କଟକ: ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଲୋକଙ୍କ ଆସ୍ଥା ଭାଜନ ହେବାକୁ କରୁଛନ୍ତି କର୍ମୀ ସମ୍ମିଳନୀ । ଏବଂ ୨୦୨୪ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି ନେତାମାନେ । ଏହି ଆବସରରେ କଟକରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଆଜି (ରବିବାର) ନିଜ ସମର୍ଥକଙ୍କୁ ନେଇ କରିଛନ୍ତି ଯୁବ ଆକ୍ରୋସ ସମାବେଶ । ଚଳିତ ନିର୍ବାଚନରେ ବିଜେପି ସରକାର ଗଠନ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଛନ୍ତି ସେ ।
ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ଯୁବ ଆକ୍ରୋସ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର ଦେ । ଏହି ସମାବେଶରେ ଶହ ଶହ ସଂଖ୍ୟାରେ ଯୁବକ ଯୁବତୀ ଓ ମହିଳାମାନେ ଯୋଗ ଦେଇଥିଲେ । ରାଜ୍ୟରେ ଯୁବକ ଯୁବତୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇ ପାରୁନାହାନ୍ତି ଫଳରେ ବେରୋଜଗାରୀ ବଢିଛି । ଏଥିପାଇଁ ଯୁବକମାନଙ୍କ ରାଜ୍ୟ ସରକାରଙ୍କ ଉପରେ ଆକ୍ରୋସ ବଢିଛି । ସେଥିପାଇଁ ଯୁବ ଆକ୍ରୋସ ସମାବେଶ ଆୟୋଜନ କରାଯାଇଛି ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ସମୀର ଦେ ।
ଏହି ଅବସରରେ ସମୀର ଦେ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ବିଜେଡ଼ି ସରକାରଙ୍କ ପ୍ରତି ଆକ୍ରୋଶ ମନୋଭାବକୁ ବିରୋଧ କରାଯାଇ ଏହି ସମାବେଶ ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନରେ ଯୁବକମାନଙ୍କ ମଧ୍ୟରେ ଏହି ଆକ୍ରୋଶ ମନୋଭାବ ପ୍ରତିଫଳିତ ହେବ । ନିର୍ବାଚନରେ ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ଗଢିବ । ଓଡ଼ିଶାରେ ବିଜେପି ୮୦ରୁ ଊର୍ଦ୍ଧ୍ୱ ଏବଂ କେନ୍ଦ୍ରରେ ୪୦୦ରୁ ଊର୍ଦ୍ଧ୍ବ ସିଟ ଦଖଲ କରିବ । "
ଏହା ମଧ୍ୟ ପଢନ୍ତୁ.....ରାଜଧାନୀରେ ନିର୍ବାଚନୀ ତାତି, ୩ ନିର୍ବାଚନ ମଣ୍ଡଳୀରେ ଆଶାୟୀ ବହୁତ
ସେ ଆହୁରି ମଧ୍ୟ କହିଛନ୍ତି ," ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ସରକାର ଯୁବକମାନଙ୍କୁ ଅଣଦେଖା ଓ ଅବହେଳା କରି ଆସିଛି । ଏହି ସରକାର ଅମଳରେ ଯୁବକ ମାନେ ଚାକିରୀ ପାଇବାରୁ ବଞ୍ଚିତ । ବିଜେଡ଼ି ସରକାର ମାଗଣାରେ ଚାଉଳ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅର୍ଥକୁ ନିଜ ନାମରେ ବାଟମାରଣା କରୁଛନ୍ତି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯୁବକମାନେ ପଥଭ୍ରଷ୍ଟ ହୋଇ ପଡିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ରାଜ୍ୟବାସୀ ବିଜେଡ଼ିକୁ ଉଚିତ୍ ଜବାବ ଦେବେ । "
ଇଟିଭି ଭାରତ, କଟକ