ଭୁବନେଶ୍ବର: ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ । ଓଡିଶା କ୍ରିକେଟ ଆସୋସିଏସନର ବରିଷ୍ଠ ଦଳର ଚୟନକର୍ତ୍ତା ସଦସ୍ୟ ଥିଲେ ଶୁଭାଶିଷ ଭୂୟାଁ । ସେ ମଧ୍ୟ ଓଡିଶା ପ୍ରଧାନ ମହାଲେଖାକାର (ଅଡିଟ-1)ରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତକାଲି (ସୋମବାର) ରାତିରେ ଶୁଭାଶିଷଙ୍କର ବିଜେବି ନଗରସ୍ଥିତ ବାସଭବନରେ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ଶୁଭାଶିଷଙ୍କ ପାଖରେ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଶୁଭାଶିଷ ଭୂୟାଁ ଓଡିଶା ଏଜି କ୍ରିକେଟ ଦଳରେ ଜଣେ ଅଲରାଉଣ୍ଡର ଖେଳାଳି, ମ୍ୟାନେଜର ଭାବେ ସର୍ବଭାରତୀୟ ଅଡିଟ ଓ ଏକାଉଣ୍ଟସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । 3ଟି ପ୍ରଥମ ଶ୍ରେଣୀ ରଣଜୀ ମ୍ୟାଚ, ପୂର୍ବାଞ୍ଚଳ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, କୁଚବିହାର ଟ୍ରଫି, ସିକେ ନାୟୁଡୁ ଟ୍ରଫି ଆଦି 18ଟି ଆନ୍ତଃ ରାଜ୍ୟ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ଆଜି ପୂର୍ବାହ୍ନରେ ତାଙ୍କ ମର ଶରୀରକୁ ତାଙ୍କ କର୍ମଭୂମି ଏଜି କାର୍ଯ୍ୟାଳୟକୁ ଅଣାଯାଇଥିଲା । ପ୍ରଧାନ ମହାଲେଖାକାର ରାଜ କୁମାର, ବରିଷ୍ଠ ଉପମହାଲେଖାକାର ଦୀପକ ରଘୁ, ଉପମହାଲେଖାକାର ସଚିନ କ୍ରିଷ୍ଣା କୌଶିକ, ଏସ ଅରୁଣା, ଏଜି ରିକ୍ରିଏସନ କ୍ଲବର ସମ୍ପାଦକ ଭି ଆନନ୍ଦ ଭଟ୍ଟ, ପୂର୍ବତନ ରଣଜୀ ଖେଳାଳି ଧୀରଜ ଦେବରାଜ ସାହୁ, ଅବକାଶ ଖଟୁଆ, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ସୁକାନ୍ତ କୁମାର ମଲ୍ଲ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ ସହ ଶୁଭାଶିଷଙ୍କ ଶେଷ ଦର୍ଶନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, କଲ୍ୟାଣ ଅଧିକାରୀ ତଥା ପୂର୍ବତନ ରଣଜୀ ଖେଳାଳି ଅଶୋକ କୁମାର ପଣ୍ଡା, ବହୁ କ୍ରୀଡ଼ାବିତ୍, ଶୁଭେଚ୍ଛୁ, ବିଭିନ୍ନ କ୍ରୀଡା ଅନୁଷ୍ଠାନ ଶୁଭାଶିଷ ଭୂୟାଁଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ଓଡିଶା ଜଣେ ଉଚ୍ଚକୋଟୀର କ୍ରିକେଟ ଚୟନକର୍ତ୍ତା, ମ୍ୟାନେଜର ଓ କୋଚଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ରଖିଛନ୍ତି । ସତ୍ୟ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଆଦିଲ ଭୂୟାଁ ମୁଖାଗ୍ନି ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ରଣଜୀ ଲଢେଇ ଡ୍ର'; ଓଡ଼ିଶା ପାଇଁ ବଢ଼ିଲା ଚ୍ୟାଲେଞ୍ଜ୍
ଇଟିଭି ଭାରତ, ଭୁବନେଶ୍ବର