ନିମାପଡା: ପୁରୀ ଜିଲ୍ଲା ଡେଲାଙ୍ଗ ଇନ୍ଦିପୁର ପଞ୍ଚାୟତରେ ଥିବା କୁମାରେଶ୍ବର ମହାଦେବଙ୍କ ମନ୍ଦିର କାହିଁ କେଉଁ କାଳର ପ୍ରାଚୀନ ମନ୍ଦିର । ଜନଶ୍ରୁତି ଅନୁସାରେ ତତ୍କାଳୀନ ମହାରାଜାଙ୍କର ଗୁହାରି କ୍ରମେ ରାଜକୁମାରୀଙ୍କୁ ରାଜକୁମାରରେ ପରିଣତ କରିଥିବାରୁ ତାଙ୍କ ନାଁ କୁମାରେଶ୍ବର ହୋଇଥିଲା । ପ୍ରଭୁ କୁମାରେଶ୍ବର ମନ୍ଦିର ଚୋଡ଼ଗଙ୍ଗଦେବ ସମୟର ବହୁ ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଗ୍ରାମ ଭିତରେ ରହିଥିବାରୁ ଓ ଭଲ ରାସ୍ତା ଖଣ୍ଡିଏ ନ ଥିବାରୁ ତାଙ୍କ ସମ୍ପର୍କରେ ସାଧାରଣ ଲୋକ ଜାଣି ପାରିବା ଏକ ପ୍ରକାର ଅସମ୍ଭବ ଥିଲା । ତେବେ ଏକ ତୋରଣ ନିର୍ମାଣ ପାଇଁ ସରକାରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ କୌଣସି ପ୍ରକାର ସୁଫଳ ପାଇ ପାରି ନଥିଲେ ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ ... ମହାଶିବରାତ୍ରିରେ ମହାନଦୀରୁ ମିଳିଲା ୫୦ରୁ ଊର୍ଦ୍ଧ୍ବ ନାଗ ମୂର୍ତ୍ତି
ତେବେ ଏଭଳି ମହତ୍ କାମ ପାଇଁ ଆଗକୁ ଆସିଛନ୍ତି ସେହି ଗ୍ରାମର ଜଣେ ଅଧ୍ୟାବସାୟୀ ଯୁବକ । ଏହି ଶହ ଶହ ବର୍ଷର ଶିବ ମନ୍ଦିର ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳର ସମାଜସେବୀ ତଥା ବ୍ୟବସାୟୀ ରାଜେନ୍ଦ୍ର ସାହୁ । ସେ ଗତକାଲି ଗାଁରେ ପହଞ୍ଚିବା ପରେ ମନ୍ଦିରକୁ ଯାଇ ଆଜ୍ଞା ମାଳ ଆଣି ମନ୍ଦିର ପ୍ରବେଶ ପଥରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏକ ମାସ ମଧ୍ୟରେ ଏହି ତୋରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଶିବରାତ୍ରୀ ଅବସରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗ୍ରାମର ଏହି ଶୁଭ କାର୍ଯ୍ୟରେ ଗ୍ରାମର ସବୁ ବର୍ଗର ବ୍ୟକ୍ତି ଵିଶେଷ ନିଜକୁ ସାମିଲ କରିବା ସହିତ ସହଯୋଗର ହାତ ବଢ଼ାଇ ଥିବାରୁ ଗ୍ରାମବାସୀ ରାଜେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ଗ୍ରାମବାସୀ ମାନଙ୍କ ଦୀର୍ଘ ଦିନର ତୋରଣ ନିର୍ମାଣ ନେଇ ସ୍ବପ୍ନ ଥିବାବେଳେ ଅର୍ଥ ସାଜିଥିଲା ବାଧକ । ଗ୍ରାମବାସୀଙ୍କ ସ୍ବପ୍ନ ସାକାର କରିବା ପାଇଁ ରାଜେନ୍ଦ୍ର ବଢାଇଛନ୍ତି ସାହାଯ୍ୟ ଓ ସହଯୋଗର ହାତ । ଯାହାକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ । କୁମାରେଶ୍ଵରଙ୍କ ଆକର୍ଷଣୀୟ ତୋରଣ ମନ୍ଦିର ପ୍ରବେଶ ପଥରେ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧୫ଲକ୍ଷ ଟଙ୍କା । ଏହି ପୁରାତନ ମନ୍ଦିରକୁ ଦୈନିକ ଶହ ଶହ ଭକ୍ତ ଆସିଥାନ୍ତି ଏବଂ ବାବା କୁମାରେଶ୍ବରଙ୍କ ପାଖରେ ମାନସିକ ରଖିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଥି ପାଇଁ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତ ମାନସିକ ରଖି ଆସିଥାନ୍ତି ।
ଇଟିଭି ଭାରତ, ନିମାପଡା