ବୌଦ୍ଧ: କାମଧନ୍ଦା ନପାଇ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । ମାତ୍ର ଦଲାଲ ହାବୁଡରେ ପଡି ଗତ 6 ମାସ ହେଲା 18 ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ନାଦୁପେଟାରେ ହୋଇଛନ୍ତି ବନ୍ଧକ । ଏପରି ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲାର ଉକ୍ତ ଶ୍ରମିକମାନଙ୍କ ପରିବାରବର୍ଗ । ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ପ୍ରଶାସନକୁ ଗୁହାରି କରିଛନ୍ତି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ କାମଧନ୍ଦା ଅଭାବରୁ ଦୀର୍ଘ ବର୍ଷ ହେଲା ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଶ୍ରମଜୀବୀ । ବୌଦ୍ଧ ଜିଲ୍ଲାର ବରଗାଁ ପଞ୍ଚାୟତର ଶହ ଶହ ପରିବାର ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ଅନେକ ସମୟରେ ଏହି ଦାଦନ ଶ୍ରମିକଙ୍କୁ ମାନସିକ ତଥା ଶାରିରୀକ ନିର୍ଯାତନା ଦିଆଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଗତ ପ୍ରାୟ ପନ୍ଦର ଦିନ ପୂର୍ବରୁ ଲମ୍ବସରୀ ପଞ୍ଚାୟତର 12 ଜଣ ବନ୍ଧକ ଦାଦନ ଶ୍ରମିକଙ୍କୁ କର୍ଣ୍ଣାଟକ ରାଜ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ପୁଣିଥରେ 18 ଜଣ ଦାଦନ ଶ୍ରମିକ ଏକ ଇଟାଭାଟିରେ ବନ୍ଧକ ହୋଇ ନିର୍ଯାତନା ପାଇ ଏକ ଇଟାଭାଟିରେ କାର୍ଯ୍ୟରେ ନିୟୋଜିତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ ... ଦାଦନ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ - Labourer Torture
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବରଗାଁ ପଞ୍ଚାୟତ ଅନ୍ତର୍ଗତ ଲୁଇସିଙ୍ଗ ଅଞ୍ଚଳର ତିନୋଟି ପରିବାରର ଅଠର ଜଣ ଶ୍ରମିକ ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ କଣ୍ଟାବାଞ୍ଜି ଅଞ୍ଚଳର ଜନୈକ ଦଲାଲଙ୍କ ପ୍ରଲୋଭନରେ ଅର୍ଥ ଉପାର୍ଜନ ପାଇଁ ଆନ୍ଧ୍ରପ୍ରଦେଶର ନାଦୁପେଟା ଅଞ୍ଚଳକୁ ଗତ ଛ ମାସ ତଳେ ଯାଇଥିଲେ । ନାଦୁପେଟା ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଉକ୍ତ ଅଠର ଜଣ ଦାଦନ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ଉକ୍ତ ଦାଦନ ଶ୍ରମିକଙ୍କୁ କାର୍ଯ୍ୟର ପ୍ରାପ୍ୟ ଦିଆନଯାଇ ଓଲଟା ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ବନ୍ଧକ କରି ରଖାଯାଇଥିବା ପରିବାରକୁ ଫୋନ ଯୋଗେ ସୂଚନା ମିଳିଥିଲା ।
ଏହାପରେ ଦାଦନ ଶ୍ରମିକଙ୍କ ପରିବାର ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି । ତୁରନ୍ତ ଉକ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯିବାକୁ ଦାବି ହୋଇଥିବା ବେଳେ ସ୍ବେଚ୍ଛାସେବୀ ମଧ୍ୟ ଉପାନ୍ତ ଅଞ୍ଚଳରେ କାମଧନ୍ଦା ଅଭାବରୁ ଗରିବ ଅସହାୟ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲଙ୍କ ଦୌରାତ୍ମ୍ୟ ରହୁଥିବା ବେଳେ ଅନେକ ଶ୍ରମଜୀବୀ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ଠିକରେ ପାଇ ପାରୁନଥିବା ଅଭିଯୋଗ ହୋଇଆସୁଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ