ଦେବଗଡ଼: ଫସର ଫାଟୁଛି ସରକାରୀ ଯୋଜନା । କୋମାରେ ପଡିଛି ଦେବଗଡ଼ ପୌରାଞ୍ଚଳରେ ଥିବା ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ( RCMS ) । ସରକାରଙ୍କ ଉଦାସୀନତା କାରଣରୁ ଏହି କାର୍ଯ୍ୟାଳୟଟି ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହିଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ଏଠାରେ ଥିବା କୋଟି କୋଟି ଟଙ୍କାର ସରକାରୀ ଉପକରଣ ମାଟିରେ ମିଶିବାକୁ ବସିଲାଣି । ତଥାପି ସମବାୟ ସମିତି ଉପରେ କାହାର ନଜର ପଡ଼ୁନାହିଁ । 1962 ମସିହାରେ ପ୍ରାୟ 7 ଏକର 58 ଡିସମିଲ ପରିମିତ ଜାଗାରେ ଏହି କେନ୍ଦ୍ରଟି ସ୍ଥାପିତ ହୋଇଥିବା ବେଳେ ଏବେ ଭୂତକୋଠୀ ସଦୃଶ୍ୟ ପଡ଼ି ରହିଛି ।
ଏଠାରେ କାର୍ଯ୍ୟାଳୟ ସମେତ ଏକାଧିକ ଗୋଦାମ ଗୃହ, ଦୋକାନ ଗୃହ, ଷ୍ଟାଫ କ୍ବାର୍ଟର, ରାଇସ ମିଲ ଆଦି ରହିଥିଲା । ଏଥିସହ ମାଲ ପରିବହନ ପାଇଁ ଏକାଧିକ ଯାନବାହନ ମଧ୍ୟ ରହିଥିଲା । ଏହି ସୋସାଇଟି ଆରମ୍ଭ ହେବା ପରେ ଜିଲ୍ଲାବାସୀ ତଥା ବିଶେଷକରି ଚାଷୀମାନେ ଏଠାରୁ ବିହନ, ସାର, କୀଟନାଶକ ଓ ଗୃହ ନିର୍ମାଣ ସାମଗ୍ରୀ ଛଡ଼, ସିମେଣ୍ଟ, ଆଜବେଷ୍ଟସ, ଆଦି ସୁଲଭ ମୂଲ୍ୟରେ କ୍ରୟ କରି ପାରୁଥିଲେ । ରାଇସ ମିଲଟି ମଧ୍ୟ ସୁଚାରୁ ରୂପେ ପରିଚାଳିତ ହେଉଥିଲା । ତେବେ କିଛିବର୍ଷ ଧରି ଏହି ସଂସ୍ଥାଟି ଚାଲିବା ପରେ ସରକାରୀ ଉଦାସୀନତା କାରଣରୁ ଆଜକୁ ଦୀର୍ଘବର୍ଷ ହେଲା ଏହା ଦୟନୀୟ ସ୍ଥିତିରେ ପଡିରହିଛି । ଏଠାରୁ ସାଧାରଣ ଲୋକେ ଆଉ କୌଣସି ସାମଗ୍ରୀ ପାଇପାରୁ ନାହାନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ଗୋଦାମ ଗୃହ ଏବଂ ଦୋକାନ ଗୃହ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ସଂସ୍ଥାରେ ଥିବା ଯାନବାହନଗୁଡିକ କାର୍ଯ୍ୟରେ ନଆସି ମାଟିରେ ପଡି ଖତ ଖାଉଛି । ଆଉ ରାଇସମିଲ ଅବସ୍ଥା ନକହିବା ଭଲ ।
ଏହି ମିଲଟି ଲିଜ ଆକାରରେ ନେଇଥିବା ଜଣେ ବ୍ୟବସାୟୀ ସଂସ୍ଥାର ଲକ୍ଷାଧିକ ଟଙ୍କା ପରିଶୋଧ କରିନପାରି କୁଆଡେ ଅନ୍ତର୍ଦ୍ଧ୍ୟାନ ହୋଇ ଯାଇଛନ୍ତି । ଫଳରେ ମିଲଟି 2021 ମସିହାଠାରୁ ପରିତ୍ୟକ୍ତ ଭାବେ ପଡିରହିବାରୁ ଏଠାରେ ଲାଗିଥିବା ମୂଲ୍ୟବାନ ଯନ୍ତ୍ରାଂଶ ଚୋରି ହୋଇଗଲାଣି, ଆଉକିଛି ମାଟିରେ ମିଶି ଖତ ଖାଉଛି । ବର୍ତ୍ତମାନ ଏହି ସଂସ୍ଥାର ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିବା ବେଳେ, କାର୍ଯ୍ୟାଳୟକୁ ଜଗି ରହିଛନ୍ତି କେବଳ ଦୁଇଜଣ କର୍ମଚାରୀ । ସେଥିମଧ୍ୟରୁ ଜଣେ ସମ୍ପାଦକ ଓ ଆଉ ଜଣେ ପିଅନ । ଏହି କର୍ମଚାରୀ ମାନେ ମଧ୍ୟ ଆଜକୁ ଦୀର୍ଘମାସ ହେଲା ସରକାରଙ୍କ ଠାରୁ କୌଣସି ଦରମା ପାଉନାହାନ୍ତି। ଏହାର ପୁନରୁଦ୍ଧାର କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଆଜକୁ ଦୀର୍ଘବର୍ଷ ହେଲା ଜିଲ୍ଲାବାସୀ ଦାବି କରି ଆସୁଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଏଥିପ୍ରତି ବୈମାତୃକ ମନୋଭାବ କାରଣରୁ ଏହାର ପୁନରୁଦ୍ଧାର ଦିଗରେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରାଯାଉଛି ।
ଇଟିଭି ଭାରତ, ଦେଓଗଡ଼