ଜୋହାନ୍ସବର୍ଗ (ଦକ୍ଷିଣ ଆଫ୍ରିକା): ଆରମ୍ଭ ହୋଇଛି ଅଣ୍ଡର 19 ବିଶ୍ବକପ୍ । ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍ ଏ'ର ପ୍ରଥମ ମ୍ୟାଚ୍ରେ ଆମେରିକା (ୟୁଏସ୍) ବିପକ୍ଷରେ 7 ୱିକେଟ୍ରେ ବିଜୟ ହାସଲ କରିଛି ଆୟରଲାଣ୍ଡ । ସେହିଭଳି ଗ୍ରୁପ୍ ବି'ରେ ଥିବା ଆୟୋଜକ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 31 ରନରେ ମାତ୍ ଦେଇଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ଜୋରଦାର ଅଭ୍ୟାସ କରିଛନ୍ତି ବିଭିନ୍ନ ଦଳ । ତେବେ ଆସନ୍ତା 20 ତାରିଖ (ଶନିବାର) ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଉଦୟ ଶରଣଙ୍କ ନେତୃତ୍ବାଧିନ ଟିମ୍ ଇଣ୍ଡିଆ ।
16 ଟିମ୍, 41 ମ୍ୟାଚ୍: ଏଥର ଅଣ୍ଡର 19 ବିଶ୍ବକପ୍ରେ 16ଟି ଦଳ ମଧ୍ୟରେ ସମୁଦାୟ 41 ମ୍ୟାଚ୍ ଖେଳାଯିବ । ଦକ୍ଷିଣ ଆଫ୍ରିକାର ମୋଟ 5ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ବେନୋନିରେ ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି । ଏଥର ଅଣ୍ଡର 19 ବିଶ୍ବକପ୍ର ଆୟୋଜକ ରହିଥିଲା ଶ୍ରୀଲଙ୍କା । ହେଲେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ଦେଶର ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ପାଇଁ କ୍ରିକେଟ୍ ବୋର୍ଡକୁ ନିଲମ୍ବନ କରିବା ସହିତ ଟୁର୍ଣ୍ଣାମେଣ୍ଟକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆୟୋଜକ ଦେଶ ଭାବେ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ କରିଥିଲା । ଅଣ୍ଡର 19 ବିଶ୍ବକପ୍ 2022 ଖେଳିଥିବା ସମସ୍ତ ଦେଶ ମଧ୍ୟ ସିଧାସଳଖ ଭାବେ ଏଥର ବିଶ୍ବକପ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟ 5ଟି ଦଳ ଆଞ୍ଚଳିକ ଯୋଗ୍ୟତା ପର୍ଯ୍ୟାୟ ଖେଳି ବିଶ୍ବକପ୍ରେ ପହଞ୍ଚିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...23 ବର୍ଷରୁ କମ୍ ମହିଳା ଏକଦିବସୀୟ ଟ୍ରଫି: ଓଡ଼ିଶା ଦଳ ଘୋଷଣା କଲା ଓସିଏ
ନୂଆ ଫର୍ମାଟ୍ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ: ଏଥର ଅଣ୍ଡର 19 ବଶ୍ବକପ୍ ନୂଆ ଫର୍ମାଟ୍ରେ ଖେଳାଯିବ । ଟୁର୍ଣ୍ଣାମଣ୍ଟରେ ଅଂଶଗ୍ରହଣ କରିଥିବା 16ଟି ଦଳକୁ 4ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରତି ଗ୍ରୁପ୍ରେ 4ଟି ଲେଖାଏଁ ଦଳ ରହିଛନ୍ତି । 4ଟି ଗ୍ରୁପ୍ରୁ 3 ଲାଖାଏଁ, ଏପରି 12ଟି ଦଳ ପରବର୍ତ୍ତୀ ସୁପର ସିକ୍ସ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ । ଏହି 12ଟି ଦଳକୁ 6ଟି ଲେଖାଏଁ 2ଟି ଗ୍ରୁପ୍ରେ ଭାଗ କରାଯିବ । ଉଭୟ ଗ୍ରୁପ୍ରୁ 2ଟି ଲେଖାଏଁ ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ ଓ ସେମିଫାଇନାଲ୍ରୁ 2ଟି ଦଳ ଫାଇନାଲ୍ ମୁକାବିଲା ଖେଳିବେ । ସବୁଠୁ ବଡ଼ କଥା ହେଉଛି, ଖେଳ ଏତିକିରେ ଶେଷ ହେବନାହିଁ । ପ୍ରଥମ ପର୍ଯ୍ୟାୟରୁ ବାଦ ପଡ଼ିଥିବା 4ଟି ଦଳ ପୁନର୍ବାର ପରସ୍ପରକୁ ଭେଟିବେ । ଫଳରେ ପ୍ରତି ଦଳର ସ୍ଥାନ ଚୂଡ଼ାନ୍ତ ହୋଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ