ଢେଙ୍କାନାଳ: ରାଜ୍ୟରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାରେ ୧୦,୨୧ଟି ବୁଥରେ ଭୋଟ ଗ୍ରହଣ ଚାଲିଥିଲେ ମଧ୍ୟ ଗୋଟିଏ ବୁଥ ଏଥିରୁ ବାଦ ପଡିଛି । ମତଦାନ ପରି ଗଣତନ୍ତ୍ରର ମହାନ ପର୍ବରୁ ଗ୍ରାମବାସୀ ବିଚ୍ୟୁତ ରହିଛନ୍ତି । ଏପରିକି ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଯେତେ ବୁଝାସୁଝା ପରେ ବି ଭୋଟ ଦେବିନି ବୋଲି ସିଧାସିଧା ଶୁଣାଇ ଦେଲେ ଗ୍ରାମବାସୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗ୍ରାମରେ ।
ତେବେ ବାଘମୁଣ୍ଡା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ସ୍ତରରେ କେହି ସେମାନଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇ ଭୋଟ ବର୍ଜନ କରିଛନ୍ତି । ଗ୍ରାମର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କ ଗ୍ରାମକୁ ସ୍ଥାୟୀ ରାସ୍ତାଟିଏ ନାହିଁ, ପାନୀୟଜଳର ସମସ୍ୟା ଅତି ଜଟିଳ ସ୍ଥିତି । ଏପରିକି ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଆଦି ମୌଳିକ ସମସ୍ୟାକୁ ନେଇ ଦୀର୍ଘ ବର୍ଷ ହେଲା ଗ୍ରାମବାସୀମାନେ ଅବହେଳିତ ହୋଇ ରହିଛନ୍ତି । ଏନେଇ ପ୍ରଶାସନଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରି ଆସୁଛନ୍ତି ଗ୍ରାମବାସୀ । ହେଲେ ଗ୍ରାମବାବୀଙ୍କ ସମସ୍ୟାର ସମାଧାନ କରିବାକୁ କେହି ଆଗ୍ରହ ଦେଖାଇନାହାନ୍ତି ।
ସେପଟେ ଆଜି ମତଦାନ ଥିବା ବେଳେ ଗ୍ରାମର ସମସ୍ତେ ଏକାଠି ହୋଇ ଭୋଟ କେନ୍ଦ୍ରକୁ ନଯିବାକୁ ନିଷ୍ପତି ନେଇ ଭୋଟ ବର୍ଜନ କରିଛନ୍ତି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘୁମୁଣ୍ଡା ଗ୍ରାମର ୬୫ ନମ୍ବର ବୁଥ ସମ୍ପୂର୍ଣ୍ଣ ଖାଲି ରହିଥିବା ଜଣାପଡିଛି । ଏହି ବୁଥରେ ୫୪୦ଜଣ ଭୋଟର ରହିଥିବା ବେଳେ କେହି ଜଣେ ମଧ୍ୟ ଭୋଟ ଦେଇନଥିବା ସୂଚନା ମିଳିଛି । ଖବର ପାଇ କଙ୍କଡାହାଡ ତହସିଲଦାର ଓ ମହାବିରୋଡ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଛନ୍ତି । ଲୋକମାନେ ସେମାନଙ୍କ ଜିଦରେ ଅଟଳ ଅଛନ୍ତି । ଏହି ବୁଥରେ ଗୋଟିଏ ବି ଭୋଟ ପଡିନଥିବା ଜଣାପଡିଛି ।
ଇଟିଭି ଭାରତ, ଢେଙ୍କାନାଳ