ବୈପାରିଗୁଡ଼ା (କୋରାପୁଟ): କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକର ବଣ ଜଙ୍ଗଲ ଘେରା ଚିପାକୁର ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଗାଁ ପଡ଼େଇଖଦରା । ଗାଁରେ ବ୍ୟାପିଛି ଝାଡାବାନ୍ତି । ଝାଡାବାନ୍ତିରେ ଗାଁର କିଛି ଲୋକ ଆକ୍ରାନ୍ତ ହୋଇଥିବା ବେଳେ, କିଛି ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ରୋଗ ବ୍ୟାପିବା ପରେ ସ୍ବାସ୍ଥ୍ୟ ଟିମକୁ ଆଲର୍ଟ କରାଯାଇଛି । ଡାକ୍ତରୀ ଟିମ ଗାଁକୁ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି । ଗାଁ ଲୋକଙ୍କୁ ସଚେତନା କରାଯାଇଛି ।
ଉପାନ୍ତ ପଡ଼ା ପଡ଼େଇଖଦରା:
କିଛି ଦିନ ହେଲା ଗାଁରେ ଝାଡ଼ାବାନ୍ତିରେ କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି । କିଛି ଆକ୍ରାନ୍ତ ସ୍ଥନୀୟ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ, ଆଉ କିଛି ଘରେ ଅଛନ୍ତି । ଏପରିକି ଚିକିତ୍ସା ପରେ ଗାଁକୁ ଫେରିଥିବା କିଛି ଲୋକ ପୁଣି ଥରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ଗ୍ରାମବାସୀ । ଗତ ଶୁକ୍ରବାର ଦିନ ଗ୍ରାମବାସୀ, ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଝାଡାବାନ୍ତିର ଲକ୍ଷଣ ବିଷୟରେ ଜଣାଇଥିଲେ । ଏହା ପରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)କୁ ସତର୍କ କରାଇଥିଲେ ।
ଗାଁରେ ସ୍ବାସ୍ଥ୍ୟ ଟିମ୍:
ବୈପାରିଗୁଡ଼ା ଏବଂ କୋରାପୁଟରୁ ଡାକ୍ତରୀ ଦଳ ଗତ ଶନିବାର ଦିନ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଛନ୍ତି । ଏହାସହ ଗୁରୁତର ଥିବା ଜଣଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (DHH) କୁ ସ୍ଥାନାନ୍ତର କରାଯାଇଛି । ଏହାସହ ୫ ଜଣଙ୍କୁ ବୈପାରିଗୁଡ଼ା CHCରେ ଭର୍ତ୍ତି କରାଯାଇଥିଲା । ଆଉ ତିନିଜଣଙ୍କୁ ଗାଁରେ ନିଜ ନିଜ ଘରେ ଚିକିତ୍ସା ପ୍ରଦାନ କରାଯାଇଥିବା ବୈପାରିଗୁଡା ସିଏଚସିର ଡାକ୍ତର ବିଶ୍ୱଜିତ ଭୂୟାଁ ସୂଚନା ଦେଇଛନ୍ତି । ଡାକ୍ତରୀ ଦଳ ଘର ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି ଏବଂ ଝାଡ଼ାବାନ୍ତି ଯେପରି ଅଧିକ ନବ୍ୟାପେ, ସେଥିପାଇଁ ଗାଁରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି । ଗାଁ ପରିଦର୍ଶନ ପରେ ଡାକ୍ତର ବିଶ୍ୱଜିତ ଭୂୟାଁ କହିଛନ୍ତି ଯେ, "ଦୂଷିତ ପାନୀୟ ଜଳ ଓ ବିଷାକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ଲୋକେ ଝାଡାବାନ୍ତିର ଶିକାର ହୋଇଛନ୍ତି ।"
ନଳକୂପ ଅଚଳ, ଝରଣା ପାଣି ଭରସା :
ଗାଁରେ ତିନୋଟି ଟ୍ୟୁବ ୱେଲ ବା ନଳକୂପ ଅଛି । କିନ୍ତୁ ସେଥିରୁ କେବଳ ଗୋଟିଏ କାମ କରୁଛି । ତେବେ ଦୁଇ ଗାଁ ମଧ୍ୟରେ ଏକ ଝରଣା ଥିବାରୁ, ତଳ ସାହି ଲୋକ ସେପଟ ଗାଁକୁ ଯାଇ ପାରୁନାହାନ୍ତି ଏବଂ ବାଧ୍ୟ ହୋଇ ଝରଣାର ପାଣି ପିଉଛନ୍ତି । ଗାଁ ଲୋକଙ୍କ କହିବା ହେଲା, " ବର୍ଷାଦିନରେ ବିଭିନ୍ନ ଅଳିଆ, ଆବର୍ଜନାକୁ ବହନ କରି ଉପର ମୁଣ୍ଡରୁ ବହି ଆସୁଥିବା ଝରଣା ଜଳ ଉପରେ ନିର୍ଭର କରୁଛନ୍ତି । " ଗାଁ ଲୋକ ଭୋଜି ଭାତରେ ଜଙ୍ଗଲି ଛତୁ ଓ ବାସୀ ଖାଦ୍ୟ ଖାଇ ସଂକ୍ରମଣର ଶିକାର ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡାକ୍ତର ବିଶ୍ବଜିତ ଭୂୟାଁ ସୂଚନା ଦେଇଛନ୍ତି ।
ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବିଧାୟକ:
ଏହି ଅଞ୍ଚଳର ପରିମଳ ସୁରକ୍ଷା କରିବା ଏବଂ ନଳକୂପକୁ ମରାମତି କରିବା ସହିତ ଲୋକଙ୍କୁ ସଫା ପାନୀୟ ଜଳ ଯୋଗାଇଦେବା ପାଇଁ କରିବାକୁ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ, ଗାଁ ପରିଦର୍ଶନ କରିବା ସହ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଏବଂ ବିଭାଗୀୟ ଅଧିକାରୀ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯଦି ବିଭାଗୀୟ ଅଧିକାରୀ ଶୀଘ୍ତାର ପ୍ରତିକାର ବ୍ୟବସ୍ଥା ଗ୍ରହଣ ନକରନ୍ତି, ତେବେ ଏହି କଥାକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ଗାଁ ଲୋକ ଏବଂ ରୋଗୀ ଦୂଷିତ ଜଳ ବ୍ୟବହାର କରୁଥିବା ବେଳେ, ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ, ଗାଁରେ ସୁଷମ ଖାଦ୍ୟ ବଣ୍ଟନ ଓ ପରିମଳ ବ୍ୟବସ୍ଥାକୁ ସୁଧାରିବା ଜରୁରୀ ହୋଇ ପଡ଼ିଛି । ଯଦି ଯଥାଶୀଘ୍ର ପଦକ୍ଷେପ ନିଆନଯାଏ, ତେବେ କେବଳ ସ୍ବାସ୍ଥ୍ୟ ବିଭାଗର ଏହି ତତ୍ପରତା ସଂକ୍ରମଣ ନିୟନ୍ତ୍ରଣ କରିବାରେ କେତେଦୂର ସଫଳ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉପାନ୍ତ ପଡ଼ା, ପଡ଼େଇଖଦରା ଗୋଟିଏ ଉଦାହରଣ ମାତ୍ର । କୋରାପୁଟ ଜିଲ୍ଲାରେ ଏଭଳି ଅନେକ ଉପାନ୍ତ ଗାଁ ରହିଛି, ଯେଉଁମାନଙ୍କଠାରୁ ମୌଳିକ ସୁବିଧା ସୁଯୋଗ ଏବଂ ସରକାରୀ ଯୋଜନା, ଯୋଜନ ଯୋଜନ ଦୂରରେ ରହିଛି ।
ଇଟିଭି ଭାରତ, କୋରାପୁଟ