କଟକ: ନିର୍ବାଚନୀ ବିଗୁଲ ବାଜିବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ 2024 ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେନ୍ଦ୍ରୀୟ ନିରାପତ୍ତା ବାହିନୀ, ପାରା ମିଲିଟାରୀ ଫୋର୍ସଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ପର୍ଯ୍ୟବେକ୍ଷକମାନଙ୍କୁ ଅବସ୍ଥାପିତ କରାଯାଇଛି । ବୁଥ ଗୁଡିକରେ ୱେବ୍କାଷ୍ଟିଂର ବ୍ୟବସ୍ଥା ମଧ୍ୟ କରାଯାଇଛି ।
କଟକ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ମେ 25 ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଜୁନ 1 ତାରିଖ ଦିନ ମତଦାନ କରାଯିବ । ମତଦାନ ହେବା ପରେ କଟକ ଜିଲ୍ଲାର ତିନୋଟି ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ମେସିନ ରଖାଯିବ । ଜୁନ 4 ତାରିଖ ଦିନ ଗଣତି କରାଯିବ । କଟକରେ 21 ଲକ୍ଷ 44 ହଜାର 904 ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ନୂତନ ଭୋଟରଙ୍କ ସଂଖ୍ୟା 45 ହଜାର 218 ରହିଛି । କଟକ ଜିଲ୍ଲାରେ ପୁରୁଷ ଭୋଟର 11 ଲକ୍ଷ 21 ଥିବାବେଳେ ମହିଳା ଭୋଟର ରହିଛନ୍ତି 10 ଲକ୍ଷ 41 ହଜାର 619 ।
ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ପ୍ରଶାସନ, MCC ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମେ 25 ତାରିଖ ଦିନ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବଡମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ ଓ କଟକ ସଦରରେ ମତଦାନ ହେବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଜୁନ 1 ତାରିଖ ଦିନ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମାହାଙ୍ଗା ଓ ସାଲେପୁର ଏବଂ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିଆଳି ବିଧାନସଭାରେ ମତଦାନ ହେବ । ଚଳିତ ବର୍ଷ ଜିଲ୍ଲାରେ 2274ଟି ମତଦାନ କେନ୍ଦ୍ର କରାଯାଇଛି । ସେଥିରୁ 1364 ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ହେବ । ମହିଳା ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । 85 ବର୍ଷରୁ ଊର୍ଦ୍ଧ୍ବ ଭୋଟରମାନେ ସେମାନଙ୍କ ଘରେ ମତଦାନ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ।
ନିର୍ବାଚନ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ କେନ୍ଦ୍ରୀୟ ନିରାପତ୍ତା ବାହିନୀ, ପାରା ମିଲିଟାରୀ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ପର୍ଯ୍ୟବେକ୍ଷକମାନଙ୍କୁ ଅବସ୍ଥାପିତ କରାଯାଇଛି । ଏହି ପର୍ଯ୍ୟବେକ୍ଷକମାନେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ତଦାରଖ କରିବେ । ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତି ବୁଥରେ ଦୁଇ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । 120 ଜଣ ମାକ୍ରୋ ଅବଜରର୍ଭର ନିଯୁକ୍ତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ବାଙ୍କୀ କଲେଜ, ରେଭେନ୍ସା ବିଶ୍ଵବିଦ୍ୟାଳୟ ମହାନଦୀ କ୍ୟାମ୍ପସ ଠାରେ ଷ୍ଟ୍ରଙ୍ଗ ରୁମ୍ ଖୋଲା ଯାଇଛି । ସେଠାରେ ପୁଲିଂ ପାର୍ଟିର ଗନ୍ତବ୍ୟ ପଥ ଏବଂ ଇଭିଏମ ମେସିନ ରହିବାର ବ୍ୟବସ୍ଥା ସହିତ ଗଣତି ମଧ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଇଟିଭି ଭାରତ, କଟକ