ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନକୁ ତୃଣମୂଳ ସ୍ତରରୁ ଉଚିତ ରୂପେ ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଜିଲ୍ଲାମାନଙ୍କର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ମତଦାତା ହେଉଛନ୍ତି ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ତେଣୁ ସେମାନଙ୍କୁ କେନ୍ଦ୍ରରେ ରଖି ସ୍ଵଚ୍ଛତାର ସହ ସମସ୍ତ ପ୍ରସ୍ତୁତି କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଯୁକ୍ତି ଜ୍ଞାନକୌଶଳକୁ ଆଗାମୀ ନିର୍ବାଚନରେ ବହୁ ଗୁରୁତ୍ଵ ଦିଆଯାଉଛି । ଏଣୁ ସମସ୍ତ ଜିଲ୍ଲାରେ ବିଭିନ୍ନ ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରାଯିବ । ସେହି ଅନୁସାରେ ମାନବ ସମ୍ବଳର ବିନିଯୋଗ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୫୦ ଟୋଲ ଫ୍ରି ନମ୍ବରକୁ ସର୍ବଦା କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ବିଏଲଓଙ୍କୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ରୂପେ ଅବିହିତ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେମାନଙ୍କୁ ଗଣତନ୍ତ୍ରର ସଜାଗ ପ୍ରହରୀ ବୋଲି ସେ କହିଛନ୍ତି ।
ଏହା ସହ ଜିଲ୍ଲା ପ୍ରଶାସନ ପୋଷ୍ଟାଲ ବାଲଟକୁ ସମ୍ପୂର୍ଣ୍ଣ ସତର୍କତା ସହ ଛପିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ପରେ ବିଭିନ୍ନ ଅତିରିକ୍ତ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ସମସ୍ୟା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି । ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ ଥିରୁମାଲା ନାଏକଙ୍କ ସହ ଅନ୍ୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ: ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ: ଭାରତୀୟ ନିର୍ବାଚନ କମିଶନ
ସେହିପରି ନିର୍ବାଚନ ପାଇଁ ଭୋଟରଙ୍କୁ ସଚେତନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଇଭିଏମ ବା ଭିଭିପ୍ୟାଟର ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ ହୋଇଛି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡରେ ଇଭିଏମ ବା ଭିଭିପ୍ୟାଟ ସଚେତନତା କେନ୍ଦ୍ର ଖୋଲାଯାଇଛି । ଏହି ସବୁ ସଚେତନତା କେନ୍ଦ୍ରକୁ ଭୋଟରମାନେ ବହୁସଂଖ୍ୟାରେ ଆସି ଇଭିଏମ ବା ଭିଭିପ୍ୟାଟ ମେସିନ ଦେଖିବା ସହ ମକ ପୁଲରେ ଅଂଶଗ୍ରହଣ କରୁଛନ୍ତି । ବିଶେଷ କରି ନୂତନ ଯୁବଭୋଟର ବହୁସଂଖ୍ୟାରେ ଆସି ମକ ପୁଲରେ ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ନିର୍ବାଚନରେ ଇଭିଏମ ବା ଭିଭିପ୍ୟାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ । ଏହାକୁ ନଜରରେ ରଖି ଭୋଟର ଏହି ସଚେତନତା କାର୍ଯ୍ୟକ୍ରମ ଦେଖିବା ସହ ମକ ପୁଲରେ ଅଂଶଗ୍ରହଣ କରିବା ଦ୍ଵାରା ଆଗାମୀ ନିର୍ବାଚନରେ ସଠିକ ଓ ସହଜରେ ମତଦାନ କରିପାରିବେ ।
ଜିଲ୍ଲା ଓ ଉପଖଣ୍ଡ ସ୍ଥରରେ ଖୋଲାଯାଇଥିବା ଇଭିଏମ ବା ଭିଭିପ୍ୟାଟ ସଚେତନତା କେନ୍ଦ୍ରକୁ ଫେବୃଆରୀ ୧୮ ତାରିଖ ସୁଦ୍ଧା ମୋଟ ୧୨୫୯୯୦ ଜଣ ପରିଦର୍ଶନ କରିଛନ୍ତି । ୧୧୮୨୪୭ ଜଣ ଭୋଟର ମକ ପୁଲରେ ଅଂଶଗ୍ରହଣ କରିଛନ୍ତି । ସେହିପରି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ବୁଥ ହୋଇଥିବା ସ୍ଥାନରେ ମଧ୍ଯ ମୋବାଇଲ ଇଭିଏମ ବା ଭିଭିପ୍ୟାଟ ଗାଡ଼ି ଉପସ୍ଥିତ ରହି ଭୋଟରଙ୍କୁ ସଚେତନ କରୁଛି । ଫେବୃଆରୀ ୧୮ ତାରିଖ ସୁଦ୍ଧା ମୋଟ ୩୦,୬୮୮ଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାନରୁ ୨୬,୪୫୪ଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାନରେ ଇଭିଏମ ବା ଭିଭିପ୍ୟାଟ ସଚେତନତା କାର୍ଯ୍ୟକ୍ରମ ସରିଛି । ଅବଶିଷ୍ଟ ସ୍ଥାନରେ ଚଳିତ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମ ଶେଷ ହେବ ।
ଇଟିଭି ଭାରତ, ଭୁବନେଶ୍ୱର