ସମ୍ବଲପୁର: ମିନେରାଲ ପାଣି ବୋତଲରେ ୧୫ ଟଙ୍କା ଅଧିକ ନେବା ପଡିଲା ମହଙ୍ଗା । ଏବେ ୪୦ ହଜାର ଟଙ୍କା ଫାଇନ ଗଣିବ ହୋଟେଲ । ଏମିତି ଏକ ଘଟଣା ଘଟିଛି ସମ୍ବଲପୁରରେ । ସମ୍ବଲପୁର ସହରର ଭିଏସଏସ ରୋଡରେ ଥିବା ହରଜିତ ହୋଟେଲକୁ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ଦ୍ବାରା ଦଣ୍ଡିତ କରାଯାଇଛି । ଅଭିଯୋଗକାରୀଙ୍କୁ ଏକ ମାସ ମଧ୍ୟରେ ୪୦ ହଜାର ଟଙ୍କା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ସମ୍ବଲପୁର ଟାଉନଥାନା ଅନ୍ତର୍ଗତ କଚେରୀ ରୋଡ ବିନାଖଣ୍ଡିର ଶଶାଙ୍କ ଶେଖର ମାଝୀ ଗତ ୨୪ ସେପ୍ଟେମ୍ବର ୨୦୨୩ରେ ପରିବାର ସହ ରାତ୍ରୀଭୋଜନ କରିବାକୁ ହରଜିତ ହୋଟେଲକୁ ଯାଇଥିଲେ । ବିଭିନ୍ନ ଖାଦ୍ୟ ସହ ଏକ ଲିଟର ପାଣି ବୋତଲ ଅର୍ଡର କରିଥିଲେ । ଭୋଜନ ପରେ ତାଙ୍କୁ ପ୍ରଦାନ କରାଯାଇଥିବା ବିଲ୍ରେ ପାଣି ବୋତଲ ସହ ଖାଦ୍ୟର ଦାମ ୭୯୦ ଟଙ୍କା ରହିଥିଲା । ସେଥିରେ ୫% ଭାଗ ଜିଏସ୍ଟି ମିଶାଇ ୮୩୦ ଟଙ୍କା ଉଲ୍ଲେଖ ରହିଥିଲା । ପାଣି ବୋତଲରେ ସମସ୍ତ ଟିକସ ମିଶାଇ MRP ୨୦ ଟଙ୍କା ରହିଥିବା ବେଳେ ବିଲରେ ୩୫ ଟଙ୍କା ଉଲ୍ଲେଖ ରହିଥିଲା ।
କେବଳ ଏତିକି ନୁହେଁ, ୩୫ ଟଙ୍କା ଉପରେ ପୁଣି ଅତିରିକ୍ତ ଜିଏସ୍ଟି ଯୋଡ଼ା ଯାଇଥିବା ଜଣାପଡିଥିଲା । ଏନେଇ ଶଶାଙ୍କ ଅଭିଯୋଗକୁ ଆଧାର କରି ଆୟୋଗ ୩୦ ସେପ୍ଟେମ୍ବର ୨୦୨୩ରେ ମାମଲା (ସିସି/୧୫୫/୨୦୨୩) ରୁଜୁ କରିଥିଲେ । ଏହି ମାମଲାର ଏବେ ରାୟ ପ୍ରକାଶ ପାଇଛି । ବୋତଲ ପାଣି ପାଇଁ ଆଦାୟ କରାଯାଇଥିବା ଅତିରିକ୍ତ ଟଙ୍କାର ସୁଧ ସହ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଠିକ୍ ଭାବରେ ସେବା ଯୋଗାଇବାରେ ବିଫଳ ହୋଇଥିବା ଦର୍ଶାଇ ଉପଭୋକ୍ତାଙ୍କୁ ୩୦ ହଜାର ଟଙ୍କା ଓ ଆଇନଗତ ଖର୍ଚ୍ଚ ବାବଦରେ ୧୦ ହଜାର ଟଙ୍କା ମିଶାଇ ମୋଟ ୪୦ ହଜାର ଟଙ୍କା ଏକ ମାସ ମଧ୍ୟରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।
ଏହା ମଧ୍ୟ ପଢନ୍ତୁ.....ଖାଉଟି ଅଦାଲତର ନିର୍ଦେଶ, 12ଟଙ୍କା ପାଇଁ 3 ଲକ୍ଷ ଫାଇନ ଗଣିବେ ପାର୍କିଂ ଠିକାଦାର !
ଏଥିରେ ବ୍ୟତିକ୍ରମ ହେଲେ ବାର୍ଷିକ ଶତକଡ଼ା ୧୨ ଭାଗ ସୁଧ ଯୋଡ଼ି ଟଙ୍କା ପୈଠ କରିବା ପାଇଁ ନିର୍ଦ୍ଦେଶ ରହିଛି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଏ.କେ ମିଶ୍ର ମାମଲା ପରିଚାଳନା କରିଥିଲେ । ଏନେଇ ହୋଟେଲ ସଂଘ ପକ୍ଷରୁ କୁହାଯାଇଛି ଯେ, ସେମାନେ ଅଧିକ ଟ୍ୟାକ୍ସ ନେଉନାହାନ୍ତି । ଏମିତି ଟ୍ୟାକ୍ସ ନେବା ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ରହିଛି । ତେଣୁ ଏହି ମାମଲାକୁ ନେଇ ସେମାନେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର