ବାଲେଶ୍ବର: ଶୀତଦିନ ଆସିଲେ ଆଗରୁ ଘରେ ଘରେ ଉଲରେ ବସ୍ତ୍ର ତିଆରି କରୁଥିଲେ । ଶୀତ ସହ ଭଲ ଭାବେ ମୁକାବିଲା କରି ପାରୁଥିବାରୁ ଉଲ ଶ୍ୱେଟର, ମଫଲର, ହ୍ୟାଣ୍ଡ ଗ୍ଲୋବସ, ସକ୍ସ ଆଦି ସବୁର ବେଶ ଚାହିଦା ରହିଥିଲା । ଘରେ ମହିଳାମାନେ ଉଲ ଓ କଣ୍ଟା ସାହାଯ୍ୟରେ ଘରର ପିଲାଠାରୁ ବୁଢା ଯାଏ ସମସ୍ତଙ୍କ ପାଇଁ ଶୀତ ବସ୍ତ୍ର ବୁଣି ଦେଉଥିଲେ । ଏବେ ସମୟ ବଦଳିବା ସହ ରେଡିମେଡ୍ ବସ୍ତ୍ରର ଚାକଚକ୍ୟ ଭିତରେ ଉଲ ବୁଣା ଶୀତବସ୍ତ୍ରର ଚାହିଦା କମିବାରେ ଲାଗିଛି । ହେଲେ କିଛି ମହିଳାମାନଙ୍କ ପାଇଁ ଆଜି ପୁଣିଥରେ ଉଲ ତିଆରି ବସ୍ତ୍ର ଲୋକମାନଙ୍କ ଦ୍ବାରା ଆଦୃତ ହେଉଥିବା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ମଧ୍ୟ ଏହାକୁ ତିଆରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ।
ଶୀତବସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି:
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ଉଲରେ କେବଳ ଶୀତବସ୍ତ୍ର ନୁହେଁ ବରଂ ଘର ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ସ୍କୁଲ ବ୍ୟାଗ ପର୍ଯ୍ୟନ୍ତ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ସେମିତି ଏକ ଉତ୍ପାଦକ ଗୋଷ୍ଠୀ ହେଉଛି ବାଲେଶ୍ୱର ଜିଲ୍ଲା ଶ୍ରୀକୋଣା ଅଞ୍ଚଳର ନବ ବିକାଶ ଉତ୍ପାଦକ ଗୋଷ୍ଠୀ । ଯେଉଁଠି ପ୍ରାୟ 60ରୁ ଊର୍ଦ୍ଧ୍ଵ ମହିଳା ଉଲରେ ବିଭିନ୍ନ ସାମଗ୍ରୀ ତିଆରି କରି ବଜାରରେ ବିକିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଧ୍ୟ ବିକ୍ରି କରୁଛନ୍ତି । ଏହି ଉତ୍ପାଦକ ଗୋଷ୍ଠୀ ଦ୍ୱାରା ତିଆରି ସାମଗ୍ରୀ ଏବେ ଲୋକଙ୍କ ଦ୍ୱାରା ଆଦୃତ ହୋଇଛି । ନବ ବିକାଶ ଉତ୍ପାଦକ ଗୋଷ୍ଠୀର ସମ୍ପାଦିକା ହରପ୍ରିୟା ମଣ୍ଡଳ କହିଛନ୍ତି, "ଆମେ 2005ରୁ ଏହି କାମ ଆରମ୍ଭ କରିଥିଲୁ, ଏହାକୁ ଆମେ ଘରେ ତିଆରି କରୁଥିଲୁ । ଯେତେବେଳେ ବଜାରରେ ଉଲ ସାମଗ୍ରୀର ଚାହିଦା ବଢ଼ିଲା ଆମେ 2009 ବେଳକୁ ଗ୍ରୁପ କରି ଏହାର ବିକ୍ରି ଆରମ୍ଭ କରିଛୁ । ଆମ ନବ ବିକାଶ ଉତ୍ପାଦକ ଗୋଷ୍ଠୀରେ 32 ଜଣ ମହିଳା ଉଲରେ ବିଭିନ୍ନ ସାମଗ୍ରୀ ବୁଣୁଛନ୍ତି । ଜଳେଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ 65 ଜଣ ମହିଳା ମୋ ଅଧୀନରେ କାମ କରୁଛନ୍ତି । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ପିନ୍ଧିବା ବସ୍ତ୍ର ଆମେ ଉଲରେ ତିଆରି କରୁଛୁ ।"
"ବଜାର ଉପରେ ନିର୍ଭର ନକରି ନିଜେ ପ୍ରସ୍ତୁତ କରି ନିଜେ ପିନ୍ଧିବା ଘର ସଜାଇବା ସବୁଠୁ ଭଲ ଉପାୟ । ଆମେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଷ୍ଟଲ ଲଗାଇବା ସହ ବାହାର ରାଜ୍ୟରେ ମଧ୍ୟ ଆମ ସାମଗ୍ରୀ ନେଇ ଷ୍ଟଲ ଲଗାଇଛୁ । ସରକାରଙ୍କ ସହଯୋଗ ଫଳରେ ଆମେ ବିଭିନ୍ନ ସ୍ଥାନକୁ ଯାଇପାରୁଛୁ । ରେଡିମେଡ ଭଳି ବି ଉଲ ସାମଗ୍ରୀ ଷ୍ଟାଇଲ କରିହେବ । ରେଡିମେଡ ସେତିକି ଆରାମ ଦାୟକ ଲାଗିବନି କିମ୍ବା ସେତିକି ଦୀର୍ଘଜୀବୀ ମଧ୍ୟ ନୁହେ ଯାହା ଉଲ ସାମଗ୍ରୀ ବହୁତ ଦିନ ଯାଏ ବ୍ୟବହାର କରିହେବ । ଆମର ସର୍ବନିମ୍ନ 30 ଟଙ୍କାରୁ 1500 ଟଙ୍କା ଯାଏ ସାମଗ୍ରୀ ରହିଛି । ଘର ସଜାଇବା ଠାରୁ ଆରମ୍ଭ କରି ସ୍କୁଲ ବ୍ୟାଗ, ଡ୍ରେସ, ଡୋର ସ୍କ୍ରିନ, ଭ୍ୟାନିଟି, ପର୍ସ ସବୁ ରହିଛି" ବୋଲି ସେ କହିଛନ୍ତି ।
ଗ୍ରାହକଙ୍କ ପ୍ରଶଂସା:
ଅତ୍ୟାଧୁନିକ ଯୁଗରେ ଆମ ହସ୍ତକଳା ପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରୁ ନଥିବାବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏସବୁ ସାମଗ୍ରୀ ଦେଖିଲେ ଆଗ୍ରହୀ ହେଉଛନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ସୁକାନ୍ତ କରଣ । ସୁକାନ୍ତ ନିଜର ପ୍ରତିକ୍ରିୟାରେ କହିଛନ୍ତି," ବର୍ତ୍ତମାନର ଚାକଚକ୍ୟ ଭିତରେ ଆମର ହସ୍ତକଳା ଧୀରେ ଧୀରେ ଲୋପ ପାଉଛି । ସେତେବେଳର ଯେଉଁ ଜିନିଷର କ୍ବାଲିଟି ଆଉ କମ୍ଫର୍ଟ ମିଳୁଥିଲା, ଆମର ଚର୍ମ ପାଇଁ ଯେତେ ଭଲ ଥିଲା, ଏବେ ଯେଉଁ ରେଡିମେଡ ଆସୁଛି ସେତିକି ଆରାମ ଲାଗୁନାହିଁ । ଆମର ଯେଉଁ ହାତକଳା ରହିଛି ସେସବୁ ଲୋପ ପାଇଯାଉଛି । ସେମାନେ ଯେଉଁ ହସ୍ତକଳା ବଞ୍ଚେଇ ରଖିଛନ୍ତି ଆମେ ତାଙ୍କ ପାଇଁ ଗର୍ବ ଅନୁଭବ କରିବା କଥା।"
ଏହା ବି ପଢନ୍ତୁ...ହାତରେ କାଠ ନୁହେଁ ଏବେ କାର୍ପେଟ, ଆଦିବାସୀ ମହିଳାଙ୍କୁ ଦେଇଛି ରୋଜଗାର
ଏହା ମଧ୍ୟ ପଢନ୍ତୁ ...ହସ୍ତତନ୍ତ ବସ୍ତ୍ରରେ ପ୍ରାକୃତିକ ରଙ୍ଗ, ସ୍ବାବଲମ୍ବୀ ସହ ରୋଜଗାର ସମ୍ଭାବନା
'ମା'ର ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ରହୁଥିଲା'
ଅନ୍ୟପଟେ ପୂର୍ବରୁ ଉଲରେ କେମିତି ବସ୍ତ୍ର ବୁଣା ଯାଇପାରିବ ସେନେଇ ଝିଅମାନଙ୍କୁ ମା' ମାନେ ଶିଖାଉଥିଲେ। ହେଲେ ବର୍ତ୍ତମାନ ସେସବୁ କଳା ଶିଖିବାକୁ ଆଉ କାହାରି ଇଚ୍ଛା ପ୍ରକାଶ ପାଉନାହିଁ । ଏହାକୁ ନେଇ ଗ୍ରାହକ ଶୁଭସ୍ମିତା ମହାପାତ୍ର କହିଛନ୍ତି, "ଆମେ ବି ଯେତେବେଳେ ଝିଅ ଥିଲୁ ଆମକୁ ମା, ଖୁଡ଼ି ଉଲ ତିଆରି ସାମଗ୍ରୀ ବିଷୟରେ ଶିଖାଉଥିଲେ । ଏବେ ତ ସେସବୁ ଲୋପ ପାଇଗଲାଣି । ଆମେ ଚାହୁଁଛୁ ଯେଉଁ ମା' ମାନେ ଏସବୁ କରୁଛନ୍ତି ତାଙ୍କର ସେ ବ୍ୟବସାୟ ଆଗକୁ ବଢୁ । ଆଗାମୀ ପିଢିମାନେ ଏକଥା ଜାଣନ୍ତୁ । ମା'ର ସ୍ନେହ ଶ୍ରଦ୍ଧା, ଭଲ ପାଇବା ତା ଭିତରେ ରହୁଥିଲା । ଏ ଜିନିଷ ପିନ୍ଧିଲେ ଆତ୍ମୀୟତା ଭାବନା ଆସେ ।"
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ