ବଲାଙ୍ଗୀର: ଜିଲ୍ଲାର ଚୂଡାପାଲି ସ୍ଥିତ ଆଦିବାସୀ ଆଶ୍ରମ ସ୍କୁଲରୁ ନିଖୋଜ ହୋଇଯାଇଥିବା ସପ୍ତମ ଶ୍ରେଣୀ ଛାତ୍ର ଦିନକ ପରେ ଉଦ୍ଧାର ହୋଇଛି । ସ୍କୁଲରୁ ୨୦ କିମି ଦୂର ପାଟଣାଗଡ଼ ଅଞ୍ଚଳରୁ ପିଲାଟିକୁ ଗତକାଲି(ବୁଧବାର) ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଲୋକମାନେ ଛାତ୍ରଙ୍କୁ ପୋଲିସର ଜିମା ଦେଇଥିବା ବେଳେ ପୋଲିସ ପିଲାଟିର ବାପାମାଆ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ହସ୍ତାନ୍ତର କରିଛି । ପୂର୍ବରୁ ଏଠି ଏକାଧିକ ଛାତ୍ର ହଷ୍ଟେଲରୁ ଫେରାର ମାରିବାର ଅଭିଯୋଗ ହୋଇଆସିଛି । ଏପରି ସ୍ଥଳେ ଦୁଇ ଦିନ ତଳେ ପୁଣି ଜଣେ ଛାତ୍ର ଏଠୁ ନିଖୋଜ ହେବା ଘଟଣା ସାମ୍ନାକୁ ଆସିଥିଲା ।
ମଙ୍ଗଳବାର ଦିନ ସମ୍ପୃକ୍ତ ସପ୍ତମ ଶ୍ରେଣୀ ଛାତ୍ର ଜଣକ ଚୂଡାପାଲିରୁ ୨୦ କିମି ଚାଲି ଚାଲି ପାଟଣାଗଡରେ ପହଞ୍ଚିବା ପରେ ତାକୁ ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । ପଚରାଉଚରା ପରେ ଘଟଣା ଜଣାପଡିଥିଲା । ପିଲାଟି ସ୍କୁଲରୁ ଲୁଚିକି ଚାଲି ଆସିଥିବା ଜାଣି ଲୋକମାନେ ତାକୁ ପାଟଣାଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲେ । ଏହାପରେ ପୋଲିସ ସଂପୃକ୍ତ ଛାତ୍ରର ବାପାମାଆ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ହସ୍ତାନ୍ତର କରିଥିଲା । ତେବେ ସ୍କୁଲରେ ଅକଥନୀୟ ନିର୍ଯାତନା ଦିଆଯାଇଥିବାରୁ ସେ ସ୍କୁଲ ଛାଡ଼ି ଫେରାର ମାରିଥିବା ଅଭିଯୋଗ ଆଣିଛି ଛାତ୍ର ଜଣକ ।
ପିଲାଟିର ଅଭିଯୋଗ ଅନୁସାରେ, ସ୍କୁଲର ଦଶମ ଶ୍ରେମୀ ପିଲା ତାକୁ ମାରପିଟ୍ କରିବା ସହ ତା'ଠାରୁ ଶହେ ଟଙ୍କା ନେଇ ଯାଇଥିଲେ । ସିନିୟରମାନଙ୍କ ନିର୍ଯାତନା ସହି ନପାରି ସେ ହଷ୍ଟେଲରୁ ଚାଲି ଆସି ଘରକୁ ଯାଉଥିଲା । ଏ ସମ୍ପର୍କରେ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି ବୋଲି ପିଲାଟି ଅଭିଯୋଗ କରିଛି ।
ଏହା ମଧ୍ୟ ପଢନ୍ତୁ: କାଳ ହେଲା ଝଗଡା, 14 ବର୍ଷର ବାଳକକୁ ହତ୍ୟା କଲା 12 ବର୍ଷର ନାବାଳକ
ସୂଚନା ଅନୁସାରେ, ଉଦ୍ଧାର ଛାତ୍ରଙ୍କ ଘର ଚୂଡାପାଲି ସ୍କୁଲଠାରୁ ୭୦ କିମି ଦୂର କଣ୍ଟାବାଞ୍ଜି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଲୋକେ ପିଲାଟିକୁ ପାଟଣାଗଡ଼ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତା'ର ବାପାମାଆ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ଛାତ୍ରଙ୍କୁ ହସ୍ତାନ୍ତର କରିଥିବାର ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ କହିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଠି ପ୍ରଶ୍ନ ଉଠୁଛି, ସବୁ ସୁବିଧା ସତ୍ତ୍ୱେ ପିଲାମାନେ କାହିଁକି ହଷ୍ଟେଲରୁ ଫେରାର୍ ମାରୁଛନ୍ତି ? ହଷ୍ଟେଲରେ ନିର୍ଯାତନା ନା ଅନ୍ୟ କିଛି କାରଣ ରହିଛି ତାହା ଉପରେ ତଦନ୍ତ ହେବା ନିହାତି ଜରୁରୀ ହୋଇପଡିଛି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏଠାରେ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଅତି ଢ଼ିଲା ରହିଛି । ନିକଟରେ ଏଭଳି ତିନି ଜଣ ଛାତ୍ର ଏହି ସ୍କୁଲରୁ ଫେରାର ମାରିବାର ଅଭିଯୋଗ ହୋଇଥିଲା । ଏଥିପାଇଁ କିଏ ଦାୟୀ ଓ ତାଙ୍କ ବିରୋଧରେ କ'ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବା ବାକି ରହିଲା ।
ଇଟିଭି ଭାରତ, ବଲାଙ୍ଗୀର