ଭୁବନେଶ୍ବର: ମୋଦି ଗ୍ୟାରେଣ୍ଟି ନାରାକୁ ନେଇ ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ପଦଯାତ୍ରା । ଓଲ୍ଡ ଟାଉନ ସ୍ଥିତ ଗୋସାଗରେଶ୍ୱର ଛକରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦେଇ ବାବା କପିଳେଶ୍ୱର ମନ୍ଦିରଠାରେ ଏହି ପଦଯାତ୍ରା ପହଁଚିଥିବା ବେଳେ, ସାଧାରଣସଭା ସହ ପଦଯାତ୍ରା ସରିଛି । ଏହି ବିଶାଳ ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମୀଙ୍କ ସହ ମିଶି ପଦଯାତ୍ରାରେ ଚାଲିଥିଲେ । ମୋଦି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ସହ ସିଧାସଳଖ କଥା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନା କରିଥଲେ ।
ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ବିକାଶର ରାଜନୀତି ବିଜେପି ବିଶ୍ୱାସ କରଥିବା ବେଳେ ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ ଓଡ଼ିଶାରେ ବିକାଶର ଧାରା ଅବ୍ୟାହତ ରହିବ । ଲୋକନୀତି, ଲୋକସେବା ଓ ବିକାଶ ବିଜେପି ରାଜନୀତିର ପରିଭାଷା ରହିଥିବା ବେଳେ ବିଜେପି କର୍ମୀ ଅହରହ ଲୋକଙ୍କ ସେବା କରୁଛନ୍ତି । ତେବେ ଏହି ପଦଯାତ୍ରାରେ ଏକ ବଡ ଘୋଷଣା କରିଛନ୍ତି ଅପରାଜିତା । ବାବା କପିଳେଶ୍ୱରଙ୍କ ଆଶୀର୍ବାଦ ନେଇ ଦୀର୍ଘଦିନରୁ ଏହି ମନ୍ଦିରର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବା ଭାରତୀୟ ପ୍ରତ୍ନତତ୍ବ ବିଭାଗକୁ ଏହି ମନ୍ଦିର ହସ୍ତାନ୍ତର ହୋଇଛି ବୋଲି କହିଛନ୍ତି ଅପରାଜିତା ।
ଅପରାଜିତା କହିଛନ୍ତି, ବର୍ତ୍ତମାନ ବିଭାଗ ଏହାର ସମସ୍ତ ବିକାଶର ଦାୟିତ୍ୱ ନେଇଥିବା ବେଳେ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କାର ମଞ୍ଜୁରୀ ହୋଇଛି । ଖୁବଶୀଘ୍ର ମନ୍ଦିର ବିକାଶକୁ ତ୍ଵରାନିତ୍ଵ କରାଯିବ । ବିକାଶର ଧାରାକୁ ନେଇ ଏଠାରେ ରାସ୍ତା ପ୍ରାସ୍ତାଟିକରଣ କାର୍ଯ୍ୟ ଆରମ୍ଭ ହେବ । ବସ୍ ସିଧାସଳଖ ଏଠାକୁ ଆସିବ ଓ ଶ୍ରଦ୍ଧାଳୁମାନେ ସୁବିଧାରେ ଆସି କପିଳେଶ୍ଵରଙ୍କ ଦର୍ଶନ କରିବେ । ଏହାସହ ଥଣ୍ଡା ପାନୀୟ ଜଳର ସୁବିଧା ଭୁବନେଶ୍ୱରର ୪୬୨ ମନ୍ଦିରରେ କରାଯାଉଥିବା ବେଳେ କପିଳେଶ୍ୱର ମନ୍ଦିରରେ ୭ ଦିନ ଭିତରେ ଶୁଦ୍ଧ ଓ ଥଣ୍ଡା ପାଣିର ବ୍ୟବସ୍ତା କରାଯିବ । ଏହି ସଭାରେ ରାଜ୍ୟ ସରକାର ଏକାମ୍ର ବିକାଶ ବିରୋଧି ବୋଲି କହି ସାଂସଦ ସମାଲୋଚନା କରିଛନ୍ତି । ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁ ବହୁ ପୂରାତନ ମନ୍ଦିର ଭାବେ ପରିଚିତ ବାବା କପିଳେଶ୍ୱର ମନ୍ଦିରର ବିକାଶ ହୋଇପାରୁନାହିଁ ବୋଲି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।
ଏହା ମଧ୍ୟ ପଢ଼ନ୍ତୁ...ଜମିଲାଣି ନିର୍ବାଚନୀ ମାହୋଲ, 'ମୋଦି ଗ୍ୟାରେଣ୍ଟି'କୁ ନେଇ ରାଜଧାନୀରେ ଜନସମ୍ପର୍କ ଯାତ୍ରା
ଏହି ଜନସମ୍ପର୍କ ପଦଯାତ୍ରାରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି ଚାଲିବ । ଚଳିତ କେନ୍ଦ୍ର ବଜେଟ୍ରେ ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ସଶକ୍ତ କରିଛି। “ବିକଶିତ ଭାରତ ଗଠନ” ଓ ମୋଦିଙ୍କ ଗ୍ୟାରେଣ୍ଟି ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି । ପୁଣି ଏଥର “ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ହେବ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ମୋଦି ଗ୍ୟାରେଣ୍ଟି ଚାଲିବ । ବିଗତ ୧୦ବର୍ଷର ମୋଦି ଗ୍ୟାରେଣ୍ଟିର ସୁଲଭ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟିତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତ୍ତାଙ୍କର ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର