ଖୋର୍ଦ୍ଧା: ଆଜି ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ହଟକେଶ୍ୱର । ଦର୍ଶନ ପାଇଁ ଖୋର୍ଦ୍ଧା ହଟକେଶ୍ଵରଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ। ଅଢେଇ କୁଇଣ୍ଟାଲର ଅଷ୍ଟଧାତୁରେ ହଟକେଶ୍ୱରଙ୍କ ମହାକାଳ ବେଶ ନିର୍ମାଣ କରାଯାଇଛି। ବାଳକାଟିର ଅଭିଜ୍ଞ କାରିଗରଙ୍କ ଦ୍ୱାରା ଛଅ ମାସ ସମୟ ମଧ୍ୟରେ ଏକାଦଶ ରୁଦ୍ର ବାବା ହତକେଶ୍ୱରଙ୍କ ଏହି ଦୁର୍ଲଭ ସାମଗ୍ରୀ ପ୍ରସ୍ତୁତ ହୋଇଛି । ମହାକାଳେଶ୍ଵରଙ୍କ ଉଚ୍ଚତା ତିନି ଫୁଟ ଓ ଦେଢ଼ ଫୁଟ ଗୋଲେଇ ବିଶିଷ୍ଟ ରହିଛି। ହଟକେଶ୍ୱର ମହାପ୍ରଭୁଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଛନ୍ତି ସ୍ଥାନୀୟ ଓଗାଳପୁର ଅଞ୍ଚଳର ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ ।
ମହାକାଳ ବେଶରେ ଦର୍ଶନ ଦେଉଛନ୍ତି ବାଘମାରିର ପ୍ରତ୍ୟକ୍ଷ ଠାକୁର ଏକାଦଶ ରୁଦ୍ର ହଟକେଶ୍ଵର । ମହାକାଳେଶ୍ଵରଙ୍କ ଦର୍ଶନ ପାଇଁ ଆଉ ଯିବାକୁ ପଡ଼ିବନି ମଧ୍ୟପ୍ରଦେଶର ଉଜ୍ଜୟିନୀ ପୀଠକୁ । ଅଢେଇ କୁଇଣ୍ଟାଲର ଅଷ୍ଟଧାତୁରେ ନିର୍ମାଣ ହୋଇଛନ୍ତି ହଟକେଶ୍ୱରଙ୍କ ମହାକାଳ ବେଶ । ତାସହ ଠାକୁରଙ୍କ ପାଖରେ ବିଶାଳ ନାଗ ମୂର୍ତ୍ତି, ତ୍ରିଶୂଳ, ଡମ୍ବରୁ ଓ ଛତ୍ରୀ ମଧ୍ୟ ଦେଖିବାକୁ ମିଳିଛି । ଦଶ କିଲୋ ଅଷ୍ଟଧାତୁରେ ମହାକାଳଙ୍କ ରୂପ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଉଚ୍ଚତା ତିନି ଫୁଟ ଓ ଦେଢ଼ ଫୁଟ ଗୋଲେଇ ବିଶିଷ୍ଟ । ସେହିପରି ଦେଢ଼ କୁଇଣ୍ଟାଲ ଓଜନର ବିଶାଳ ନାଗ ମୂର୍ତ୍ତି, ଚାଳିଶ କେଜି ଓଜନର ତ୍ରିଶୂଳ, ଡ଼ମ୍ବରୁ ଏବଂ ଚାଳିଶ କେଜିର ଛତ୍ରୀ ପ୍ରସ୍ତୁତ କରାଯାଇଛି ।
ମାନସିକ ପୂର୍ଣ୍ଣ ପରେ ମହାପ୍ରଭୁଙ୍କୁ ଏଭଳି ବେଶରେ ସଜାଇବା ପାଇଁ ମନସ୍ତ କରିଥିଲେ ପୂର୍ଣ୍ଣଚନ୍ଦ୍ର । ତାଙ୍କର କହିବା ଅନୁସାରେ ସମଗ୍ର ଭାରତରେ କେବଳ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପ୍ରସିଦ୍ଧ ମହାକାଳେଶ୍ଵରଙ୍କ ମନ୍ଦିର ରହିଛି। ତାଙ୍କ ପୀଠ ଦୂରରେ ଥିବାରୁ ତାଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତ ଅସମର୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କୁ ଏଭଳି ବେଶରେ ସଜାଇବା ପାଇଁ ମନସ୍ଥ କରିଥିଲେ ପୂର୍ଣ୍ଣଚନ୍ଦ୍ର । ସେହିପରି ଏକାଦଶ ରୁଦ୍ର ମହାପ୍ରଭୁ ହଟକେଶ୍ୱର ସ୍ଵତନ୍ତ୍ର ବଡ ସିଂହାର ବେଶରେ ଏହି ମହାକାଳେଶ୍ଵର ବେସରେ ଦର୍ଶନ ଦେଉଛନ୍ତି । ରାଜ୍ୟରେ ଏହି ମହାକାଳ ବେଶ ପ୍ରଥମ ହୋଇଥିବା ବେଳେ ମହାପ୍ରଭୁଙ୍କ ଏଭଳି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ଖୋର୍ଦ୍ଧା