ଢେଙ୍କାନାଳ: ବାରମ୍ବାର ବିଲରେ ପଶି ଗାଈ ଧାନ ଖାଇଗଲା । ଆଉ ଏହାର ପ୍ରତିବାଦ କରିବାରୁ ଦଳିତ ପରିବାରକୁ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କଲା ଗାଈ ମାଲିକ । ଏପଟେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ଚୁପ । ସେପଟେ ଅଭିଯୁକ୍ତମାନେ ଦଳିତ ପରିବାରକୁ ଜୀବନରେ ମାରି ଦେବାପାଇଁ ଧମକାଉଥିବା ଅଭିଯୋଗ ହୋଇଛି । ତେବେ ବାରମ୍ବାର ଅଭିଯୋଗ ପରେ ପୋଲସ ନ ଶୁଣିବାରୁ ଯାହାକୁ ନେଇ ରାଜ୍ୟ ଦଳିତ ଆଦିବାସୀ ମହାସଂଘ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ।
ଗାଈ ଧାନ ଖାଇଲା ବୋଲି:
ଅଭିଯୋଗ ମୁତାବକ, ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଗ୍ରାମର ବାସନ୍ତୀ ସେଠୀ ଜଣେ ବ୍ୟକ୍ତିଙ୍କ ଚାଷ ଜମିକୁ ଭାଗରେ ନେଇ ଧାନ ଚାଷ କରିଥିଲେ । ହେଲେ ସେହି ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଗାଈ ବାସନ୍ତୀଙ୍କ ବିଲରେ ପଶି ବାରମ୍ବାର ଧାନ ଖାଉଥିଲା । ଫଳରେ ବାସନ୍ତୀ ଗାଈକୁ ନେଇ କାଞ୍ଜିଆ ହୁଦାରେ ଦେବାକୁ ଯାଉଥିଲେ । ମାତ୍ର ଦଳିତମାନଙ୍କ ଉପରେ ପାଦୁର୍ଭାଵ କରିବାକୁ ଯାଇ ଗାଈ ମାଲିକ ଚନ୍ଦନ ସ୍ୱାଇଁ ଗାଁ ଦାଣ୍ଡରେ ବାସନ୍ତୀଙ୍କ ଜାତିକୁ ନେଇ ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ନିସ୍ତୁକ ମାଡମାରିଥିଲେ ।
ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ:
ସେପଟେ ଏନେଇ ବାସନ୍ତୀଙ୍କ ପୁତୁରା ଦିପୁନା ସେଠୀ ଓ ଯାଆ ସତ୍ୟଭାମା ସେଠୀ ପ୍ରତିବାଦ କରିବାରୁ ସେମାନଙ୍କୁ ଚନ୍ଦନ ସ୍ବାଇଁଙ୍କ ପରିବାର ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଦିପୁନା ଗୁରୁତର ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ବାସନ୍ତୀ ଗତ ୩୧ ତାରିଖରେ ନିହଲ ପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ତ ଦୂରେ ଥାଉ ପାଲଟା ଅଭିଯୁକ୍ତମାନେ ବାସନ୍ତୀଙ୍କ ଘରକୁ ଯାଇ ବାରମ୍ବାର ନାନା ଧମକ ଚମକ ଦେଉଥିବାରୁ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି ବୋଲି ପୀଡିତା ବାସନ୍ତୀ ସେଠୀ ଓ ଆକ୍ରମଣର ଶିକାର ତାଙ୍କ ପୁତୁରା ଦିପୁନା ସେଠୀ କହିଛନ୍ତି ।
ପୋଲିସ ଶୁଣୁନି ଅଭିଯୋଗ, ଆଗକୁ ବାହାରିଲା ରାଜ୍ୟ ଦଳିତ ଆଦିବାସୀ ମହାସଙ୍ଘ:
ଅପରପକ୍ଷରେ ଏହି ପୀଡିତ ଦଳିତ ପରିବାର ପ୍ରତି ଏପରି ଅମାନୁଷିକ କାଣ୍ଡକୁ ନେଇ ରାଜ୍ୟ ଦଳିତ ଆଦିବାସୀ ମହାସଂଘ ଢେଙ୍କାନାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ସଠିକ ନ୍ୟାୟ ଦାବି କରିଛି । ମହାସଙ୍ଘର ଏକ ଦଳ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ଏସପିଙ୍କୁ ଭେଟିଛନ୍ତି । ଏହି ଘଟଣାରେ ତଦନ୍ତକାରୀ ଡ଼ିଏସପିଙ୍କ ଭୂମିକା ସନ୍ଦେହ ଜନକ ଥିବାରୁ ତାଙ୍କୁ ବଦଳାଇବା, ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଓ ପୀଡିତ ପରିବାରକୁ ସୁରକ୍ଷା ଓ ପୀଡିତମାନଙ୍କ ବୟାନକୁ ଭିଡିଓ ରେକଡ଼ିଂ କରିବା ଆଦି ଦାବି କରିଛନ୍ତି ରାଜ୍ୟ ଦଳିତ ଆଦିବାସୀ ମହାସଙ୍ଘର ସାଧାରଣ ସମ୍ପାଦକ ଡ଼ଃ ମିହିର ରଞ୍ଜନ ସେଠୀ ଓ ସାମାଜିକ କର୍ମୀ ଢେଙ୍କାନାଳ ଜିଲ୍ଲାପାରିଷଦ ସଦସ୍ୟା ମମତା ବେହେରା । ମାତ୍ର ଏହି ଘଟଣାରେ ଅଭିଯୁକ୍ତମାନଙ୍କ ପକ୍ଷରୁ ମଧ୍ୟ ଏକ ଅଭିଯୋଗକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହାର ନିରପେକ୍ଷ ତଦନ୍ତ କରାଯାଇ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା ।
ଇଟିଭି ଭାରତ, ଢେଙ୍କାନାଳ