ନିମାପଡ଼ା: ପୁରୀ ଜିଲ୍ଲାର ନିମାପଡ଼ା ନେତାଙ୍କ ମଧ୍ୟରେ ଟିକେଟ ଟେନସନ । ବିଜେଡି ଇତିମଧ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସାରିଥିଲେ ସୁଦ୍ଧା ନିମାପଡ଼ା ଓ କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଏଠାରୁ ବିଜେଡି କାହାକୁ ଦେବ ଟିକେଟ ? ଏଠାରେ ଦଳରୁ ଅନେକ ଆଶାୟୀ ଥିବାବେଳେ ଦଳ କାହାକୁ ଟିକେଟ ଦେଉଛି ତାକୁ ନେଇ ବେଶ ଚର୍ଚ୍ଚା ।
ବିଜେଡିର ଏକାଧିକ ଆଶାୟୀ ତାଲିକାରେ ଥିବାରୁ ଘୋଷଣାରେ ବିଳମ୍ବ ହେବାର ମୁଖ୍ୟ କାରଣ କୁହାଯାଉଥିବା ବେଳେ ବିଜେଡିରୁ କିଏ ପାଇବ ଟିକେଟ କାହା ନେତୃତ୍ବରେ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇବ ସେ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ରାଜ୍ୟ ରାଜନୀତିର ହେଭିୱେଟ ନେତା ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଟିକେଟ ପାଇ ନିର୍ବାଚନ ଲଢ଼ିବା ପାଇଁ ଆଶା ବାନ୍ଧି ବସିଥିବା ବେଳେ ବିଜେଡି ଟିକେଟରେ ନିମାପଡ଼ାରୁ ଜିତେନ୍ଦ୍ର ମହାନ୍ତି ଓରଫ ଜିତୁ ମହାନ୍ତି, ସୁବ୍ରତ ଛାଟୋଇ ଭଳି ନେତା ଏହି ଟିକେଟ ଦୌଡ଼ରେ ରହିଛନ୍ତି । ଯାହା ଟିକେଟ ଘୋଷଣାରେ ବିଳମ୍ବ ହୋଇପାରେ ବୋଲି ଆଲୋଚନା ହେଉଛି ।
ଏହା ବି ପଢନ୍ତୁ- ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା
ଏହି ସମୟରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଦିଲ୍ଲୀପ ନାୟକ । ସେ ବିଜେପିରୁ ବିଧାୟକ ଟିକେଟ ନ ପାଇବା କାରଣରୁ ବିଜେପି ପରିତ୍ୟାଗ କରିଥିଲେ । ସେ ମଧ୍ୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସୁପ୍ରିମୋ ନିମାପଡ଼ା ପାଇଁ ଟିକେଟ ଘୋଷଣା ନ କରି ବିଳମ୍ବ କରିବା ନେତାଙ୍କ ହାଟବିଟ୍ ବଢ଼ାଇ ଦେଇଛି । କେବଳ ନିମାପଡ଼ା ପାଇଁ ନୁହେଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ ତାହା ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟ ଟିକେଟ ଘୋଷଣା ନ କରିବା ଆଶାୟୀଙ୍କ ମନରେ ଛନକା ପଶିଛି ।
ବିଜେପି ଓ କଂଗ୍ରେସରେ ଏକାଧିକ ଆଶାୟୀ ରହିଛନ୍ତି । ବିଜେପିର ପ୍ରଭାତୀ ପରିଡ଼ା ଓ ଦିଲ୍ଲୀପ ନାୟକ ଟିକେଟ ଦୌଡ଼ରେ ରହିଥିବା ବେଳେ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ଓ ଆଶାୟୀ ରହିଛନ୍ତି । ଯଦିଓ ସିଦ୍ଧାର୍ଥଙ୍କ ଭାଇ ବିଜେଡିରେ ଯୋଗଦାନ ପରେ ଜଟଣୀରୁ ସିଦ୍ଧାର୍ଥ ସ୍ଵାଧୀନ ଭାବରେ ଲଢ଼ିବା ପାଇଁ ଚର୍ଚ୍ଚା ଜୋର ଧରିଛି । ତଥାପି ନିମାପଡ଼ାରେ କଂଗ୍ରେସ ଟିକେଟରେ ସେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି । ସେ ଯାହା ହେଉନା କାହିଁକି ବିଜେଡିି ଟିକେଟ ଘୋଷଣା ହୋଇନଥିବା ଏହି ଦୁଇ ଦଳର ଟିକେଟ ଘୋଷଣା ବିଳମ୍ବର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେପଟେ ସବୁ ଦଳ ନିମାପଡ଼ାରେ ବାଜିମାତର ସ୍ଵପ୍ନ ଦେଖୁଛି ।
ଇଟିଭି ଭାରତ, ନିମାପଡ଼ା