କେନ୍ଦ୍ରାପଡା: ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସାମାଜିକ ଗଣମାଧ୍ୟମ ଫେସବୁକ ସାଇଡ଼କୁ ହ୍ୟାକ କରିଛନ୍ତି ଦୁର୍ବୃତ୍ତ। ହ୍ୟାକ କରି ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରୁଛନ୍ତି । ଏନେଇ ଥାନା ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଳି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ପଣ୍ଡା । ଫେସବୁକ ଷ୍ଟୋରିରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଲଗାତାର ଅଶ୍ଳୀଳ ଭିଡିଓ ଓ ଫଟୋ ପ୍ରଦର୍ଶିତ ହେଉଥିବା ବେଳେ ଏହାକୁ ନେଇ ସାଧାରଣରେ କୃଷ୍ଣଚନ୍ଦ୍ରଙ୍କ ସମ୍ମାନ ହାନି ହେଉଥିବା ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଅଶ୍ଲିଳ ଫଟୋ ଓ ଭିଡିଓ ପୋଷ୍ଟ ଉପରେ ରୋକ ଲଗାଇବା ପାଇଁ କୃଷ୍ଣଚନ୍ଦ୍ର ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଥିସହ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ନିଜେ କୃଷ୍ଣଚନ୍ଦ୍ର ଆଲୋଚନା କରି ଫେସବୁକ ଆଇଡି ହ୍ୟାକ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ କହିଛନ୍ତି । ପ୍ରାର୍ଥୀଙ୍କ ସୋସିଆଲ ମିଡିଆ ସାଇଡ଼ ହ୍ୟାକ ହେବା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଇଛି। କୃଷ୍ଣଚନ୍ଦ୍ର ତାଙ୍କର ନିର୍ବାଚନୀ ପ୍ରଚାର ଠାରୁ ଆରମ୍ଭ କରି ମିଶ୍ରଣ ପର୍ବକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିୟା ପ୍ରତିଶ୍ରୁତି ଦେବା ପରେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି କୃଷ୍ଣଚନ୍ଦ୍ର ଓ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ।
ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡାରେ ବିଜେପିର ବ୍ଳକ ଘେରାଉ, ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ବିରୋଧ
ଆଳି ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି କୃଷ୍ଣଚନ୍ଦ୍ର ପଣ୍ଡା। ବର୍ତ୍ତମାନ ସେ ନିର୍ବାଚନୀ ପ୍ରଚାର ଜାରି ରଖିଥିବା ବେଳେ ତାଙ୍କ ସୋସିଆଲ ମଡିଆ ଆକାଉଣ୍ଟରେ ଅଶ୍ଲିଳ ଫଟୋ ଭିଡିଓ ପୋଷ୍ଟ ତାଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ କିଏ ଓ କାହିଁକି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।
ଇଟିଭି ଭାରତ,କେନ୍ଦ୍ରାପଡା