ଅନୁଗୋଳ: ଏମିତି ଏକ ଫାର୍ମ ହାଉସ ଯାହାକୁ ଦେଖିଲେ ଆଖି ଫେରାଇ ହେଉନି । ଯୁଆଡେ ଚାହିଁବ ଗଛରେ ଭଳିକି ଭଳି ପନିପରିବା ଆଉ ଫଳ । ଖାଲି ସେତିକି ନୁହେଁ ଆଖୁ ଠାରୁ ଆରମ୍ଭ କରି ସେହି ଫାର୍ମ ହାଉସରେ ଘୋଡା, ଗଧ, ଗାଈ, ଛେଳି, ମେଣ୍ଢା, ମାଙ୍କଡ଼, ଠେକୁଆ ସମେତ, କୁକୁଡ଼ା ଓ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳେ । ଫାର୍ମ ହାଉସ ଭିତରକୁ ଗଲେ ମିନି ଚିଡ଼ିଆ ଖାନାର ଭ୍ରମ ସୃଷ୍ଟି କରୁଛି । ଏମିତି ଏକ ଫାର୍ମ ହାଉସ ରହିଛି ଅନୁଗୋଳ ଜିଲ୍ଲାର ଶାବଳ ଭଙ୍ଗା ଗାଁରେ ।
ଯୁବ ଚାଷୀ ଲିପୁ:
ଶାବଳ ଭଙ୍ଗା ଗାଁର ଯୁବ ଚାଷୀ ନିଳାଞ୍ଚଳ ଓରଫ ଲିପୁ ସାହୁ । ଗାଁ ଠାରୁ ପ୍ରାୟ ୨ କିମି ଦୂରରେ ତାଙ୍କର ରହିଛି ୩୨ ଏକର ଜମି । ୪ ବର୍ଷ ପୂର୍ବେ ସେହି ଜମି ଘାସ ଓ ଲତାବୁଦାରେ ଭରପୁର ଥିଲା । ଶିକ୍ଷିତ ଯୁବକ ଲିପୁ ଚାକିରି ପଛରେ ନଗୋଡ଼ାଇ ସେହି ଜମିରେ କିଛି କରିବାକୁ ଚାହିଁଲେ । ଗତ ୨୦୨୧ ମସିହାରୁ ସେହି ଜମିକୁ ସମତୁଲ କରି ଚାଷବାସ ଆରମ୍ଭ କଲେ । ପ୍ରଥମେ କିଛି ଜମିରେ ଧାନଚାଷ କଲେ । ସେଥିରେ ସଫଳ ହେବା ପରେ ପନିପରିବା, ଡାଲି ଜାତୀୟ, ତୈଳବିଜ ଫସଲ କଲେ । ସେଥିରେ ମଧ୍ୟ ବେସ ସଫଳତା ପାଇଲେ । ଏବେ ତାଙ୍କ ଜମିରେ ବାଇଗଣ, ଭେଣ୍ଡି, କାକୁଡି, ଜହ୍ନି, କଲରା, ଛଚିନ୍ଦ୍ରା, କଖାରୁ ଆଦି ବହୁ ପ୍ରକାର ପରିବା, ଆମ୍ବ, ପିଜୁଳି, ଡାଲିମ୍ବ ଓ ଅମୃତଭଣ୍ଡା ଆଦି ଫଳ, ଆଖୁ, ଚିନା ବାଦାମ, ରାଶି, ହରଡ଼ ଭଳି ଅର୍ଥକାରୀ ଫସଲରେ ଭରପୁର ହୋଇଛି । ଯୁଆଡେ ଚାହିଁଲେ ସବୁଜିମା । ବର୍ଷ ତମାମ ବିଭିନ୍ନ ଫସଲରେ ଜମି ହସୁଥାଏ ।
ଏହା ମଧ୍ୟ ପଢ଼ନ୍ତୁ...ଗୁରୁଜୀଙ୍କ ଯାଆଁଳା ଚାଷ, ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ - FISH FARMING
ଚାକିରୀ ପଛରେ ନ ଗୋଡ଼ାଇ, ଚାଷ କରି ସ୍ବାବଲମ୍ବୀ:
ଏନେଇ ଲିପୁ କହିଛନ୍ତି" ମୋର ୩୩ ଏକର ଜାଗା ଜଙ୍ଗଲ ହୋଇ ପଡ଼ିଥିଲା । ମୁଁ ଚାକିରି ନପାଇ, ମୋ ନିଜ ଜାଗାରୁ କେମିତି ରୋଜଗାର କରିବି ଭାବିଥିଲି । ମୁଁ ବର୍ତ୍ତମାନ ଏହି ଜାଗାରୁ ୧୦ ଏକର ଧାନ ଚାଷ କରୁଛି । ରବି ଫସଲ ବି ଅମଳ କରୁଛି । ଫାର୍ମ ହାଉସରେ ଛେଳି, ମେଣ୍ଢା, ଗାଈ, ବତକ, ହଂସ, ଘୋଡ଼ା ଅଛନ୍ତି । ସେଥିରୁ କିଛି ଲାଭ ହୋଉଛି । ମାଛ ଚାଷ ବି କରିଛି ସେଥିରୁ ମଧ୍ୟ ଲାଭପ୍ରଦ ହେଉଛି । ଏଠାରେ ୮ରୁ ୧୦ ଜଣ ଲୋକ ଅଛନ୍ତି । ଏଠାରୁ ରୋଜଗାର କରି ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଚାକିରି ଅପେକ୍ଷା ନିଜ ଜାଗାରୁ ଚେଷ୍ଟା କରି ଫସଲ କରିବା ବହୁତ ଭଲ କଥା ।" ବର୍ତ୍ତମାନ ବଣୁଆ ହାତୀ ଉପଦ୍ରବ ବଢୁ ଥିବାରୁ ଫସଲ ସୁରକ୍ଷା ପାଇଁ ନିଜ ଖର୍ଚ୍ଚରେ ଫାର୍ମ ଚାରିପଟେ ସୋଲାର ତାରବାଡ଼ ଲଗାଇ ଦେଇଛନ୍ତି । ଏ ସଂପର୍କରେ ଗାଁର ସଭ୍ୟ କୁମାର ବେହେରା କହିଛନ୍ତି "ଲିପୁ ହେଉଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ, ନିଜସ୍ଵ ଖର୍ଚ୍ଚରେ ଓ ପରିଶ୍ରମ ବଳରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେଇଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଚାଷ; ଶଳା-ଭିଣୋଇ ପାଇଲେ ନୂଆ ପରିଚୟ, ଲକ୍ଷ ଲକ୍ଷ ରୋଜଗାର, ସକାଳୁ ଘାସ ଉପରେ ଚାଲିଲେ ଭଲ ହେବ ବଡ ରୋଗ ! - Khordha Grass Farming
ଫାର୍ମ ହାଉସରେ ଅଛନ୍ତି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ:
କେବଳ ପନିପରିବା ଓ ଫଳ ନୁହେଁ, ଲିପୁଙ୍କ ଫାର୍ମ ହାଉସରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ମଧ୍ୟ ଦେଖିବାକୁ ମିଳନ୍ତି । ଶତାଧିକ ଗାଈ ପାଳନ କରିଛନ୍ତି ଲିପୁ । ଛେଳି, ମେଣ୍ଢାଙ୍କ ସମେତ ଦେଖିବାକୁ ମିଳନ୍ତି ଘୋଡା, ଗଧ, ମାଙ୍କଡ଼, ଠେକୁଆ ଓ କୁକୁର । ଏହାଛଡା ରାଜହଂଶ, ବତକ, କୁକୁଡ଼ା, ତୁର୍କୀ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି । ଲିପୁଙ୍କୁ ଦେଖିବା ମାତ୍ରେ ପଶୁପକ୍ଷୀମାନେ ପାଖକୁ ଦୌଡ଼ି ଆସନ୍ତି । ଲିପୁ ଓ ସେମାନଙ୍କ ମଧ୍ୟରେ ସମ୍ପର୍କ ବେସ ନିବିଡ଼ । ଫାର୍ମ ହାଉସ ପରିସରରେ ଏକ ବିରାଟ ପୋଖରୀ ମାଛ ଚାଷ କରଛନ୍ତି । ସକାଳୁ ସଞ୍ଜ ଯାଏଁ ଗଛପତ୍ରର ଯତ୍ନ ନେବାଠାରୁ ପଶୁପକ୍ଷୀମାନଙ୍କ ସେବା କରିବାରେ ଲିପୁଙ୍କ ସମୟ ବିତେ । ଏଥିରୁ ସେ ଜଣେ ସଫଳ ଚାଷୀ ସହ ଗଛ ଓ ଜୀବଜନ୍ତୁ ପ୍ରେମୀ ବୋଲି ବାରି ହୋଇ ପଡୁଛି ।
ଏହା ମଧ୍ୟ ପଢ଼ନ୍ତୁ...ବାଦାମ ଚାଷରୁ ଲକ୍ଷ ଲକ୍ଷ ରୋଜଗାର, ଆତ୍ମନିର୍ଭରଶୀଳ ହେଲେ ଆଦିବାସୀ ମହିଳା; କମାଲ କଲା ଜୈବିକ ସାର, ଏକରରୁ ୧୦୦ କ୍ୱିଣ୍ଟାଲ ଉତ୍ପାଦନ - Tribal Women Become Self Reliant
ନିଜେ ରୋଜଗାର କରିବା ସହ ଅନ୍ୟ ଦେଇଛନ୍ତି ରୋଜଗାର:
ସବୁଠାରୁ ବଡ଼ କଥା ହେଉଛି ତାଙ୍କ ଫାର୍ମ ହାଉସରେ ୧୦ ଜଣ ସ୍ଥାୟୀ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି । ସେମାନେ ଗାଈଗୋରୁ, ଛେଳିମେଣ୍ଢା ଚରାଇବା, ପନିପରିବା କ୍ଷେତରେ କାମ କରିବା ଆଦି କରନ୍ତି। ଏଠାରୁ ମଜୁରୀ ନେଇ ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି । ଲିପୁଙ୍କ ପାଇଁ ସେମାନେ ରୋଜଗାର ପାଇଛନ୍ତି । ଏ ନେଇ ସେଠାରେ କାମ କରୁଥିବା ପବନା କାନ୍ଦିଆ କହିଛନ୍ତି, "ଏଠାରେ କାମ କରି ନିଜ ପରିବାର ପୋଷି ପାରୁଛି । ଏଠାରେ ମୋ ଭଳି ଆହୁରି ୮ରୁ ୧୦ ପରିବାର ରୋଜଗାର ପାଇଛନ୍ତି ।" ଲିପୁଙ୍କ ଏଭଳି ସଫଳତା ଦେଖି ଆଖପାଖ ଲୋକେ ପ୍ରଶଂସା କରୁଛନ୍ତି । ଅନେକ ସମୟରେ ଫାର୍ମରେ ଥିବା ଫସଲ ଓ ପଶୁପକ୍ଷୀ ଦେଖିବାକୁ ଆଖପାଖରୁ ଲୋକେ ଆସୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନୂଆ ରାହା ଦେଖାଇଲା ପାନ ଚାଷ, ସ୍ବାବଲମ୍ବୀ ହେଲେ ମହିଳା - Betel Leaf Cultivation
ଇଟିଭି ଭାରତ, ଅନୁଗୋଳ