ପୁରୀ: ବଡଦାଣ୍ଡରୁ ଖୋଲାଗଲା ଏସି ଟନେଲ । ନିର୍ମାଣ ପୂର୍ବରୁ ବିଭିନ୍ନ ମହଲରେ ବିରୋଧ ହୋଇଥିଲା । ବର୍ତ୍ତମାନ ବଡଦାଣ୍ଡରେ ଭକ୍ତଙ୍କ ପାଇଁ ନିର୍ମାଣ ହୋଇଥିଲା ଏସି ସେଡକୁ ଖୋଲାଯାଇଛି । ପ୍ରାରମ୍ଭିକ ଭାବେ ଏସି ସେଡ ଭିତରେ ଥିବା ବ୍ୟାରିକେଡ଼କୁ ସମ୍ପୂର୍ଣ ବାହାର କରାଯାଇଛି । ତେବେ ରଥ ନିର୍ମାଣ ଜାରି ରହିଥିବା ବେଳେ ଏସି ସେଡ ଯୋଗୁଁ ସ୍ଥାନ ଅଭାବ ଦେଖା ଦେଇଥିଲା । ବିଶେଷ କରି ତାଳଧ୍ବଜ ରଥ ନିର୍ମାଣ ନେଇ ସମସ୍ୟା ଉପୁଜିଥିଲା । କେବଳ ସେତିକି ନୁହେଁ, ବଡ଼ଦାଣ୍ଡର ଅଧା ଏସି ସେଡ ଥିବାରୁ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଥିଲା । ବିଶେଷ କରି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଟ୍ରାଫିକ ସମସ୍ୟାକୁ ନେଇ ବେଶ୍ ଅସୁବିଧା ଭୋଗୁଥିଲେ ।
ସେହିପରି ଶ୍ରୀମନ୍ଦିର କର୍ମଚାରୀ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଆସିବାରେ ବେଶ୍ ଅସୁବିଧା ଭୋଗୁଥିଲେ । ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟ ରଖିବାରେ ସମସ୍ୟା ଉପୁଜିଥିଲା । ଏଣୁ ଆଗାମୀ ରଥ ଯାତ୍ରାରେ ବଡ଼ ଦାଣ୍ଡରେ ତିନି ରଥ ଯିବା ପାଇଁ ବଡ଼ଦାଣ୍ଡରୁ ଏସି ଟନେଲକୁ ଉଠେଇ ଦିଆଯାଇଛି । ଏହାକୁ ଭକ୍ତ ଓ ସେବାୟତ ମହଲରେ ସ୍ଵାଗତ କରାଯାଇଛି । ନୂଆ ସରକାର ଗଠନ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବ । ଏଣୁ ଆଗାମୀ ଦିନରେ ବଡ଼ଦାଣ୍ଡରେ ଏସି ଟନେଲର ଆବଶ୍ୟକତା ନଥିବା ସେବାୟତ କହିଛନ୍ତି । ଗତ ଜାନୁଆରୀରେ ଏହି ଏସି ସେଡ ନିର୍ମାଣ ହୋଇଥିଲା । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଯେଉଁମାନେ ଲାଇନରେ ରହୁଥିଲେ ସେମାନେ ଏସି ଟନେଲରେ ବସିବା ପାଇଁ ବ୍ୟବସ୍ଥା ହୋଇଥଲା । ହେଲେ ବଡ଼ଦାଣ୍ଡରେ ଏସି ଟନେଲ ନିର୍ମାଣ ନେଇ ଅନେକ ବିରୋଧ ହୋଇଥିଲା । ପ୍ରତିବର୍ଷ ରଥ ଯାତ୍ରା ହେଉଥିବାବେଳେ ରଥ ଯିବା ପାଇଁ ବଡ଼ ଦାଣ୍ଡରେ କୌଣସି ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ । ହେଲେ ଏହାକୁ ଅଣଦେଖା କରାଯାଇ ବଡ଼ଦାଣ୍ଡରେ ଏସି ଟନେଲ ନିର୍ମାଣ କରାଯାଇଥିଲା । ବୁଦ୍ଧିଜୀବୀଙ୍କ ବିରୋଧ ସତ୍ତ୍ବେ ପୂର୍ବ ସରକାର ଏହା ନଶୁଣି ଏସି ଟନେଲ ନିର୍ମାଣ କରିଥିଲେ । ଏହି ଏସି ଟନେଲ ପାଇଁ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଥିବା ସାହି ବାସିନ୍ଦା ଯିବା ଆସିବାରେ ବହୁତ୍ କଷ୍ଟ ଭୋଗୁଥିଲେ । ଏଣୁ ଏହାକୁ ଉଚ୍ଛେଦ ପାଇଁ କିଛି ଦିନ ହେବ ଦାବି ହୋଇ ଆସୁଥିଲା ।
ଏହା ମଧ୍ୟ ପଢନ୍ତୁ: ପୁଣି ଶ୍ରୀଜିଉଙ୍କୁ ଅପମାନ, ଅଳିଆ ଗଦାରେ ଜଗନ୍ନାଥ ଚିତ୍ରିତ ଶଙ୍ଖ - Devotees Dissatisfaction in Puri
ତେବେ ଗତ ଫେବୃଆରୀ ମାସରେ ଏସି ଟନେଲର ଇଲେକ୍ଟ୍ରି ବିଲ୍ 14 ଲକ୍ଷ ଟଙ୍କା ଆସିଥିଲା । ଏତେ ବିପୁଳ ବିଲ୍ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତାରେ ପଡିଯାଇଥିଲା । ଏହାକୁ ଦେବାରେ ଶ୍ରୀମନ୍ଦିର ପ୍ରଶାସନ ଅସହାୟ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ହେଇଥିଲା । ଏସି ଟନେଲରେ ଏଭଳି ବିଲ୍ ଦ୍ଵାରା ଶ୍ରୀମନ୍ଦିର ପ୍ରଶାସନ ବ୍ୟପକ ଆର୍ଥିକ ବୋଝ ପଡ଼ିବାର ଆଶଙ୍କା ପ୍ରକାଶ ପାଇଥିଲା । ତେବେ ସରକାର ବଦଳିବା ପରେ ଏସି ଟନେଲକୁ ନେଇ ନିଷ୍ପତ୍ତି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ତେବେ ଏସି ଟନେଲ ଏବେ ଖୋଲାଯାଇଥିବା ବେଳେ ଏହା ଆଉ ଲାଗିବାର ସମ୍ଭାବନା ନାହିଁ । ତେବେ ଏଥିପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଯେଉଁ ଅପବ୍ୟୟ ହେଲା କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି । ଏନେଇ କିଛି କାର୍ଯ୍ୟନୁଷ୍ଠାନ ହେବ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ, ପୁରୀ