ନିଆଳି: ଗାଁ ରୁ ସହର ସବୁଠି ଦୋଳ ପାଇଁ ଉତ୍ସବର ମାହୋଲ । ଉତ୍କଳ ପରମ୍ପରାର ଅନ୍ଯତମ ନିଦର୍ଶନ ଦୋଳ ପୂର୍ଣ୍ଣିମା। ବିଶେଷ କରି ଗୋପାଳ ସମ୍ପ୍ରଦାୟର ବଡ଼ ପର୍ବ ହେଉଛି ଦୋଳ ଉତ୍ସବ। ପରମ୍ପରା ଅନୁଯାୟୀ, ଅଗ୍ନି ଉତ୍ସବଠାରୁ ଦୋଳ ପୂର୍ଣ୍ଣମା ପର୍ଯ୍ୟନ୍ତ ସେମାନେ ଏକ ମାସ ଧରି ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ବସାଇ କାନ୍ଧରେ ବୋହି ଗାଁକୁ ଗାଁ ପରିକ୍ରମା କରାଇବା ସହିତ ଭୋଗ ଖୁଆଇଥାନ୍ତି । ପୂର୍ଣ୍ଣିମା ଦିନ ଗୋପାଳ ପରିବାର ପକ୍ଷରୁ ଗୋଠରେ ଦୋଳ ବିମାନ ବସାଇ ପୂଜାର୍ଚ୍ଚନା କରିବା ସହିତ ଗୋମାତାମାନଙ୍କୁ ପୂଜା କରିଥାନ୍ତି। ଏହାସହ ହାଣ୍ଡୁଳା ଉଠାଯିବା ସହ ବଳି ଦିଆଯିବାର ପରମ୍ପରା ରହିଛି ।
ପୋଖରୀଗାଁ ପଞ୍ଚାୟତ ରାଣୀପଡାରେ ଦୋଳ ଉତ୍ସବ ପାଳିତ ହୋଇଛି । ୫୧ ବିମାନକୁ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅଗ୍ନି ଉତ୍ସବରୁ ସଂଯୋଗ ହୋଇଥିବା ଅଗ୍ନିର ଦୋଳ ପୂର୍ଣ୍ଣମାରେ ପୂର୍ଣ୍ଣାହୁତି କରାଯାଏ । ଯାହାକି ଏଠାକାର ମୁଖ୍ୟ ଆକର୍ଷଣ । ଏକ ମାଟି ହାଣ୍ଡିରେ ଘିଅ, କ୍ଷୀର, ଚାଉଳ ପ୍ରସ୍ତୁତି କରାଯାଇ ପୂଜାର୍ଚ୍ଚନା ପରେ ଏହାକୁ ପୂର୍ଣ୍ଣାହୂତି ଦିଆଯାଏ। ସେହିପରି ବାଡି଼ ଖେଳର ରହିଛି ସ୍ବତନ୍ତ୍ର ସ୍ଥାନ । ଏହି ଅବସରରେ ପୋଖରୀ ଗାଁ ଗ୍ରାମପଞ୍ଚାୟତ ରାଣୀପଡାସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ ଗୋଠ ଅନୁଷ୍ଠିତ ହୋଇଥାଏ। ଏଠାରେ ୯ ଗୋଠର ଦୋଳ ବିମାନ ଏକାଠି ହୋଇଥାନ୍ତି । ପାଖାପାଖି ୫୧ ଟି ଦୋଳ ସଜ ଏଠାକୁ ଆସିବା ପରେ ପୂଜାର୍ଚ୍ଚନା କରାଯାଇଥାଏ।
ଏହା ମଧ୍ୟ ପଢନ୍ତୁ...ଗଛଲତାଙ୍କ ସହ ହୋଲି ଖେଳିଲେ ପରିବେଶବ୍ରେମୀ - Holi Celebrations With Awareness
ଏହା ମଧ୍ୟ ପଢନ୍ତୁ...ବାଲୁକା କଳାରେ ରାଧା-କୃଷ୍ଣ, ରଙ୍ଗର ପର୍ବର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Holi 2024
କଟକ ଜିଲ୍ଲା କଣ୍ଟାପଡ଼ା, ନିଆଳି, ବାରଙ୍ଗ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ଗାଁ ଗଣ୍ଡାରେ ଗୋପାଳକ ପରିବାରମାନଙ୍କ ପକ୍ଷରୁ ଗୋଠ ନିକଟରେ ଗୃହ ପାଳିତ ଗୋମାତାମାନଙ୍କୁ ନିଷ୍ଠାର ସହିତ ଗାଧୋଇ ଦେବା ସହିତ ଅବିର ଲଗାଇ ପୂଜାର୍ଚ୍ଚନା କରିବା ଦୋଳ ଉତ୍ସବର ଏକ ସ୍ବତନ୍ତ୍ର ବିଧି ରହିଛି । ଏଥିପାଇଁ ଗୋପାଳ ସମ୍ପ୍ରଦାୟର ପ୍ରତ୍ୟେକ ପରିବାରର ସଦସ୍ୟ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ଏବଂ ପିଠାପଣା ସାଙ୍ଗକୁ ଦହି ପଣାର ମହକ ପ୍ରତ୍ୟେକ ଘରୁ ଆସିଥାଏ। ଦୋଳ ବିମାନରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ନିକଟରେ ସାକର, ମୁଆଁ, ଚଣା, ଖଜା, ଖଇ,ଉଖୁଡା, ଦହି, କ୍ଷୀର ପଇଡ଼ ଏବଂ ବିଭିନ୍ନ ପ୍ରକାରର ଫଳ ଭୋଗ ଲାଗି କରାଯାଇଥାଏ।
ଇଟିଭି ଭାରତ, ନିଆଳି