କଟକ: ବାପା ମା’ ଘରର ମେରୁଦଣ୍ଡ ସାଜନ୍ତି । ପରିବାର ପାଇଁ ବଟବୃକ୍ଷ ପାଲଟି ଯାଆନ୍ତି । ତାଙ୍କରି ଛତ୍ରଛାୟା ତଳେ ରହି ସନ୍ତାନସନ୍ତତି ନିଜକୁ ସୁରକ୍ଷିତ ମନେ କରନ୍ତି । ହେଲେ ଏଠି କିନ୍ତୁ ବାପା ସୁରକ୍ଷାର ଛାତ ନୁହେଁ ବୋହୂର ମୃତ୍ୟୁର ସାଜିଛନ୍ତି କାରଣ । ମୃତ୍ୟୁ ସହ ମେଡିକାଲ ବେଡରେ ସଂଘର୍ଷ କରୁଛି ପୁଅ । ଆଉ ମା’କୁ ହରାଇ 6 ବର୍ଷର କୁନି ପୁଅ ଯେମିତି ବେସାହାରା ପାଲଟି ଯାଇଛି । ପାରିବାରିକ କଳହକୁ ନେଇ ଗତକାଲି(ଶନିବାର) କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ବାରସିଙ୍ଗାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଯେମିତି ସ୍ତବ୍ଧ କରି ଦେଇଛି ।
ପୁଅ-ବୋହୂକୁ ନିଆଁ ଲଗାଇ ଦେଲେ ବାପା:
ବାରସିଙ୍ଗାରେ ରହୁଥିବା ମୃତ ସସ୍ମିତା ରାଉତ ଓ ତାଙ୍କ ସ୍ବାମୀ ଦୀନବନ୍ଧୁ ରାଉତ ଟଙ୍କାକୁ ନେଇ ବାପାଙ୍କ ସହ ତିକ୍ତତା ରହିଥିଲା । ଗତକାଲି (ଶନିବାର) ରାତିରେ ପରିବାର ଲୋକେ ଖାଇବା ସମୟରେ ହଠାତ ଟଙ୍କାକୁ ନେଇ ଆରମ୍ଭ ହୋଇଥିଲା ବଚସା । ଏଥିରେ ଉତିକ୍ଷିପ୍ତ ହୋଇ ବାପା ଗୋବର୍ଦ୍ଧନ ରାଉତ ଘଟାଇଛନ୍ତି ନାରକୀୟ କାଣ୍ଡ । ପୁଅ ବୋହୂକୁ ନିଆଁ ଲଗାଇ ଦେଇଥିଲେ । ଉଭୟେ ଜଳୁଥିବା ଦେଖି ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବୋହୂ ସସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ସ୍ବାମୀ ଦୀନବନ୍ଧୁ ।
ବାପା ଅଟକ:
ଖବର ପାଇ ପୋଲିସ ଘଟଣାର ତଦନ୍ତ କରିବା ସହ ବାପା ଗୋବର୍ଦ୍ଧନକୁ ଅଟକ ରଖି ପଚରା ଉଚରା କରୁଛି । ପୋଲିସର ସୂଚନା ଅନୁସାରେ, ପ୍ରତି ମାସରେ ବାପା ଗୋବର୍ଦ୍ଧନଙ୍କୁ ଖର୍ଚ୍ଚ ପାଇଁ ଦୀନବନ୍ଧୁ 5 ହଜାର ଟଙ୍କା ଦିଅନ୍ତି । ଏଥର ମଧ୍ୟ ଦେଇଥିଲେ । ସେ ଟଙ୍କା ଖର୍ଚ୍ଚ କରିବା ପରେ ପୁଣି ଟଙ୍କା ମାଗିଥିଲେ । ହେଲେ ସେ(ଦୀନବନ୍ଧୁ) ଟଙ୍କା ଦେବାକୁ ମନା କରିଦେବାରୁ ରାଗରେ ସେ ଏପରି କାମ କରିଛନ୍ତି ।
ଘଟଣାକୁ ନେଇ କଣ କହିଲେ ଅଭିଯୁକ୍ତଙ୍କ ମା’:
ଏହି ଘଟଣାକୁ ନେଇ ଗୋବର୍ଦ୍ଧନଙ୍କ ମା’ କହିଛନ୍ତି, ଗତକାଲି ରାତି ପ୍ରାୟ 9ଟା ବେଳେ ଆମେ ଖାଇବାକୁ ବସିଥିଲୁ । ଏତିକି ବେଳେ ପୁଅ ଘରକୁ ନିଆଁ ହୁଳା ନେଇକି ଆସିଲା ନାତି(ଦୀନବନ୍ଧୁ)ଙ୍କ ଉପରକୁ ପକାଇ ଦେଲା । ଏହା ଦେଖି ତାଙ୍କ ପତ୍ନୀ ମଧ୍ୟ ବଞ୍ଚାଇବାକୁ ଗଲା । ନିଆଁ ଜଳୁଥିବା ଦେଖି ମୁଁ ନାତିକୁ ନେଇ ବାହାରକୁ ପଳେଇ ଆସିଲି । ଏହା ପରେ ସମସ୍ତଙ୍କୁ ଡାକିଲି । ସମସ୍ତେ ଆସିଲେ ।
ଏହି ଘଟଣାକୁ ନେଇ ଜୋନ-୧ ଏସିପି ଅରୁଣ ସ୍ବାଇଁ କହିଛନ୍ତି, ‘ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । 66 ବର୍ଷୀୟ ଗୋବର୍ଦ୍ଧନ ରାଉତ, ତାଙ୍କ ପୁଅ-ବୋହୂ ଖାଉଥିବା ବେଳେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ । ଫଳରେ ସେ ଜଳି ଯାଇଥିଲେ । ସେହି ଘରେ ତାଙ୍କ(ଅଭିଯୁକ୍ତ)ର ନାତି ଓ ତାଙ୍କ ମା’ ମଧ୍ୟ ଥିଲେ । ସେମାନେ ବାହାରକୁ ଆସି ପାଟିତୁଣ୍ଡ କରିବା ପରେ ଲୋକେ ସବୁ ଆସିଥିଲେ । ସେମାନଙ୍କୁ କଟକ ଏସସିବିକୁ ନେଇଥିଲେ । ପରେ ବୋହୂଙ୍କର ପରିବାର ଲୋକେ ତାଙ୍କୁ ଘରୋଇ ହସ୍ପିଟାଲକୁ ନେଇଥିଲେ । ଏବେ ତାଙ୍କର ମୃତ୍ୟୁ ହୋଇଛି । ଏବେ ଗୋବର୍ଦ୍ଧନଙ୍କୁ ଅଟକ ରଖାଯାଇଛି । ସେ ମଧ୍ୟ ଆହତ ହୋଇଛନ୍ତି ତାଙ୍କର ଚିକିତ୍ସା କରାଯାଉଛି ।’
ଇଟିଭି ଭାରତ, କଟକ