ଭୁବନେଶ୍ବର: ଓଡିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବେ ରୋଚକ ମୋଡ଼ ଦେଇ ଗତି କରୁଛି । କେତେବେଳେ କ'ଣ ଯେ ହୋଇପାରେ ତାହା ଆକଳନ କରିବା କଷ୍ଟକର ବ୍ୟାପାର । ଦୁଇ ଦିନ ହେବ ବିଜେଡି ରାଜ୍ୟସଭା ସଦସ୍ୟ ମମତା ମହନ୍ତ ଦଳ ଛାଡି ପଦ୍ମ ପୋଖରୀକୁ ଡେଇଁବା ବିଜେଡି ଦଳରେ ଭୂମିକମ୍ପ ସୃଷ୍ଟି କରିଛି । ବିଜେପି ଇତିହାସରେ ଗୋଆ,ମହାରାଷ୍ଟ୍ର ଭଳି ରାଜ୍ୟରେ ଯେଉଁ ହଟଚମଟ ସୃଷ୍ଟି କରିଥିଲା ,ତାର ପୁନରାବୃତ୍ତି ଅର୍ଥାତ ଓଡ଼ିଶାରେ ବିଜେଡି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେଲା ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଶଙ୍କା କରିବାକୁ ଆରମ୍ଭ କଲେଣି । ବ୍ୟାକ ଡୋର ସହାୟତାରେ କିଣାବିକା ପ୍ରକ୍ରିୟା ଆରମ୍ଭ ନେଇ ସଂକେତ ଦେଲାଣି ବୋଲି ଆଶଙ୍କା କରିଛି ବିଜେଡି । ସେପଟେ କଂଗ୍ରେସ ସ୍ଥିତି ଉପରେ କଡା ନଜର ରଖିବା ସହ ଏହା ଗଣତନ୍ତ୍ର ପାଇଁ ଅଶୁଭ ବୋଲି କହିଛି ।
'ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପାଇଁ ସମୀଚିନ ନୁହେଁ ':
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି "ରାଜନୈତିକ ଦଳ, ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଞ୍ଚାଇ ରଖିବା ଦରକାର । ଦଳରୁ ନେତାଙ୍କୁ ନେବା ବଡ଼ କଥା ନୁହେଁ । ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପାଇଁ ସମୀଚିନ ନୁହେଁ । ବିଜେଡି ରାଜନୈତିକ ବାତାବରଣକୁ ଆଖି ଆଗରେ ରଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ନିଜର ଦଳ ପାଇଁ ନିଜ ସାମର୍ଥ୍ୟ ଭରଣା କରିବାକୁ ପ୍ରୟାସ ଜାରି ରଖିଛନ୍ତି ବିଜେପି । ସରକାର ଗଠନ କରିପାରୁ ନଥିଲା ବିଜେପି । ନୀତିଶ ଆଉ ଚନ୍ଦ୍ରବାବୁ ଦୁଇଟି ଆଶାବାଡି ଧରି ଲୋକସଭାରେ ଚାଲିଛନ୍ତି । ରାଜ୍ୟସଭାରେ ବିଜେପିର ସଂଖ୍ୟା ନାହିଁ । ସେମାନେ ଭାବୁଥିଲେ ବିଜେଡି ତାଙ୍କୁ ସମର୍ଥନ ଦେବ ।
'ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ ':
ସେ ଆହୁରି ମଧ୍ୟ କହିଛନ୍ତି," ବିଜେଡି କେନ୍ଦ୍ରରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । ସମଦୂରତା ଉପାଖ୍ୟାନ କହୁଛି ବିଜେଡି । ଏଥିରୁ ଜଣାପଡୁଛି ବିଜେଡି ନିରପେକ୍ଷ ରହିଛି । ସେଥିପାଇଁ ବିଜେପି ଅପରେଶନ ଲୋଟସ ଆରମ୍ଭ କରିଛନ୍ତି । ଜଣେ ସାଂସଦ ଗଲେ , ଆଗକୁ ଆଉ କିଛି ନେତା ମଧ୍ୟ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଜେଡି-ବିଜେପି ମଧ୍ୟରେ ଦୀର୍ଘବର୍ଷ ଧରି ଯେଉଁ ବୁଝାମଣା ଥିଲା । ତାର ଲକ୍ଷ୍ମଣ ରେଖାକୁ କିଏ କିଏ ଡେଇଁଲା ସେମାନେ ବିଚାର କରିବେ । ବିଜେଡିକୁ ଏବେ ବିଜେପି ଟାର୍ଗେଟ ରରିଛି । ବିଜେଡି ନିଜର ରାଜନୈତିକ ଦୃଷ୍ଟିକୋଣ ସ୍ପଷ୍ଟ କରିବା ଆବଶ୍ୟକତା ରହିଛି । ବିଜେଡିର ଜଣେ ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଉଦ୍ଧାରରେ ନେଇଥିଲା ତାଙ୍କୁ ବିଜେଡ଼ିକୁ ଫେରାଇ ଦେଉ । ବିଜେଡିର ବିଧାନସଭାରେ 51 ଜଣ ବିଧାୟକ ରହିଛନ୍ତି । ଲୋକସଭାରେ ଯଦିଓ ବିଜେଡିର ପ୍ରତିନିଧିତ୍ଵ ନାହିଁ କିନ୍ତୁ ରାଜ୍ୟ ସଭାରେ 09 ରୁ 08 ଜଣ ସାଂସଦ ରହିଛନ୍ତି । ଓଡ଼ିଶାରେ 51 ଜଣ ବିଧାନସଭା ପ୍ରତିନିଧି ଥାଇ ଏକ ସଶକ୍ତ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଛି ବିଜେଡି ।"
ଏହା ମଧ୍ୟ ପଢନ୍ତୁ...ମମତାଙ୍କ ପରେ କିଏ, ଖାଲି ହୋଇଯିବ କି ବିଜେଡି ବସା ? ଚିନ୍ତା ବଢାଇଲା ଅରବିନ୍ଦଙ୍କ ବୟାନ, ଜବାବ ରଖିଲେ ଉମା - No Existence Of BJD
ବିଜେପିର ଅପରେସନ ଲୋଟସ:
ସୂଚନା ଥାଉ କି ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳକୁ ଭାଙ୍ଗି ହଟଚମଟ ସୃଷ୍ଟି କରିବାର ନଜିର ରହିଛି । ଗୋଆରେ କଂଗ୍ରେସ ସରକାର ଗଢିବାକୁ ଥିବାବେଳେ ବିଜେପି ସରକାର ଗଢିଥିଲା । ସେହିପରି ମହାରାଷ୍ଟ୍ରରେ ଶିବସେନାକୁ ଭାଙ୍ଗି ନିଜର ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲା ବିଜେପି । ତେବେ ବିଜେଡି ରାଜ୍ୟସଭା ସାଂସଦ ବିଜେଡ଼ି ଛାଡି ବିଜେପିରେ ମିଶିବା ପରେ ଆଗକୁ ଏ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଲୋଚନା କେଉଁ ମୋଡ଼ ନେଉଛି । ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ଇଟିଭି ଭାରତ,ଭୁବନେଶ୍ବର