ବ୍ରହ୍ମପୁର: ବ୍ରହ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଜେଡି ସରକାରକୁ ଟାର୍ଗେଟ କଲା ବିଜେପି । ଏଭଳି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କହିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ସ୍ଥାନୀୟ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଦୀପ । ଓଡିଶାରେ କ୍ରମାଗତ ଭାବରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ବୋଲି କହିବା ସହ ନାବାଳିକା ଗଣଦୁଷ୍କର୍ମ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବା କହିଛନ୍ତି ପ୍ରଦୀପ ।
ଏହି ପ୍ରେସମିଟ୍ରେ ପ୍ରଦୀପ କହିଛନ୍ତି, "ଜଣେ ଘରୋଇ ଶିକ୍ଷାନୁଷ୍ଠାନର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ମୁଖ୍ୟମନ୍ତ୍ରୀଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଗଞ୍ଜାମର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ୨୦୨୩ ମସିହାରେ ପ୍ରାୟ ୩୦୦ ଜଣଙ୍କ ଅପରାଧରେ ମୃତ୍ୟୁ ଘଟିଛି । ଏହି ଦୁଷ୍କର୍ମ ଘଟଣା ୩ ତାରିଖରେ ଘଟିଥିବା ବେଳେ ୫ ତାରିଖରେ ଏତେଲା ରୁଜୁ ହେଲା । ୬ ତାରିଖରେ ପ୍ରଧାନମନ୍ତ୍ରୀ ଆସି ବ୍ରହ୍ମପୁରରୁ ଫେରିବା ପରେ ଏହି ଘଟଣାର ସୂଚନା ଦେବାରେ ଓଡିଶା ପୋଲିସ ବିଳମ୍ବ କଲା । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡି ନୀରବ ରହିଛି । ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି, ତାହାକୁ ପ୍ରକାଶ କରାଯାଉନାହିଁ । ଘଟଣାକୁ ଉପସ୍ଥାପନ କରାଯିବାରେ ଅସୁବିଧା କଣ ରହିଛି ?" ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ଏହା ମଧ୍ୟ ପଢ଼ନ୍ତୁ...ମୃଦୁ ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୫ ଗିରଫ - BERHAMPUR GANG RAPE CASE
ରାଜ୍ୟ ସରକାରଙ୍କ ସଫଳତା ଯଦି ସତ, ତାହେଲେ ଓଡିଶାରେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ମାତ୍ରାଧିକ ବୃଦ୍ଧି ପାଇବାର କାରଣ କଣ ବୋଲି କହିଛନ୍ତି ପ୍ରଦୀପ । ସେ କହିଛନ୍ତି, "ଯଦି ସରକାରଙ୍କ ଯୋଜନା ଓ ନିୟମ ସଫଳ, ତାହେଲେ ସମସ୍ତେ ଖୁସିରେ ରହିବା ବଦଳରେ ଏପରି ଘଟଣା ଘଟୁଛି କାହିଁକି ? କେଉଁ କାରଣରୁ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି ତାହାକୁ ଅନୁଧ୍ୟାନ କରାଯାଉ । ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଶିକ୍ଷାର ଅଭାବ ରହିଛି କି ? ଏହାକୁ ଗୁରୁତର ସହିତ ବିଚାର କରିବା ଉଚିତ । ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ଯୁବନୀତିର ଏହା ପ୍ରତିଫଳନ କି ? ତାରକା ହୋଟଲରେ ରଖି ଯୁବ ସମାବେଶକୁ ଯେଉଁ ତାଲିମ ଦିଆଯାଉଛି, ତାହାର ପ୍ରତିଫଳନ ନୁହେଁ ତ ? ଗତ ୨୦୨୩ ମସିହାରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହତ୍ୟା ଓ ବିଭିନ୍ନ କାରଣରୁ ଘଟୁଥିବା ହତ୍ୟା ଘଟଣାରେ ଏନସିଆରଟି ରିପୋର୍ଟ ପ୍ରକାଶ ପାଇଛି, ତାହା ସତ୍ୟ କି ? ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେ କି ?"
ଇଟିଭି ଭାରତ, ବ୍ରହ୍ମପୁର