ବଲାଙ୍ଗୀର: ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଜନତାଙ୍କୁ ହାତେଇବା ପାଇଁ ଚାଲିଛି ନେତାଙ୍କ ପ୍ରୟାଶ । ପ୍ରଚାରରେ ଲାଗି ପଡିଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା । ତେବେ ବିଭିନ୍ନ ଢଙ୍ଗରେ ପ୍ରଚାର ଚାଲିଥିବା ବେଳେ ପ୍ରସିଦ୍ଧ କବି, ଲେଖକ, ବ୍ୟଙ୍ଗକାର ଓ ଅଭିନେତା ଶୈଳେଶ ଲୋଧା ବଲାଙ୍ଗୀରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଯାହାଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ଠାରୁ ପଦେ ଶୁଣିବା ପାଇଁ ଲୋକଙ୍କର ଭିଡ଼ ଜମା ହୋଇଥିଲା ।
ବଲାଙ୍ଗୀରରେ ପ୍ରସିଦ୍ଧ କବି, ଲେଖକ, ବ୍ୟଙ୍ଗକାର ତଥା ଅଭିନେତା ଶୈଳେଶ ଲୋଧା। ତେବେ ସେ ସାରା ଭାରତରେ 'ତାରକ ମେହେତା କା ଉଲଟା ଚଷମା' କମେଡି ସିରିଏଲ ପାଇଁ ବେଶ ଜଣା ଶୁଣା ଅଟନ୍ତି ଶୈଳେଶ । ସେହିପରି 'ବାହ ବାହ କ୍ୟା ବାତ ହେ' ସିରିଏଲରେ ଆଙ୍କର ଭାବରେ ମଧ୍ୟ ଜଣା ଶୁଣା ଅଟନ୍ତି ଶୈଳେଶ । ତେବେ ସେ ତିନି ଦିନ ହେବ ବଲାଙ୍ଗୀର ଆସି ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା ସିଂହ ଦେଓ ଓ ଅନ୍ୟ ସବୁ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଯେଉଁଥିରେ ସେ ପଟଣାଗଡ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ଧୂଆଁଧାର ପ୍ରଚାର କରି ଲୋକଙ୍କ ସହ ମତ ବିନିମୟ କରିଛନ୍ତି। ସେପଟେ ତାଙ୍କୁ ଦେଖିବା ଓ ତାଙ୍କ ମଜାଳିଆ କଥା ଶୁଣିବାକୁ ଏଠି ଲୋକ ପ୍ରବଳ ଭିଡ ମଧ୍ୟ ଜମାଉଛନ୍ତି।
ତେବେ ଶୈଳେଶ ଲୋଧା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ସଂଗୀତା ସିଂହ ଦେଓଙ୍କ ପରିବାର ସଦସ୍ୟ ଭଳି ଦୀର୍ଘ ବର୍ଷରୁ ତାଙ୍କ ସହ ସମ୍ପର୍କରେ ଅଛନ୍ତି। ଏବଂ ସେ ଦେଶରେ ଏକ ଦୃଢ଼ ନେତୃତ୍ବ ଗଠନ ପାଇଁ ଆଗକୁ ଆସି ବିଜେପି ପ୍ରଚାର କରୁଥିବାର କହିଛନ୍ତି। ତେବେ ଦେଶକୁ ଯିଏ ବିଶ୍ବରେ ବିଶ୍ବ ଗୁରୁ ମାନ୍ୟତା ଦେଇ ପାରିଛି ଦେଶର ମାନ ଗୌରବ ବଢ଼ାଇ ପାରିଛି ତା ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏବଂ ସଂଗୀତା ସିଂହ ଦେଓ ତଥା ଅନ୍ୟ ବିଜେପି ପ୍ରାର୍ଥୀ ଜିତିବା ଆବଶ୍ୟକ ଅଛି କାରଣ ଦେଶ ଏକ ଉତ୍ତମ ସରକାର ଦରକାର କରେ ବୋଲି ସେ କହିଛନ୍ତି। ବଲାଙ୍ଗୀରରେ ନିର୍ବାଚନ ପାଖେଇ ଆସୁଥିବା ବେଲେ ପ୍ରାର୍ଥୀ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ଏହିପରି ଏମାନେ ବିଭିନ୍ନ ଢଙ୍ଗରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର