ଖୋର୍ଦ୍ଧା: ନିର୍ବାଚନ ବିଗୁଲ ବାଜିବା ଏ ମଧ୍ୟରେ ଅନେକ ଦିନ ବିତିଲାଣି । ହେଲେ ରାଜ୍ୟର ତିନି ପ୍ରମୁଖ ଦଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଖୋର୍ଦ୍ଧା ଏବଂ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଆଶାୟୀ ଏବଂ ଦଳୀୟ କର୍ମୀ । ଦଳରେ ଏକାଧିକ ଆଶାୟୀଙ୍କ ପାଇଁ ତିନି ପ୍ରମୁଖ ଦଳ ଚିନ୍ତାରେ ପଡ଼ିଥିବା ବେଳେ କାହାକୁ ଟିକେଟ ଦେବେ କାହାକୁ ଦେବେନି ତାକୁ ନେଇ ତିନି ଦଳ ଏବେ ଚିନ୍ତାରେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।
ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ବର୍ତ୍ତମାନର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ବିଜେଡି ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନାମ ଆଗରେ ଅଛି । ସେହିପରି ବିଜେପି ଦଳରେ ପୂର୍ବ ଥରର ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ, ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର ଏବଂ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାମ ରହିଛି । ସେହିପରି କଂଗ୍ରେସରେ ଶିଶିର ପରିଡା, ସ୍ଵାଗତିକା ପଟ୍ଟନାୟକ, ସଞ୍ଜୟ ପଟ୍ଟନାୟକଙ୍କ ନାମ ଆଗରେ ରହିଛି । ସେହିଭଳି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ପ୍ରମୁଖ ଦାବିଦାର ଭାବେ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ସାହୁଙ୍କ ନାମ ଆଗରେ ରହିଛି । ବିଜେପି ଦଳରୁ ପ୍ରକାଶ ବିଜୁଳି, ଅନାଦି ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାମ ଆଗରେ ଥିବା ଜଣାପଡିଛି ।
ସେହିପରି କଂଗ୍ରେସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ବେଗୁନିଆରୁ ଦୁଇ ଥରର ବିଧାୟକ ଥିବା କୈଳାସ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ର ସଦାଶିବ ମହାପାତ୍ର ଓ ରାଜୀବ ପଟ୍ଟନାୟକଙ୍କ ନାମ ଆଗରେ ରହିଛି । ହେଲେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଦଳ ତାର ଯୋଦ୍ଧାଙ୍କ ନାମ ଘୋଷଣା କରିନଥିବା ଦେଖିବାକୁ ମିଳିଛି । ପୂର୍ବରୁ ବିଜେଡି ଓ ବିଜେପି ତାର ଲୋକସଭା ଯୋଦ୍ଧାଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଧାନସଭା ପାଇଁ ପ୍ରାର୍ଥୀ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଘୋଷଣା ହୋଇନଥିବାରୁ ପ୍ରଚାର ଗାଡି ଆଗକୁ ଗଡି ପାରୁନଥିବା ଦେଖା ଦେଇଛି । ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଳ୍ପ କେତୋଟି ଆସନ ବାକିଥିବା ବେଳେ କଂଗ୍ରେସ କିନ୍ତୁ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଦଳୀୟ ନେତୃତ୍ୱ କେବେ ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନ ପାଇଁ ତାର ଯୋଦ୍ଧାଙ୍କ ନାମ ଘୋଷଣା କରିବ ତାକୁନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।
ଇଟିଭି ଭାରତ, ଖୋର୍ଦ୍ଧା