ଭୁବନେଶ୍ବର: ମୁଣ୍ଡବିନ୍ଧାର କାରଣ ପାଲଟିଛି ସାଇବର ଅପରାଧ । ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା । ସାଇବର ଫ୍ରଡ୍ ମୁକାବିଲା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଛି ବଡ ଅଭିଯାନ । 11 ଜଣ କୁଶଳି ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ଆରମ୍ଭ କରିଛି ସ୍ବତନ୍ତ୍ର ଅଭିଯାନ । ଯେଉଁମାନଙ୍କୁ ତାଲିମ ଦେଇ ଆଗାମୀ ଦିନରେ ସାଇବର ଅପରାଧ ମୁକାବିଲା ଦିଗରେ ଏକ ରଣକୌଶଳ ପ୍ରସ୍ତୁତି କରାଯିବ ।
ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ରୋକିବାକୁ କମିସନରେଟ ପୋଲିସ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି । ଏହାର ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ 650 ଜଣ କୁଶଳି ଇଞ୍ଜିନିୟରିଂ ଛାତ୍ରଙ୍କ ମଧ୍ୟରୁ 11 ଜଣଙ୍କୁ ଚୟନ କରିଛି । ଯେଉଁମାନଙ୍କ ଭିତରେ IIT ଭୁବନେଶ୍ୱରର ଛାତ୍ରଙ୍କ ସମେତ IIT ଓ ସିଭିରମଣ ଭଳି ଇଞ୍ଜିନିୟରିଂ କଲେଜର କିଛି କୁଶଳି ଛାତ୍ର ରହିଛନ୍ତି । ସେମାନଙ୍କୁ ଆଗାମୀ 8 ସପ୍ତାହ ତଥା 2 ମାସ ଧରି ଟ୍ରେନିଂ ଦିଆଯିବ । ସାଇବର ଅପରାଧ କ୍ଷେତ୍ରରେ କାମ କରୁଥିବା ସାଇବର ଏକ୍ସପର୍ଟ, ସାଇବର କନସଲଟାଣ୍ଟ, ସାଇବର ହ୍ୟାକର ଓ ସାଇବର ସିକ୍ୟୁରିିଟିରେ ଅଭିଜ୍ଞତା ଥିବା ବଡ଼ ବଡ଼ କର୍ପୋରେଟ ହାଉସ୍ ଅଭିଜ୍ଞମାନେ ତାଲିମ ଦେବେ । ଯେଉଁଠି 11ଜଣ ଚୟନ କରାଯାଇଥିବା କୁଶଳି ଛାତ୍ରଙ୍କୁ କ୍ରିପ୍ଟୋଗ୍ରାଫି, ସାଇବର ଫରେନସିକ ସାଇନ୍ସ, ସାଇବର ସ୍ପେସ ହ୍ୟାକ୍, ଆଇପି ଆଡ୍ରେସ ଟ୍ରାକ, ଡାଟା ଥେପ୍ଟ ଆଣ୍ଡ ସିକ୍ୟୁରିଟି, ଡାଟା ସିକ୍ୟୁରିଟି, ନେଟୱର୍କ ସିକ୍ୟୁରିଟି, କ୍ଲାଉଡ୍ ସିକ୍ୟୁରିଟି, ଡିଜାଷ୍ଟର ରିକଭରି, ଆପ ସିକ୍ୟୁରିଟି ଭଳି,ମାଲୱେର, ରାନସମ ଓ୍ବେର ଭଳି ଅନେକ ଟେକ୍ନିକାଲ ଦିଗରେ ତାଲିମ ଦିଆଯିବ ।
କୁଶଳି ଛାତ୍ରମାନଙ୍କୁ 2 ମାସ ଧରି ତାଲିମ ପରେ ସେମାନେ ପୋଲିସ ପାଇଁ ଏକ୍ସପର୍ଟ ଭାବେ କାମ କରିବେ । ଏବେ ପ୍ରତିଦିନ ହେଉଥିବା ସାଇବର ଫ୍ରଡ ବିଶେଷ କରି ବିଭିନ୍ନ ଉପାୟରେ ଲୋକଙ୍କୁ ଯୋଗାଯୋଗ କରି ଭିନ୍ନ ଢ଼ଙ୍ଗରେ ସେମାନଙ୍କୁ ଫସାଇ ଲୁଟୁଥିବା ବେଳେ ସେ ଦିଗରେ ପ୍ରତିହତ କରିବା ପାଇଁ କାମ କରିବେ । ବିଶେଷ କରି ଫାଇନାନ୍ସିଆଲ ଫ୍ରଡ, ଇନଭେଷ୍ଟମେଣ୍ଟ ଫ୍ରଡ ଭଳି ବିଜନେସ ହାଉସ ଓ ବଡ଼ବଡ଼ିଆ କର୍ପୋରେଟକୁ ଟାର୍ଗେଟ କରୁଥିବା ସାଇବର ଠକଙ୍କୁ କିପରି ଚେକ୍ମେଟ ଦିଆଯିବ ସେନେଇ ତାଲିମ ଦିଆଯିବ ।
ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ପ୍ରଥମ ଥର ଏଭଳି ଏକ କୋର୍ସ ଅଫର କରାଯାଇଛି । ଇଞ୍ଜିନିୟର ଛାତ୍ରମାନେ ତାଲିମ ପରେ ବିଭିନ୍ନ ସାଇବର ଅପରାଧକୁ ସମାଧାନ କରିବେ । ସେମାନେ ସାଇବର ଓ୍ବାରିୟର ଭାବରେ କାମ କରିବେ । ବିଗତ 4 ମାସରେ ଭୁବନେଶ୍ୱରରେ ସାଇବର ଫ୍ରଡ ଶିକାର ହୋଇ 18 କୋଟି ଟଙ୍କା ହରାଇଲେଣି । ମାସକୁ 400 ଅଭିଯୋଗ ସାଇବର ଥାନାରେ ଗ୍ରହଣ କରାଯାଉଛି । ଅର୍ଥାତ ଗତ 4 ମାସରେ 1515 ଅଭିଯୋଗ ହୋଇଛି । 100 ଜଣ ଲୋକଙ୍କ ଶତ ପ୍ରତିଶତ ଟଙ୍କା ପୋଲିସ ସହାୟତାରେ ଫେରାଯାଇଛି । 9 କେସ ଡିଟେକ୍ଟ କରି ଅପରାଧୀକୁ ଗିରଫ କରାଯାଇଛି । ଅର୍ଥାତ 17.75 କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ରିପୋର୍ଟ ହୋଇଥିବା ବେଳେ 20 ଲକ୍ଷ ଟଙ୍କା ଠକଙ୍କଠୁ ଫେରିପାରିବାରେ ସକ୍ଷମ ହୋଇପାରିଛି ପୋଲିସ । 40 ପ୍ରତିଶତ ମାମଲାରେ ବ୍ଲକିଂ କରିବାରେ ସଫଳ ହୋଇଛି ପୋଲିସ ।
ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହା ମଧ୍ୟ କହିଛନ୍ତି, "50 ପ୍ରତିଶତ ଲୋକଙ୍କୁ କେବଳ ଏଭଳି ଅଭିଯୋଗ ସମ୍ପାଦନ ଦିଗରେ ସଫଳ ହୋଇଛୁ । ଆଗକୁ ଦୁଇଟି ଦିଗ ରହିଛି ସଚେତନତା ଓ ଇନଭେଷ୍ଟିଗେସନ ତେଣୁ ସଚେତନତା ପାଇଁ ପୋଲିସ ସାମାଜିକ କାର୍ଯକ୍ରମ ଜରି ରଖିଛି । ହେଲେ ଇନଭେଷ୍ଟିଗେସନ ପାଇଁ ଏଭଳି କୁଶଳି ଛାତ୍ରଙ୍କୁ ତାଲିମ ଦେଇ ଆଗମୀ ଦିନରେ କିପରି ଏ ଦିଗରେ ପୋଲିସ ଏକ ସଠିକ ଢଙ୍ଗରେ କାମ କରିପାରିବ ସେ ନେଇ ଯୋଜନା ଚାଲିଛି । ଠକଙ୍କୁ ଟ୍ରାକ କରିବା, ଆଇପି ବ୍ଲକ କରିବା, ଆକାଉଣ୍ଟକୁ ବ୍ଲକ କରିବା ଏପରିକି ଅନେକ ଉଚ୍ଚ ଶିକ୍ଷିତ ଲୋକ ମଧ୍ୟ ଟ୍ରାପରେ ପଡ଼ୁଛନ୍ତି । ଅଧିକ ଲୋଭ ଦେଖାଇ ଠକମାନେ ଏଭଳି ଠକାମୀ କରୁଛନ୍ତି । ଇନ୍ସ୍ୟୁରାନ୍ସ , ବ୍ୟାଙ୍କିଙ୍ଗ କ୍ଷେତ୍ର ଓ କର୍ପୋରେକ୍ଟ ସେକ୍ଟରର ବଡ଼ ଠକାମୀରେ ଫସୁଛନ୍ତି ।’
ଏହା ମଧ୍ୟ ପଢ଼ନ୍ତୁ...ଆପଣ ମଧ୍ୟ ପୁଞ୍ଜି ନିବେଶ କରୁଛନ୍ତି କି? ଏଭଳି କଲେ ହେବେନି ଠକେଇର ଶିକାର - Investment Scams
ଇନଭେଷ୍ଟମେଣ୍ଟ ସ୍କାମ, ଫାଇନାନ୍ସିଆଲ୍ ସ୍କାମ ଆଦି ଦିଗରେ କାମ କରିବା ଲକ୍ଷ୍ୟରେ 11 ଜଣ ଛାତ୍ରଙ୍କୁ ତାଲିମ ଦିଅଯାଇ ଆଗାମୀ ଦିନରେ ସାଇବର ମୁକାବିଲା ପାଇ ବଡ଼ ଯୋଜନା ରହିଛି । କାରଣ ଏବେ ୟୁପିଆଇ ଫ୍ରଡ, ଆକାଉଣ୍ଟ ଫ୍ରଡ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ସହ ଅନ୍ୟ ଉପାୟରେ ସାଇବର ଠକମାନେ ଲୋକମାନଙ୍କୁ ଠକୁଛନ୍ତି । ଇ-ମେଲ, ହ୍ବାଟସପ ,ଏସଏମଏସ ଓ ଟେଲିଗ୍ରାମ ଆଦି ବିଭିନ୍ନ ଉପାୟରେ ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି । ତେଣୁ ସାଇବର ଫ୍ରଡକୁ କେବଳ ଯେ ପ୍ରତ୍ୟାଖ୍ୟାନ କରିବା ତାହା ନୁହେଁ ବରଂ ସଠିକ ସମୟରେ ସେମାନଙ୍କୁ ବ୍ଲକ ରିପୋର୍ଟ ଦ୍ବାରା ମୂଳରୁ ଏହି ଅପରାଧ ରୋକିବା ଦିଗରେ ଧ୍ୟାନ ଦିଆଯିବ । ଲୋକଙ୍କୁ ଏଭଳି ଅଜଣା ଲିଙ୍କ, ନମ୍ବର ବା ଇ-ମେଲକୁ କେବଳ ଠକ ଭାବି ଏଡାଇ ଦେବା ନୁହେଁ ବରଂ ସଚେତନ ନାଗରିକ ଭାବେ "ଚକ୍ଷୁ ଆପ" ଜରିଆରେ ସେମାନଙ୍କ ବିରୋଧରେ ପ୍ରତ୍ୟକ ଲୋକ ଚାହିଁଲେ ଆସୁଥିବା ଅଜଣା ଲିଙ୍କ, ଫୋନ ବା ଇମେଲ ବିରୋଧରେ ରିପୋର୍ଟ କରି ସେମାନଙ୍କୁ ବ୍ଲକ କରିପାରିବେ ।"
ଇଟିଭି ଭାରତ, ଭୁବନେଶ୍ବର