କଟକ: ଓଡ଼ିଶାର ଦାୟିତ୍ବ ନେବା ଦିନଠାରୁ ଆକ୍ଟିଭ ମୋଡ୍ରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ସ୍ଥାନ ଗସ୍ତ କରିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଭେଟି କରୁଛନ୍ତି ଆଲୋଚନା । ଏହି କ୍ରମରେ ଆଜି କଟକ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ପ୍ରଥମ କଟକ ଗସ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ନେତାଜୀ ଜନ୍ମ ସଂଗ୍ରହାଳୟ ଗସ୍ତ କରିଥିଲେ । ନେତାଜୀଙ୍କୁ ପୁଷ୍ପମାଲ୍ୟ ଦେବା ସହ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।
ଏହାପରେ ଉତ୍କଳମଣୀ ଗୋପବନ୍ଧୁଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ 'ଓଡ଼ିଆ ଅସ୍ମିତା' ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ବୀର ପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା 'ଓଡ଼ିଆ ଅସ୍ମିତା' ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ସେତିକି ନୁହେଁ, କଟକରେ ଯେଉଁସବୁ ପ୍ରକଳ୍ପ ଚାଲିଛି, ତାହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର ସମସ୍ତ ପ୍ରକଳ୍ପର ଅନୁଧ୍ୟାନ କରିବା ପରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଥାଉ, ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ମଧ୍ୟରେ ବିଭାଗ ବଣ୍ଟନ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ହାତରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିଛନ୍ତି । ଏଥିପାଇଁ ବେଶ ତତ୍ପରତା ମଧ୍ୟ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଜେପି ଇସ୍ତାହାର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭାଗମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ