ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ ଫୋର୍ସ (Central Armed Police Force)। ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଏହି ଅତିରିକ୍ତ ୨୦ କମ୍ପାନୀ ସିଏପିଏଫ ମୁତୟନ କରାଯିବ । ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥଗୁଡିକରେ ରହିବେ ସିଏପିଏଫ ଯବାନ । ଖଲ୍ଲିକୋଟରେ ନିର୍ବାଚନୀ ହିଂସାକାଣ୍ଡ ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ନିକୁଞ୍ଜ ବିହାରୀ ଧଳ ଏହି ବଡ଼ ପଦକ୍ଷେପ ନେଇଛନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ ମୁତୟନ ପାଇଁ ଅନୁମୋଦନ କରିଛନ୍ତି । ଆସନ୍ତା ମେ' ୨୦ ତାରିଖରେ ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା ଲୋକସଭା ଓ ଏହା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଯେପରି ଶାନ୍ତି ଶୃଙ୍ଖଳାର ଏହିି ନିର୍ବାଚନ ହୋଇପାରିବ ସେଥିପାଇଁ ୨୦ କମ୍ପାନୀ ସିଏପିଏଫ ଫୋର୍ସ ନିୟୋଜିତ କରାଯିବ । ଉକ୍ତ ୨୦ କମ୍ପାନୀ ସିଏପିଏଫ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ରୂପେ ନିୟୋଜିତ ହେବେ ନାହିଁ । ସେମାନେ ବିଭିନ୍ନ ବୁଥରେ ମୁତୟନ ହେବେ । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ ଭାବରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟଯେ, ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଗତ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରେ ପ୍ରାକ ନିର୍ବାଚନୀ ହିଂସା ଦେଖାଯାଇଥିଲା । ପୋଷ୍ଟରର ମରାକୁ କେନ୍ଦ୍ରକରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲେ । ଏଥିରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ । ପୋଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଛି । ସେପଟେ ଗିରଫ ଲୋକଙ୍କୁ ଛାଡିବା ଲାଗି ପୋଲିସ ଉପରେ ଟେକାପଥର ମାଡ କରିଛନ୍ତି ଲୋକ । ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଛି । ଏବେ ସେହି ଅଞ୍ଚଳରେ ୧୪୪ ଧାରା ଲାଗିଛି ।
ଇଟିଭି ଭାରତ, ଭୁବନେଶ୍ବର