ବୌଦ୍ଧ/ଅନୁଗୋଳ/ଝାରସୁଗୁଡା: ଆଗକୁ ନିର୍ବାଚନ । ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଯେଉଁ ଯେଉଁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ସେଠାରେ ବିଜେପି ପ୍ରାର୍ଥୀ ଏବେ ପ୍ରଚାର ମଇଦାନରେ । ବୌଦ୍ଧ, ଅନୁଗୋଳ ଓ ଝାରସୁଗୁଡାରେ ବିଜେପି ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ।
ଭୈରବୀଙ୍କ ଆଶୀର୍ବାଦ ନେଲେ ସରୋଜ: ବୌଦ୍ଧ ଜିଲ୍ଲାର ଆରାଧ୍ୟା ଦେବୀ ମା' ଭୈରବୀଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ । ତେବେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ନାଁ ଘୋଷଣା ପରେ ସମସ୍ତ ଦଳର ଶିବିରରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଏନେଇ ବିଜେପିର ଦୁଇ ବିଧାୟକ ପ୍ରାର୍ଥୀ ଗତକାଲି(ବୁଧବାର) ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ଜିଲ୍ଲାର ଦୁଇ ବିଧାନସଭା ଆସନରେ ଚଳିତ ନିର୍ବାଚନ ବେଶ ଜୋରଦାର ହେବ ବୋଲି ସୂଚନା ମିଳିଛି । ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ଏନେଇ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ମହୀଧର ରଣାଙ୍କୁ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ ଓ କଂଗ୍ରେସର ମନୋଜ ଆଚାର୍ଯ୍ୟ ଦଳୀୟ ଟିକେଟରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଜିଲ୍ଲାର ବିଧାନସଭା ଆସନରୁ ବିଜେଡି ଦଳ ବରିଷ୍ଠ ନେତା ପ୍ରଦୀପ କୁମାର ଅମାତଙ୍କୁ ନିର୍ବାଚନ ମୈଦାନକୁ ଆଣିଥିବା ବେଳେ ବିଜେପି ଦଳ ହରଭଙ୍ଗା ବ୍ଲକର ଯୁବ ନେତୃତ୍ବ ନେଉଥିବା ନେତା ସରୋଜ କୁମାର ପ୍ରଧାନଙ୍କ ଉପରେ ଭରସା କରିଛି । ସେହିପରି ଜିଲ୍ଲା କଂଗ୍ରେସର ସଭାପତି ନବ କୁମାର ମିଶ୍ରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି ।
ଗତ ମଙ୍ଗଳବାର ଉଭୟ ବିଜେପି ଓ କଂଗ୍ରେସ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଆଉ ଗତକାଲି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ମନ୍ଦିରରେ ପହଞ୍ଚି ଦେବୀଙ୍କ ଶରଣାପନ୍ନ ହୋଇଥିଲେ । ଏହାପରେ ପୁରୁଣା କଟକ ଠାରୁ ରାମଗଡ଼ ପର୍ଯ୍ୟନ୍ତ ସରୋଜ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ଦଳର ନେତା ଓ କର୍ମୀଙ୍କ ସହିତ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କୁ ଶୁଭେଚ୍ଛୁ ତଥା ସାଧାରଣ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ମାହେଶ୍ବରୀଙ୍କ ଆଶୀର୍ବାଦ ନେଲେ ଆଠମଲ୍ଲିକ ବିଜେପି ପ୍ରାର୍ଥୀ ସଞ୍ଜୀବ ସାହୁ: ସେହିପରି ଗତ ମଙ୍ଗଳବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପାଇଁ ମୋହର ବାଜିବା ପରେ ମାହେଶ୍ୱରୀଙ୍କ ମା'ଙ୍କ ଆଶୀର୍ବାଦ ନେଇଛନ୍ତି ବିଜେପି ପ୍ରାର୍ଥୀ ସଞ୍ଜୀବ ସାହୁ । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭାବେ ସଞ୍ଜୀବ ସାହୁଙ୍କ ନାମ ଘୋଷଣା ପରେ କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି । ଗତକାଲି ସନ୍ଧ୍ୟାରେ ସଂଜୀବ ସାହୁ ଆଠମଲ୍ଲିକ ଆରାଧ୍ୟ ମା' ମାହେଶ୍ୱରୀଙ୍କ ଦର୍ଶନ କରିବା ପରେ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ସନ୍ଧ୍ୟାରେ ସଞ୍ଜୀବ ଦଳୀୟ କର୍ମୀମାନଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ମା'ଙ୍କ ଦର୍ଶନ କରିଥିଲେ । ସେଠାରୁ ସେ ଲୋକଙ୍କ ସହ ମିଶି ପ୍ରଚାର ଆରମ୍ଭ କରିଥିଲେ। ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାନସଭା ପାଇଁ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।
ଝାରସୁଗୁଡାରେ ପ୍ରଚାର ମଇଦାନରେ ଟଙ୍କଧର ଓ ପ୍ରଦୀପ ପୁରୋହିତ: ଅନ୍ୟପଟେ ବିଜେପିର ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଘୋଷଣା ହେବା ପରେ ଗତକାଲି(ବୁଧବାର) ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଝାରସୁଗୁଡା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ କରି ଏକ ପ୍ରକାରର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଗତକାଲି ବିଜେପିର ଗ୍ରାମୀଣ ମହିଳା ମଣ୍ଡଳ ପକ୍ଷରୁ ବଡ଼ମାଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସାପଡା ପହଞ୍ଚିଥିଲେ । ସେଠାରେ ଥିବା ମନ୍ଦିର ଦର୍ଶନ କରିସାରି ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସେହି ସଭାରେ ପୁରୋହିତ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଝାରସୁଗୁଡ଼ା ବିକାଶ ପାଇଁ କାମ କରିବା ତଥା ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ପ୍ରଚାର ପାଇଁ ପ୍ରୋତ୍ସାହିତ କରିଥିଲେ ।
ଇଟିଭି ଭାରତ, ବୌଦ୍ଧ/ଅନୁଗୋଳ/ଝାରସୁଗୁଡା