ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ଦଶମ ଆଉଟରିଚ ଅନ୍ତର୍ଜାତୀୟ ରେଡ଼ିଓ ମେଳା । ଫେବୃଆରୀ ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି ଏହି ରେଡ଼ିଓ ମେଳା ଆୟୋଜିତ ହେବ । ଏହି ମେଳାରେ ଦେଶର ଅନେକ ରେଡ଼ିଓ ପ୍ରସାରକ ଓ ରେଡ଼ିଓ ଷ୍ଟେସନ ଯୋଗ ଦେବେ । ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ । ଏହି ମେଳାରେ ୩ ହଜାରରୁ ଅଧିକ ପ୍ରକାରର ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍ ରେଡ଼ିଓ ଓ ଗ୍ରାମୋଫୋନ ପ୍ରଦର୍ଶନ କରାଯିବ ।
2 ଦିନ ଧରି ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଏସିଆ ମହାଦେଶର ଏକମାତ୍ର ରେଡ଼ିଓ ମେଳା ଦଶମ ଅନ୍ତର୍ଜାତୀୟ ରେଡ଼ିଓ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳାରେ ୩ ହଜାରରୁ ଅଧିକ ପ୍ରକାର ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍ ରେଡ଼ିଓ ଓ ଗ୍ରାମୋଫୋନ ପ୍ରଦର୍ଶନ କରାଯିବ । ଆସନ୍ତା ୧୩ ତାରିଖ ବିଶ୍ଵ ରେଡ଼ିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପକ୍ଷରୁ ପ୍ରତିବର୍ଷ ଏହି ରେଡିଓ ମେଳାର ଆୟୋଜନ କରାଯାଉଛି । ଦେଶର ବିଭିନ୍ନ ରାଜ୍ୟରୁ ହାମ୍ ରେଡ଼ିଓ ଏହି ମେଳାରେ ଯୋଗ ଦେବ । ଏହାଛଡ଼ା ରାଜ୍ୟର ଅନେକ କମ୍ୟୁନିଟି ରେଡ଼ିଓ ଷ୍ଟେସନ ମଧ୍ୟ ମେଳାରେ ସାମିଲ ହେବେ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ରେଡ଼ିଓ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।
ଏହାମଧ୍ୟ ପଢନ୍ତୁ...ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ
ସେହିପରି ରେଡ଼ିଓ ଜକି ହେବା ପାଇଁ ଏହି ମେଳାରେ ୪୦ ଜଣଙ୍କୁ ସୁଯୋଗ ମିଳିବ । ଯୋଗ୍ୟ ପ୍ରାର୍ଥୀ କମ୍ୟୁନିଟି ରେଡିଓ, ପ୍ରାଇଭେଟ୍ ଏଫ୍ଏମ୍ ବା ଅନଲାଇନ ରେଡ଼ିଓରେ ଚାକିରି ପାଇଁ ସୁଯୋଗ ପାଇପାରିବେ । ଏଥିପାଇଁ ବୟସ ସୀମା ମଧ୍ୟ ନାହିଁ । ୨୦ରୁ ଅଧିକ ଷ୍ଟେସନର ଅଧିକାରୀ ଯୋଗ ଦେଇ ନିଜ ଚ୍ୟାନେଲ ପାଇଁ ଆରଜେ ଚୟନ କରିପାରିବେ । ଏହାସହ ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ । ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ସହ ତର୍କ ପ୍ରତିଯୋଗିତାରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ । କଲେଜ ଛାତ୍ରଛାତ୍ରୀ ସମ୍ବାଦ ପଠନରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ଅନଲାଇନ ଏବଂ ସ୍ପଟ୍ ପଞ୍ଜୀକରଣ କରିପାରିବେ ।
ଏହି ଅବସରରେ ଓଡ଼ିଶାର ଏକ ଘରୋଇ ନ୍ୟୁଜ ଚ୍ୟାନେଲର ସମ୍ବାଦ ଉପସ୍ଥାପକ ମନୋଜ ମହାପାତ୍ରଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ଵାର୍ଡ, ରେଡିଓ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ତାମିଲନାଡୁର ହୋଲି କ୍ରସ କମ୍ୟୁନିଟି ରେଡିଓକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡ଼ିଓ ଭାବରେ ସମ୍ମାନିତ କରାଯିବ । ବିହାରର ରାମବିଳାସ ପ୍ରସାଦଙ୍କୁ ଶ୍ରେଷ୍ଠ ରେଡ଼ିଓ ଶ୍ରୋତା ଭାବରେ ସମ୍ମାନିତ କରାଯିବ । ରେଡ଼ିଓ ମେଳାରେ କଟକର କାଳୀ ପ୍ରସାଦ ପଣ୍ଡା, ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ ଏବଂ ଭୁବନେଶ୍ୱରର ରାଜେନ୍ଦ୍ର ସାହୁ ରେଡ଼ିଓ ସଂଗ୍ରାହକ ଭାବେ ଯୋଗ ଦେବେ ବୋଲି ରେଡ଼ିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ଏକ ପ୍ରେସମିଟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର