ବୌଦ୍ଧ: କ୍ରୀଡା କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । କ୍ରିକେଟ, ଫୁଟବଲ ଠାରୁ ନେଇ ସନ୍ତରଣ, ଆଥଲେଟ, ତୀରନ୍ଦାଜ ଭଳି କ୍ରୀଡ଼ାର ଜିଲ୍ଲାରେ ରହିଛି ବିରାଟ ସମ୍ଭାବନା । ଗତ ୧୦ ବର୍ଷ ହେଲା ଜିଲ୍ଲାର ଅନେକ କୃତି ତୀରନ୍ଦାଜ ରାଜ୍ୟ ତଥା ଜାତୀୟସ୍ତରରେ ଭାଗ ନେଇ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ବର୍ତ୍ତମାନ ପୁଣିଥରେ ଜିଲ୍ଲାର ୪ ଜଣ କୁନି ତୀରନ୍ଦାଜ ଜାତୀୟ ଆର୍ଚେରୀ ଚମ୍ପିଆନସିପ୍ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ତୀରନ୍ଦାଜକୁ ନେଇ ଜିଲ୍ଲାରେ ରହିଛି ବିରାଟ ସମ୍ଭାବନା । ବୌଦ୍ଧ ଜିଲ୍ଲାରେ ବିଭିନ୍ନ କ୍ରୀଡ଼ାରେ ଅନେକ କୃତି କ୍ରୀଡାବିତ୍ ସୃଷ୍ଟି ହୋଇଥିବାବେଳେ ସନ୍ତରଣ, ଆଥଲେଟ ଓ ତୀରନ୍ଦାଜ କ୍ରୀଡ଼ାରେ ଜାତୀୟସ୍ତରରେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ବେଶ ସୁନାମ ଆଣିଛନ୍ତି କ୍ରୀଡାବିତ୍ । ଜିଲ୍ଲାରେ ଗତ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଆର୍ଚେରୀ ଆସୋସିଏସନ୍ ବା ତୀରନ୍ଦାଜ ସଂଘ ଗଠିତ ହୋଇଥିଲା । ଅଳ୍ପ ସଂଖ୍ୟକ ତୀରନ୍ଦାଜଙ୍କୁ ନେଇ ଗଠିତ ହୋଇଥିବା ବୌଦ୍ଧ ତୀରନ୍ଦାଜର ଅନେକ କୃତି ଖେଳାଳି ରାଜ୍ୟ ତଥା ଜାତୀୟସ୍ତରରେ ଅନେକ ଥର ଭାଗନେଇ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ଚଳିତ ବର୍ଷ ପାଇଁ ବୌଦ୍ଧ ଜିଲ୍ଲାର ୪ ଜଣ କୁନି ତୀରନ୍ଦାଜ ଜାତୀୟସ୍ତରରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ଚମ୍ପିଆନସିପ୍ - Taekwondo Championship
୧୫ ବର୍ଷରୁ କମ ବର୍ଗରେ ଜଣେ ଓ ୧୩ ବର୍ଷରୁ କମ ବର୍ଗରେ ୩ ଜଣ ଏଭଳି ସମୁଦାୟ ୪ ଜଣ ତୀରନ୍ଦାଜ କ୍ରୀଡ଼ାବିତ୍ ଆସନ୍ତା ୨୯ (ଜୁନ)ରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଗତ ଜୁନ ୬ ତାରିଖରେ ଭୁବନେଶ୍ବର କିସ୍ ଅନୁଷ୍ଠାନରେ ହୋଇଥିବା ଚୟନ ପ୍ରକ୍ରିୟାରେ ସମସ୍ତ ୪ ଜଣ ଛାତ୍ରଛାତ୍ରୀ କୃତିତ୍ବ ହାସଲ କରିଛନ୍ତି । ବୌଦ୍ଧ ଜିଲ୍ଲାର ଏହି ୪ ଜଣ କୃତି ତୀରନ୍ଦାଜ ଖେଳାଳୀ ଜାତୀୟସ୍ତରରେ ଅଂଶଗ୍ରହଣ ପାଇଁ ମନୋନୟନ ହେବା ପରେ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବିଭିନ୍ନ ମହଲରୁ କୃତି ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାରେ ଏହି ତୀରନ୍ଦାଜ କ୍ରୀଡ଼ାର ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ଏଠାରେ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବା ତଥା ପ୍ରଶିକ୍ଷକଙ୍କ ଅଭାବ ଯୋଗୁଁ ତୀରନ୍ଦାଜ କ୍ରୀଡ଼ାର ଯେଭଳି ବିକାଶ ହେବା କଥା ସେଭଳି ହୋଇପାରୁନଥିବାରୁ ଜିଲ୍ଲା ତୀରନ୍ଦାଜ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ