ରାଇରଙ୍ଗପୁର: ଯଶିପୁର ଥାନାର ଥାନାଧିକାରିଣୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅଧିକାରୀ ଜୁଲମ ଚଳାଉଥିବାବେଳେ ତାଙ୍କ ନାମରେ କିଏ କିଛି କହିଦେଲେ ଥାର୍ଡ ଡିଗ୍ରୀ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଆରକ୍ଷୀ ଅଧିକ୍ଷକ ନିକଟରେ ଅଭିଯୋଗ କରିଛନ୍ତି ଜଣେ ସେଲୁନ ମାଲିକ। ଅଭିଯୋଗ ଅନୁସାରେ, ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ମାଖନ ବାରିକ ନାମକ ଜଣେ ଯୁବକଙ୍କୁ ଦୋକାନ ଭିତରେ ପଶି ମାଡ଼ ମାରିଥିଲେ ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ । ଏପରିକି ଥାନାରେ ଦୁଇ ଘଣ୍ଟା ଅଟକ ରଖିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ସୂଚନା ଥାଉକି, ମାଖନ ବାରିକ କିଛି ଦିନ ପୂର୍ବରୁ ଥାନା ଅଧିକାରିଣୀ ବଳଦ ଚୋରା ଚାଲାଣ କରୁଥିବା ଗାଡ଼ିରୁ ଚାନ୍ଦା ଆଦାୟ କରୁଥିବା ସମୟରେ ଏକ ଭିଡିଓ ଭାଇରାଲ କରିଥିଲା । ସେଲୁନ ଆସୁଥିବା ଗ୍ରାହକଙ୍କୁ ଥାନା ଅଧିକାରିଣୀଙ୍କ ବଦଳି ହୋଇଯାଇଛି ବୋଲି ମଧ୍ୟ କହିଥିଲା ।
ଯାହା ଶୁଣିବା ପରେ ମହିଳା ଥାନା ଅଧିକାରୀ ସେଲୁନ ଆସି ମାଡ଼ ମାରିଥିଲେ । ଏନେଇ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ମାଖନଲାଲ ନିଜର ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ତେବେ ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ତଦନ୍ତ ପରେ ନ୍ୟାୟ ସୁନିଶ୍ଚିତ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । ଅପରପକ୍ଷେ, ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ।
ସେ କହିଛନ୍ତି, "ମାଖନ ଅନ୍ୟ ବ୍ୟକ୍ତିଙ୍କ ପ୍ରରୋଚନାରେ ଆସି ମିଥ୍ୟା ଅଭିଯୋଗ କରିଛନ୍ତି । ମୁଁ ସେପରି କୌଣସି କାର୍ଯ୍ୟ କରିନାହିଁ। ମୁଁ ତାଙ୍କୁ ତାଙ୍କ ଦୋକାନରୁ ପଚରାଉଚରା ପାଇଁ ଆଣି ଛାଡିଦେଇଛି । ତେବେ ସେ ମୋ ନାଁରେ ବିଭିନ୍ନ ସମୟରେ ବହୁ କଟୁ କଥା କହିବା ସହିତ ବଦଳି ହୋଇଯାଇଥିବା ମିଛ ପ୍ରଚାର କରୁଥିଲେ । ତେଣୁ ମୁଁ ତାଙ୍କୁ ଥାନାକୁ ଆଣିଥିଲି । ମୁଁ ତାଙ୍କୁ ମାଡ଼ ମାରିନାହିଁ ।" ତେବେ ମହିଳା ଥାନା ଅଧିକାରୀଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏହା ପଛର ସତ ଜାଣିବାକୁ ଆରକ୍ଷୀ ଅଧୀକ୍ଷକ ତଦନ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର