ଭୁବନେଶ୍ବର: ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଲୋକମତ ସଂସଦୀୟ ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଛି । ଲୋକସଭା ସଂସଦୀୟ ପୁରସ୍କାର ୨୦୨୩ ପାଇଁ ରାଜ୍ୟସଭାର ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ କଂଗ୍ରେସ ଲୋକସଭା ସାଂସଦ ଶଶି ଥରୁରଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ କରାଯାଇଛି ।
ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଆଉ ଏକ ସମ୍ମାନ । ଲୋକମତ ସଂସଦୀୟ ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ସାଂସଦ ଭାବେ ସସ୍ମିତଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଠାରୁ ସସ୍ମିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ପ୍ରଦନ ଉତ୍ସବରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ- ରାଜ୍ୟସଭାରେ ବିତର୍କ ବେଳେ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ
ସସ୍ମିତ ପାତ୍ର ଓ ଶଶି ଥରୁରଙ୍କ ବ୍ୟତୀତ ଦୁଇ ଗୃହର ଅନ୍ୟ ୬ ଜଣ ସାଂସଦ ମଧ୍ୟ ସଂସଦରେ ଅବଦାନ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ପାଇଛନ୍ତି । ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ନେତା ଦାନିଶ ଅଲ୍ଲୀ ଏବଂ ରାଜ୍ୟସଭାରୁ ସିପିଆଇ(ଏମ) ସାଂସଦ ଜନ ବ୍ରିଟାସଙ୍କୁ ବର୍ଷର ଶ୍ରେଷ୍ଠ ନବାଗତ ସାଂସଦ ଭାବେ ମନୋନୀତ କରାଯାଇଛି । ରାଜ୍ୟସଭାରୁ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ଏବଂ ଭାରତୀୟ ଜନତା ପାର୍ଟିର ଲୋକସଭା ସାଂସଦ ମେନକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି ।
ଅଧିକ ପଢନ୍ତୁ- ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର
ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ସମ୍ପୃକ୍ତ ଗୃହର ଶ୍ରେଷ୍ଠ ମହିଳା ସାଂସଦ ଭାବେ ପୁରସ୍କୃତ କରାଯାଇଛି । ପ୍ରତିବର୍ଷ ଲୋକସଭାର ୪ ଜଣ ଓ ରାଜ୍ୟସଭାରୁ ୪ ଜଣ ବିଶିଷ୍ଟ ସାଂସଦଙ୍କୁ ଲୋକମତ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଏ । ଏହା ହେଉଛି ଏହି ପୁରସ୍କାରର ପଞ୍ଚମ ସଂସ୍କରଣ । ଯେଉଁଥିରେ ଲୋକମତ ସଂସଦୀୟ ପୁରସ୍କାର କମିଟି ଅଧ୍ୟକ୍ଷ ତଥା ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କଶ୍ୟପଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଜୁରି ଦ୍ବାରା ପୁରସ୍କାର ବିଜେତା ଚୟନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର