ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମଧ୍ୟ ରାଜନୈତିକ ମନ୍ତବ୍ୟ ଆଦାନ ପ୍ରଦାନ ଜାରୀ ରହିଛି । ପ୍ରସଙ୍ଗରେରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ପଲିଟିକାଲ ମାଇଲେଜ ନେବାକୁ ଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଇଡିସିଆଇଏଲ ପକ୍ଷରୁ ହୋଇଛି ଶିକ୍ଷକ ନିଯୁକ୍ତି । ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଇଡିସିଆଇଏଲ । ପୂର୍ବରୁ ଓସେପା ଶିକ୍ଷକ ନିଯୁକ୍ତି ନେଇ ସ୍ପଷ୍ଟୀକରଣ ରଖି ସାରିଛି । କେନ୍ଦ୍ରମନ୍ତ୍ରୀଙ୍କ ମିଛ ପଦାରେ ପକାଇଛି ତାଙ୍କ ବିଭାଗ ଅଧୀନରେ ଥିବା ଇଡିସିଆଇଏଲ । କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ନେଇ ଇଡିସିଆଇଏଲ ଏବଂ ଓସେପା ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା । ଏନେଇ ଇଡିସିଆଇଏଲ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତି ବର୍ତ୍ତମାନ ସାମ୍ନାକୁ ଆସିଛି । ଗତ ଅଗଷ୍ଟ ୨୨ ତାରିଖରେ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିବା ବେଳେ ଇଡିସିଆଇଏଲ ଏହାକୁ ପରିଚାଳନା କରିଥିଲା ।
ଅଧିକ ପଢନ୍ତୁ- ଧର୍ମେନ୍ଦ୍ରଙ୍କ ମାରାଥନ ସମ୍ବଲପୁର ଗସ୍ତ; ମାହାଲମାଣ୍ଡା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ
ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ପରିଚାଳିତ ବୋଲି କୁହାଯାଉଥିବା ଏକ ଆଇଟି ସେଲ ମିଛ କଥାକୁ ଅପ୍ରଚାର କରୁଛି । ପଲିଟିକାଲ ମାଇଲେଜ ନେବାକୁ ଉଦ୍ୟମ କରୁଛି । ଏକ ଅଣସ୍ବୀକୃତ ଓଡ଼ିଆ ପ୍ରେସ ରିଲିଜକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରାଯାଉଛି । ସାଧାରଣ ଲୋକଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଶିକ୍ଷକ ନିଯୁକ୍ତି ଭଳି ଏକ ସମ୍ବେନଶୀଳ ପ୍ରସଙ୍ଗକୁ ନେଇ ଉଦ୍ଦେଶ୍ୟମୂଳକ ଭାବେ ରାଜନୀତି କରିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ଏକ୍ସରେ ଇଡିସିଆଇଏଲର ଏକ ବିଜ୍ଞପ୍ତି ପୋଷ୍ଟ କରି ସସ୍ମିତ କହିଛନ୍ତି ଯେ, କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ ମିନିରତ୍ନ କାଟାଗୋରୀରେ ଆସେ । ଯାହା, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାରଲାଲ ନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ନିଯୁକ୍ତି କରିଥାଏ ।
ନିଯୁକ୍ତିକୁ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାଲମାଣ୍ଡା ଉକ୍ତିକୁ ନେଇ ରାଜନୀତି ଜୋରଦାର ହେଉଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ । ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିର ରୁଟି ସେକିବା ସହ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର