ବୌଦ୍ଧ: ଚୈତ୍ରମାସରୁ ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । ସକାଳ ଓ ସନ୍ଧ୍ୟାରେ ଦଣ୍ଡ ନାଚରେ ଦୁଲୁକୁଛି ବୌଦ୍ଧ ଜିଲ୍ଲା । ଦଣ୍ଡ ନାଚର ଉନ୍ମେଷ ଭୂମିରେ ଷୋହଳ ଖାଡି ବାଦ୍ୟରେ କମ୍ପୁଛି ଗାଁ ଦାଣ୍ଡ । ଷୋହଳ ଖାଡି ପାରମ୍ପରିକ ବାଦ୍ୟ ମଧ୍ୟରେ ତେର ଭୋକ୍ତାଙ୍କ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଆକର୍ଷଣୀୟ ହୋଇଛି । ବିଶେଷ ଭାବରେ ଧୂଳି ଦଣ୍ଡରେ ପରିବେଷଣ ହେଉଥିବା କୃଷି ଓ କୃଷକଙ୍କ ନାଚ ଅଞ୍ଚଳର ସାମାଜିକ ଚିତ୍ରକୁ ବର୍ଣ୍ଣନା କରୁଛି ।
ଇତିହାସ ପୃଷ୍ଠା ଅବଲୋକନ କଲେ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ବେଳକୁ ମହାନଦୀର ଉଭୟ ଅଞ୍ଚଳ ଉତ୍ତର ଖିଞ୍ଜିଳି ଓ ଦକ୍ଷିଣ ଖିଞ୍ଜିଳି ମଣ୍ଡଳ ଭାବରେ ପରିଚିତ ଲାଭ କରିଥିଲା । ଏସବୁ ଅଞ୍ଚଳରେ ବୌଦ୍ଧଧର୍ମର ବେଶ ପ୍ରଭାବ ରହିଥିବା ହେତୁ ମହାନଦୀର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳକୁ ବୌଦ୍ଧ ରାଜ୍ୟ ଭାବରେ ଅବିହିତ କରାଯାଇଥିଲା । ପ୍ରାୟ ଦଶମ ଶତାବ୍ଦୀରେ ବୌଦ୍ଧ ରାଜ୍ୟ ସୋମବଂଶୀ ଶାସକଙ୍କ କରାଗତ ହୋଇଥିଲା । ସୋମବଂଶୀ ଶାସକ ମାନେ ଶୈବ ଧର୍ମର ଉପାସକ ଥିବା ହେତୁ ବୌଦ୍ଧଧର୍ମକୁ ପ୍ରତିହତ ତଥା ଶୈବ ଧର୍ମର ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡ ନାଚର ଆରମ୍ଭ କରିଥିଲେ । ପରିବର୍ତ୍ତିତ ସମୟରେ ଏହି ଦଣ୍ଡ ନାଚରେ ଅନେକ ପରିବର୍ତ୍ତନ ଆସିଥିଲା । ପ୍ରାଚୀନ କାଳରୁ ପ୍ରଚଳିତ ବୀଣାକାର,ପର୍ଭା, ଝାମୁ ନାଚ ସହିତ ଷୋହଳ ସୁଆଙ୍ଗ ନୃତ୍ୟ ଯୋଡି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ଦଣ୍ଡ ଯାତ୍ରା, ଦଣ୍ଡୁଆଙ୍କ ଧାର୍ମିକ ଧ୍ବନୀରେ ପ୍ରକମ୍ପିତ ପରିବେଶ
ପାରମ୍ପରିକ ଷୋହଳ ଖାଡି ଲୋକ ବାଦ୍ୟ ମଧ୍ୟରେ ଯୋଗୀ, ପତର ଶୌରା, ଝାଲିଆ ଶବର, ଫକୀର, ଚଡେଇୟା ଭଳି ଚରିତ୍ରକୁ ଷୋହଳ ସୁଆଙ୍ଗ ମାଧ୍ୟମରେ ପରିବେଷଣ ହୋଇ ଆସୁଛି । ପ୍ରାଚୀନ କାଳରୁ ମନୋରଞ୍ଜନର ମାଧ୍ୟମ ହୋଇ ଆସିଥିବା ଦଣ୍ଡ ଯାତ୍ରା ଶୈବ ଶାକ୍ତ ଉପାସନାର ପର୍ବ ହେତୁ ଏହି ଯାତ୍ରାରେ ମାନସୀକଧାରୀ ଶ୍ରଦ୍ଧାଳୁଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି । ବୌଦ୍ଧ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ଧୂଳି ଦଣ୍ଡ ସବୁଠୁ ଆକର୍ଷଣୀୟ । ଏହି ଧୂଳି ସେବାରେ ତେର ଭୋକ୍ତା ତଥା ଋଷି ପୁତ୍ର ପ୍ରତିମ ଦଣ୍ଡୁଆଙ୍କ ଦ୍ବାରା କୃଷି ଓ କୃଷକର ବିଭିନ୍ନ କାର୍ଯ୍ୟ ଧାରାକୁ ବର୍ଣ୍ଣନା କରାଯାଇଥାଏ । ଜମି ପ୍ରସ୍ତୁତ ଠାରୁ ନେଇ ହଳବୁଲା, ଧାନବୁଣା, ଜଳସେଚନ, ଧାନରୁଆ, ବିହୁଡା,ଧାନ ଅମଳ, ମାଟି ପୂଜା ସହିତ ପାରମ୍ପରିକ ପଖାଳଖିଆ ନୃତ୍ୟ ବେଶ ଆମୋଦ ପୂର୍ଣ୍ଣ ତଥା ଆକର୍ଷଣୀୟ ହୋଇଥାଏ । ନିଷ୍ଠା ଓ କାଷ୍ଠାର ଏହି ଦଣ୍ଡ ଯାତ୍ରା ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ହୋଇ ରହିଆସିଛି ।
ଇଟିଭି ଭାରତ, ବୌଦ୍ଧ