ଭୁବନେଶ୍ବର: ଦଶପଲ୍ଲାରୁ ଆହତ କଲରାପତରିଆ ବାଘର ଚିକିତ୍ସା ଜାରି । ଚିକିତ୍ସା ପରେ ଖୁବଶୀଘ୍ର ଜଙ୍ଗଲକୁ ଛଡାଯିବ । ବନ ବିଭାଗର ମହାନଦୀ ୱାଇଲଡ ଲାଇଫ ଡିଭିଜନ ଓ ଚନ୍ଦକାର ରାପିଡ ରେସପନ୍ସ ଟିମ ମିଳିତ ଭାବେ ଗତକାଲି ଦଶପଲ୍ଲା ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଥିଲେ । ବାଘଟି ଯାତାୟାତ କରିପାରୁନଥିବା ବେଳେ ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ । କେଉଁ କାରଣରୁ ବାଘଟିର ଏଭଳି ଅବସ୍ଥା ହେଲା ସେନେଇ ତଦନ୍ତ କରୁଛି ବନ ବିଭାଗ । ଆହତ କଲରାପତରିଆର ଚିକିତ୍ସା ପରେ ପୁଣି ଜଙ୍ଗଲକୁ ଛଡାଯିବା ନେଇ ସୂଚନା ମିଳିଛି ।
ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ କହିଛନ୍ତି ଯେ, ବନ ବିଭାଗର ମହାନଦୀ ୱାଇଲଡ ଲାଇଫ ଡିଭିଜନ ଓ ଚନ୍ଦକାର ରାପିଡ ରେସପନ୍ସ ଟିମ ମିଳିତ ଭାବେ ଗତକାଲି ଦଶପଲ୍ଲା ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛନ୍ତି । ବାଘଟି ତାର ପଛ ଦୁଇ ଗୋଡ଼ରେ ଚାଲି ପାରୁ ନଥିଲା । କଲରାପତରିଆକୁ ଉଦ୍ଧାର ପରେ ନନ୍ଦନକାନନର ଭେଟରିନାରୀ ହସ୍ପିଟାଲକୁ ଅଣାଯାଇଛି । OUATର ଏକ ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଟିମ ବାଘଟିର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ ।
ତେବେ କେଉଁ କାରଣରୁ ଆହତ ହୋଇଛି, ତାହାର ପରୀକ୍ଷା ନିରୀକ୍ଷା କରାଯାଉଛି । ତାର ଚିକିତ୍ସା ପରେ ତାକୁ ପୁଣି ଜଙ୍ଗଲକୁ ଛଡାଯିବ । ଅନ୍ୟପଟେ ରାଜ୍ୟରେ ପ୍ରଥମ କରି ରେଡିଓ କଲାର ଲାଗିଥିବା ହାତୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛି । ହାତୀଟି ଜଙ୍ଗଲ ମଧ୍ୟରେ ସାଧାରଣ ଭାବରେ ଚଲାବୁଲା କରିପାରୁଛି । ନିୟମିତ ଭାବରେ ହାତୀଟିକୁ ଏହା ମାଧ୍ୟମରେ ଠାବ କରାଯାଉଛି । ଏହାର ଗତିବିଧି ଉପରେ ଦୈନଦିନ ଭାବରେ ନଜର ରଖାଯାଇଥିବା ସୂଚନା ଦେଉଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଏହା ମଧ୍ୟ ପଢନ୍ତୁ....... ସାତକୋଶିଆରେ କଲରାପତରିଆ ବାଘୁଣୀ ସହ ୨ ଯାଆଁଳା ଠାବ, ଗୋଟିଏ ସାଧାରଣ ଅନ୍ୟଟି କଳା
ଅନ୍ୟପଟେ ଆକ୍ସନ ମୋଡରେ ବନ ବିଭାଗ । ସୋସିଆଲ ମିଡିଆରେ ଜୀବନ୍ତ ସାପର ଭିଡିଓ ପୋଷ୍ଟ କରି ଯୁବକ ଗିରଫ ହୋଇଛି । ବିଭିନ୍ନ ପ୍ରଜାତିର ସାପମାନଙ୍କୁ ନେଇ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଆସୁଥିଲା । ବେଆଇନ ଭାବରେ ଜୀବନ୍ତ ସାପଙ୍କୁ ଧରିବା ସହ ଦୁଇଟି ମୋନୋକଲେଡ୍ କୋବ୍ରା ଆଦିଙ୍କୁ ଧରିବା ସମୟର ଦୃଶ୍ୟକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଆସୁଥିଲା । ବେଆଇନ ଭାବେ ଜୀବନ୍ତ ସାପ ରଖିବା ଅଭିଯୋଗରେ ମିର୍ଜା ଏମଡି ଆରିଫଙ୍କୁ ଭଦ୍ରକ ବନ ବିଭାଗ ଗିରଫ କରିଛି ।
ସେ ଏକା ୧୦୦ କୋବ୍ରା ସାପକୁ ଉଦ୍ଧାର କରିବା ସହ ଅନ୍ୟାନ୍ୟ ପ୍ରଜାତିର ସାପକୁ ମଧ୍ୟ ଉଦ୍ଧାର କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଯାହା ସମ୍ପୂର୍ଣ୍ଣ ଭାବରେ ବେଆଇନ । ଏହାକୁ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ଆକାଉଣ୍ଟକୁ ବନ୍ଦ କରିବା ନେଇ ସୋସିଆଲ ମିଡ଼ିଆକୁ ଜଣାଇଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ମିର୍ଜା ଏମଡି ଆରିଫଙ୍କ ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟଗୁଡ଼ିକ ବନ୍ଦ କରି ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର