗାଁ ପଞ୍ଚାୟତ ଅଞ୍ଚଳରୁ ।
ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତ ପୂର୍ବ ପୋଖରୀ ଗାଁ ନିକଟରେ ୨୦୦୦ ମସିହାରେ ବସୁଧା ଯୋଜନାରେ ନିର୍ମିତ ହୋଇଛି ବସୁଧା ଓଭରହେଡ ଟାଙ୍କି ଏବଂ ଟାଙ୍କିର ସୁରକ୍ଷା ପାଇଁ ପାଚେରୀ ମଧ୍ୟ ନିର୍ମାଣ ହୋଇଛି । ଗାଁକୁ ଗାଁ ପାଇପ୍ ଲାଇନ୍ ବିଛା ଯାଇଛି ଏବଂ ଟ୍ୟାପ ନିର୍ମାଣ ସରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ ପାଇ ପାରୁନାହାନ୍ତି ବିଶୁଦ୍ଧ ପାନୀୟ ଜଳ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରବଳ ଖରା ସାଙ୍ଗକୁ ଜଳ ସଙ୍କଟ ଦେଖା ଦେଇଛି ପୋଖରୀ ଗାଁ ଅଞ୍ଚଳରେ । ଗଡିଆ, ପୋଖରୀ ଓ ନାଳ ଶୁଖିଲା ପଡ଼ିଛି । ପଶୁ ପକ୍ଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଏବେ ପାଣି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଓଭରହେଡ ଟାଙ୍କିରେ ଫାଟ ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ପାଚେରୀ ମଧ୍ୟ ଫାଠି ଆଁ କରିଛି । ନିର୍ମାଣ ହୋଇଥିବା ଟ୍ୟାପ୍ ମଧ୍ୟ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି ।
ପୋଖରୀ ଗାଁ ପଞ୍ଚାୟତର ପୋଖରୀ ଗାଁ ପୂର୍ବ ଦେଉଳି ଢିଅ, ମଠସାହି, ବିଲ ସାହି, ଗଣ୍ତକୂଳ, ବାଲିକୁଦ, ରାଣୀପଡା, ପୋଖରୀ ଗାଁ, ଭୋଇ ସାହି ଆଦି ଅଞ୍ଚଳର ୪୦୦୦ ହଜାର ଊର୍ଦ୍ଧ୍ବ ଲୋକଙ୍କ ପାଇଁ ପୂର୍ବ ପୋଖରୀ ଗାଁ ନିକଟରେ ବସୁଧା ଯୋଜନାରେ ନିର୍ମିତ ହୋଇଥିଲା ଏହି ଓଭରହେଡ ଟାଙ୍କି । କିନ୍ତୁ ଏହି ସବୁ ଗାଁର ଲୋକେ ବସୁଧା ଯୋଜନାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ତେବେ କାହା ସ୍ୱାର୍ଥରେ ଓ କାହିଁକି ପୋଖରୀ ଗାଁରେ ବସୁଧା ଯୋଜନାରେ ନିର୍ମିତ ହୋଇଛି ଓଭରହେଡ ଟାଙ୍କି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏହି ଜଳ ସମସ୍ୟାର ତୁରନ୍ତ ସମାଧାନ ନ କରାଗଲେ ଗ୍ରାମବାସୀ ଆଇନର ଆଶ୍ରୟ ନେବା ପାଇଁ ଚେତାବନୀ ଦେଇଛନ୍ତି ଲୋକେ । ସେପଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ କହିଛନ୍ତି ଯେ, ବିଡ଼ିଓଙ୍କ ସହ କଥା ହୋଇ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ।
ଇଟିଭି ଭାରତ,ନିଆଳି